ସ୍ଥାନର ଅଭାବ ଲାଗି ଡାକ୍ତରଖାନା ଛାତ ଉପରେ ବଗିଚା, ବଂଶାଇ ପ୍ରକ୍ରିୟାରେ ହଜାରେ ପ୍ରଜାତିର ଗଛ ଲଗାଇଲେ ଡାକ୍ତର

ଅନୁଗୁଳ: ଡାକ୍ତରଖାନା ଛାତ ଉପରେ ବଗିଚା । ହଜାରେ ପ୍ରଜାତିର ଗଛ ଲଗାଇ କଂକ୍ରିଟ ଛାତରେ ବଗିଚା କରିଛନ୍ତି ଜଣେ ଡାକ୍ତର । ରୋଗୀ ସେବା କରିବା ସହ ପରିବେଶ ସୁରକ୍ଷା ପ୍ରତି ବେଶ ଦୃଷ୍ଟି ରଖନ୍ତି ଅନୁଗୁଳର ଡାକ୍ତର ଦେବାଶିଷ ପ୍ରଧାନ । ସେଥିପାଇଁ ତ ନିଜ ଡାକ୍ତରଖାନା ଓ ଘର ଛାତ ଉପରେ କରିଛନ୍ତି ଏକ ସୁନ୍ଦର ବଗିଚା ।

ଶିଳ୍ପ ସମୃଦ୍ଧ ଅନୁଗୁଳ ସହରର କଂକ୍ରିଟ ଛାତ ଉପରେ ଲାଗିଛି ହଜାରେ ପ୍ରଜାତିରୁ ଅଧିକ ଗଛ । ଅନୁଗୁଳ ମିଶ୍ରପଡାସ୍ଥିତ ନିଜର ଡାକ୍ତରଖାନା ଓ ବାସଗୃହ ଛାତ ଉପରେ ସୁନ୍ଦର ବଗିଚା କରିଛନ୍ତି ଡାକ୍ତର ଦେବାଶିଷ ପ୍ରଧାନ। ବଂଶାଇ ପ୍ରକ୍ରିୟାକୁ ବ୍ୟବହାର କରି ୪୦ରୁ ଅଧିକ ବର ଜାତୀୟ ଗଛ ଲଗାଇ ସେଗୁଡିକୁ ୨୦ ବର୍ଷ ଧରି ବଞ୍ଚାଇ ରଖିବାରେ ସକ୍ଷମ ହୋଇଛନ୍ତି । ଡାକ୍ତରଙ୍କ ବଗିଚାରେ, ଫୁଲ, କଣ୍ଟା ଓ ବର ଜାତୀୟ ଗଛ ରହିଛି । ପେଶାରେ ଜଣେ ଡାକ୍ତର ହୋଇଥିବା ଦେବାଶିଷ ଗଛ ଲଗାଇବାକୁ ଭଲ ପାଆନ୍ତି । ତେବେ ଅନୁଗୁଳରେ ଗଛ ଲଗାଇବା ପାଇଁ ସ୍ଥାନର ଅଭାବ ହେବାରୁ ଘର ଓ ଡାକ୍ତରଖାନା ଛାତରେ କୁଣ୍ଡରେ ଗଛ ଲଗାଇ ଏହି ବଗିଚା କରିଛନ୍ତି ।

ଡାକ୍ତର ଦେବାଶିଷ କରିଥିବା ବଂଶାଇ ପ୍ରକ୍ରିୟା କଣ ଆସନ୍ତୁ ଜାଣିବା । ବର ଭଳି ବଡ ବଡ ଗଛକୁ ଛୋଟରୁ ହିଁ କୃତ୍ରିମ ଉପାୟରେ ଛୋଟ ପାତ୍ରରେ ଲଗାଇ ତାକୁ ବଞ୍ଚାଇ ରଖିବା । ସେଗୁଡିକର ଯତ୍ନ ନେଲେ ତାହା ୪୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ । ସେହିଭଳି କଣ୍ଟା ଜାତୀୟ ଗଛକୁ ଆପଣମାନେ ବିନା ମାଟିରେ ଲଗାଇ ପାରିବେ । କୋଇଲା ଗୁଣ୍ଡ, ନଡିଆ ଖୋଳ ଓ ଶିଳ୍ପରୁ ବାହାରୁଥିବା ପାଉଁଶକୁ ବ୍ୟବହାର କରି ବିଦେଶୀ- ପାଖି ପୋଡିୟମ୍, ସାଇକସ୍, ଆଗେଭ ଓ ହୱରଥିଆ ଭଳି ଗଛ ଲଗାଇ ପାରିବେ । ଡାକ୍ତରଙ୍କ ବଗିଚାରେ, ଜାପାନ, ଚୀନ, ଇଣ୍ଡୋନେସିଆ ଓ ଥାଇଲାଣ୍ଡ ଭଳି ଦେଶର ଗଛ ମଧ୍ୟ ରହିଛି । ଯେଉଁଥିରୁ ପ୍ରର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ମିଳୁଛି । କର୍ମମୟ ଜୀବନରୁ ସମୟ ବାହାର କରି ବଗିଚାରେ ଗଛର କାମ କରିବା ସହ ଏଠାରେ କ୍ଲାନ୍ତି ମେଣ୍ଟାନ୍ତି ଡାକ୍ତର ଦେବାଶିଷ ପ୍ରଧାନ । ଏହାସହ ତାଙ୍କ ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ମଧ୍ୟ ଏଠାରେ ବୁଲାବୁଲି କରନ୍ତି ।

ସମ୍ବନ୍ଧିତ ଖବର