ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ସହରରେ ଅବସରପ୍ରାପ୍ତ ଡାକ୍ତର ବୈଦ୍ୟନାଥ ନାୟକ ନିଜର ଘରୋଇ କ୍ଲିନିକ୍ରେ ଚିକିତ୍ସା ପାଇଁ ଆସିଥିବା ସାମନ୍ତରାପୁରର ଜଣେ ବିବାହିତ ମହିଳାଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି।
ମହିଳାଙ୍କ ଅଭିଯୋଗ ଅନୁସାରେ, ସେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଶ୍ରୀ ନାୟକଙ୍କ ଘରୋଇ କ୍ଲନିକ୍କୁ ଯାଇଥିଲେ। ଡାକ୍ତର ରକ୍ତ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ। ଗତକାଲି ରାତିରେ ରକ୍ତ ପରୀକ୍ଷା ରିପୋର୍ଟ ନେଇ ସେ ଓ ତାଙ୍କ ଦିଅର ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଡାକ୍ତର ତାଙ୍କୁ ପରୀକ୍ଷା କରିବା ଆଳରେ ଅଶ୍ଲୀଳ ଇଙ୍ଗିତ ଦେବା ସହ ଅସଦାଚରଣ କରିଥିଲେ। ମହିଳା ଘରେ ପହଞ୍ଚି ଘରେ କହିବା ପରେ ସ୍ବାମୀ କ୍ଲିନିକ୍କୁ ଆସି ଏ ନେଇ ଡାକ୍ତରଙ୍କୁ ପଚାରିଥିଲେ। ଡାକ୍ତର ନିଜର ଭୁଲ ସ୍ବୀକାର କରିବା ସହ କ୍ଷମା କରି ଦେବା ପାଇଁ ଗୋଡ଼ହାତ ଧରିଥିଲେ। ଏ ନେଇ ଆଜି ଥାନାରେ ଏତଲା ଦେବା ପରେ ଟାଉନ୍ଥାନା ପୁଲିସ ଡାକ୍ତରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଏ ନେଇ ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହ କହିଛନ୍ତି, ଘଟଣାକୁ ନେଇ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୫୦୯, ୩୫୪, ୩୫୪–କ ତଥା ୨୦୩/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି। ମହିଳାଙ୍କ ବୟାନ ରେକର୍ଡ କରାଯାଇଛି। ଡାକ୍ତରଙ୍କୁ ଆଜି ପୂର୍ବାହ୍ଣ ୧୧ଟାରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏନେଇ ପୀଡ଼ିତା ତଥା ତାଙ୍କ ପରିବାର କହିଛନ୍ତି, ଏଭଳି ଡାକ୍ତର ସମାଜ ପାଇଁ କଳଙ୍କ। ଏଥିସହିତ, ଦୃଷ୍ଟାନ୍ତମୂଳକ ଦଣ୍ତବିଧାନ ସହ ତାଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ ସେ ଦାବି କରିଛନ୍ତି।