‌ଉଦାହରଣ ସୃଷ୍ଟି କଲେ ଡାକ୍ତର : ଦୁର୍ଗମ ଅଞ୍ଚଳକୁ ଆମ୍ବୁଲାନ୍ସ ନ ଯାଇ ପାରିବାରୁ ରୋଗୀକୁ କାନ୍ଧରେ ବୋହି ୫ କିଲୋମିଟର ଆଣିଲେ, ଡାକ୍ତରଖାନାରେ ଭର୍ତ୍ତି କଲେ

ମାଲକାନଗିରି: ସାଧାରଣଭାବେ ଲୋକେ ଡାକ୍ତରଙ୍କ ବିରୋଧରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଥାଆନ୍ତି କିନ୍ତୁ ମାଲକାନଗିରିର ଜିଲ୍ଲାରେ ଜଣେ ଡାକ୍ତର ସୃଷ୍ଟି କରିଛନ୍ତି ରୋଗୀ ସେବାର ନିଆରା ଉଦାହରଣ।  ରାସ୍ତା ନଥିବାରୁ ରୋଗୀଙ୍କ ଘର ପାଖକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ। ତେଣେ ଗ୍ରାମବାସୀ ବି ଆମ୍ବୁଲାନ୍ସ ନିକଟକୁ ରୋଗୀକୁ ନେବା ଲାଗି ଆଗ୍ରହ ଦେଖାଇଲେ ନାହିଁ, ଏପରି ସ୍ଥଳରେ  ଦେବଦୂତ ସାଜିଲେ ଡାକ୍ତର ଏବଂ ଆମ୍ବୁଲାନ୍ସ ଡ୍ରାଇଭର । ରୋଗ ଶଯ୍ୟାରେ ପଡିଥିବା ୧୨ ବର୍ଷିୟ ନାବାଳକକୁ ଭାରରେ ବୋହି ଦୁର୍ଗମ ଅଂଚଳରୁ ପ୍ରଥମେ ଆମ୍ବୁଲାନ୍ସ ନିକଟକୁ ଆଣିବା ସହ ପରେ  ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଛନ୍ତି ଡାକ୍ତର। ଏହି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଡଡୁରାଲ ପଂଚାୟତ ଅନ୍ତର୍ଗତ ନୂଆଗୁଡା ଗାଁରେ ।

ସୂଚନା ମୁତାବକ, ଗାଁର ନାବାଳକ ଜଣକ ଭୀଷଣ ଜ୍ୱରରେ ପୀଡିତ ଥିଲେ । ତାଙ୍କର  ଦେହ ଫୁଲିଯାଉଥିଲା । ଫଳରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ନୂଆଗୁଡା ଗାଁକୁ  ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ରୋଗୀଙ୍କ ଘରକୁ  ଯାଇପାରି ନଥିଲା ।  ଗାଁଠାରୁ ପାଖାପାଖି ୫ କିମି ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ । ମାତ୍ର ରୋଗୀକୁ ଡାକ୍ତରଖାନା ଆଣିବା ଲାଗି ସଂକଳ୍ପବଦ୍ଧ ଥିଲେ ଆମ୍ବୁଲାନ୍ସ ସହ ଆସିଥିବା ଆରୋଗ୍ୟ ପ୍ଲସ ଡାକ୍ତର ଶକ୍ତି ପ୍ରସାଦ ମିଶ୍ର। ସେ  ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ସାଥିରେ ଧରି ରୋଗୀଙ୍କ ନିକଟରେ ପହଞ୍ଚିଥିଲେ । ତା’ପରେ ରୋଗୀଟିକୁ ଭାରରେ ବୋହି ନୂଆଗୁଡା ଗାଁରୁ ବେଲବାଡି ପର୍ଯ୍ୟନ୍ତ ଦୀର୍ଘ ୫ କିଲୋମିଟର ଦୁର୍ଗମ ରାସ୍ତା ଅତିକ୍ରମ କରିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ମାଲକାନଗିରି ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା ।

ଡାକ୍ତର ଶକ୍ତିପ୍ରସାଦ ମିଶ୍ରଙ୍କର ଏହି କା‌ର୍ଯ୍ୟ ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚ‌ା ସୃଷ୍ଟି କରିଛି। ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର