ଟିକାର ଦୁଇଟି ଡୋଜ୍ ନେବା ପରେ ବି କରୋନାରେ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଜଣେ ଯୁବ ଡାକ୍ତରଙ୍କର ମୃତ୍ୟୁ ହୋଇଛି । ମୃତ ଡାକ୍ତରଙ୍କ ନାମ ହୃଦାନନ୍ଦ ଭୂୟାଁ । ସେ କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇଥିବା କୁହାଯାଉଛି । ଏହାପରେ ମଧ୍ୟ ତାଙ୍କୁ କରୋନା ସଂକ୍ରମଣ ହେବା ଏବଂ ମୃତ୍ୟୁ ହେବା ସୂଚନା, ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ କିଛି ଦିନ ପୂର୍ବରୁ ୩୨ ବର୍ଷୀୟ ଡାକ୍ତର ଭୂୟାଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ସିକଲ ସେଲ୍ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ଆଜି ସେ ପ୍ରାଣ ହରାଇଛନ୍ତି । ଡାକ୍ତର ହୃଦାନନ୍ଦ ଭୂୟାଁଙ୍କ ମୃତ୍ୟୁ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିନ୍ତୁ କିଛି ସ୍ପଷ୍ଟ କରାଯାଇନାହିଁ ।

କରୋନାର ଦ୍ୱିତୀୟ ଲହରରେ ଦେଶରେ ଶତାଧିକ ଡାକ୍ତର, ଭୂତାଣୁରେ ସଂକ୍ରମିତ ହେବା ଚିନ୍ତା ବଢ଼ାଇଦେଇଛି । କେବଳ ଦିଲ୍ଲୀ ଏମ୍ସ ଓ ଗଙ୍ଗାରାମ ହସପିଟାଲରେ ୭୨ରୁ ଅଧିକ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଉତ୍ତରପ୍ରଦେଶରେ ପ୍ରାୟ ୪୦ ଡାକ୍ତର କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ବିହାରରେ ମଧ୍ୟ ୨୬ରୁ ଅଧିକ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ମଧ୍ୟ ଜଣେ ଡାକ୍ତର ଓ ଜଣେ କର୍ମଚାରୀ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ସବୁଠୁ ଅଧିକ ଚିନ୍ତାଜନକ କଥା ହେଉଛି, ସଂକ୍ରମିତ ହୋଇଥିବା ଅଧିକାଂଶ ଡାକ୍ତର, କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଛନ୍ତି । ଏପଟେ ଦେଶରେ ଦ୍ରୁତ ଗତିରେ ବଢ଼ୁଛି କରୋନା । ୨୪ ଘଂଟାରେ ପୁଣି ଏକ ଅଲୋଡ଼ା ରେକର୍ଡ କରିଛି ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ଦେଶରେ ୧,୪୫,୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ମୃତ୍ୟୁବରଣ କରିଛନ୍ତି ୭୯୪ । ଏହି ସମୟ ମଧ୍ୟରେ ୭୭,୫୬୭ ଜଣ ସୁସ୍ଥ ହୋଇଛନ୍ତି । ମୋଟ ସକ୍ରିୟ ମାମଲା ୧୦,୪୬,୬୩୧ ହୋଇଛି ।

ସମ୍ବନ୍ଧିତ ଖବର