ଭୁବନେଶ୍ଵର: ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ ।
ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଉପରେ ତାଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ଜୀବନବ୍ୟାପୀ ସାଧନାର ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ ଓଡ଼ିଆ ସମ୍ମାନରେ ସମ୍ମାନିତ କରିବେ।
ପୁରସ୍କାର ବାବଦରେ ତାଙ୍କୁ କୋଡ଼ିଏ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଡକ୍ଟର ପଟ୍ଟନାୟକଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି।
ଭାରତର ଜଣେ ବିଶିଷ୍ଟ ବିଦ୍ୱାନ ଓ ଭାଷାବିତ୍ ଭାବରେ ଡକ୍ଟର ପଟ୍ଟନାୟକ ବେଶ୍ ସୁପରିଚିତ। ଭାରତୀୟ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ଡକ୍ଟର ପଟ୍ଟନାୟକ ଅନେକ ସୁନାମ ଅର୍ଜନ କରିଛନ୍ତି ।
ଭାରତୀୟ ଭାଷା ସମୂହର ବିକାଶ ଦିଗରେ ତାଙ୍କର ସମର୍ପିତ ଉଦ୍ୟମ ପାଇଁ ଡକ୍ଟର ପଟ୍ଟନାୟକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ଡକ୍ଟର ପଟ୍ଟନାୟକଙ୍କ ବହୁମୂଲ୍ୟ ଅବଦାନ ସର୍ବଜନବିଦିତ।
ଭାରତୀୟ ଭାଷା ପରିଷଦର ସଭାପତି ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ର ଭାଷା ବିଭାଗର ପୂର୍ବତନ ପ୍ରଫେସର ଜି ଉମା ମହେଶ୍ଵର ରାଓ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି କେ ସ୍ଵାଇଁ ଏବଂ କେନ୍ଦ୍ର ଶିକ୍ଷା ବିଭାଗର ଶାସ୍ତ୍ରୀୟ ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କୁ ନେଇ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ କମିଟି ସର୍ବସମ୍ମତି କ୍ରମେ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନାମକୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିସ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/deb.jpg)