ବାରିପଦା/ସାରସକଣା: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ସାରସକଣା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଏଥିସହ ଜିଲ୍ଲାର ମୋଟ ୯ଟି ବିଧାନସଭା ଆସନ ମଧ୍ୟରୁ କେବଳ ବାଙ୍ଗିରିପୋଷିକୁ ଛାଡ଼ିଦେଲେ ଅନ୍ୟ ୮ଟିରେ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି। ଦଳର ଓଜନିଆ ନେତା ସୁଦାମ ମାରାଣ୍ଡି ଏଥର ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଥିବାରୁ ସେ ପ୍ରତିନିଧିତ୍ବ କରୁଥିବା ବାଙ୍ଗିରିପୋଷି ଆସନରେ ପ୍ରାର୍ଥୀ ଚୟନକୁ ନେଇ ଏଯାଏ ଦ୍ବନ୍ଦ୍ବ ହଟିପାରିନି। ଯାହାଫଳରେ ଏହି ଆସନକୁ ଝୁଲାଇ ରଖିଛି ଦଳ।
ତେବେ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ଙ୍କୁ ପୁଣି ଥରେ କରଞ୍ଜିଆରୁ ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ। ୨୦୧୯ରେ ପ୍ରଥମ ପ୍ରୟାସରେ ବିଧାୟିକା ହୋଇ ବିଜେଡି ସରକାରରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ପାଇଥିବା ବାସନ୍ତୀଙ୍କ ପାଇଁ ଏଥର ପଥ ସହଜ ନଥିଲା। ପୂର୍ବତନ ବିଧାୟକ ବିଜୟ ନାଏକ ତାଙ୍କ ବାଟରେ କଣ୍ଟା ସାଜିଥିଲେ। ଉଭୟ ଗୋଷ୍ଠୀଙ୍କ ଛକାପଞ୍ଝା ପାଇଁ ଏହି ଆସନରେ ପ୍ରାର୍ଥୀ ଚୟନ ବିଳମ୍ବିତ ହେଉଥିଲା। ମୁଖ୍ୟମନ୍ତ୍ରୀ ତାଙ୍କୁ ଏଥର ନିଶ୍ଚୟ ସୁଯୋଗ ଦେବେ ବୋଲି ବିଜୟ ଖୋଲାଖୋଲି ବୟାନ ଦେଉଥିବା ବେଳେ ବାସନ୍ତୀ କିନ୍ତୁ ମୁହଁ ଖୋଲୁନଥିଲେ। ଶେଷରେ ବିଜୟଙ୍କ ପରିବର୍ତ୍ତେ ବାସନ୍ତୀଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ। ଟିକେଟ୍ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ନେତା ଭିକେ ପାଣ୍ଡିଆନ, ସାଧାରଣ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ବାସନ୍ତୀ। ପୂର୍ବଥର ଅପେକ୍ଷା ଏଥର ଅଧିକ ଭୋଟ୍ରେ ନିର୍ବାଚିତ ହେବେ ବୋଲି ଦୃଢ଼ୋକ୍ତି କରିଛନ୍ତି। ବିଜେପି ପ୍ରାର୍ଥୀ ପଦ୍ମଚରଣ ହଇବୁରୁ ଓ କଂଗ୍ରେସର ଲକ୍ଷ୍ମୀଧର ସିଂ’ଙ୍କ ସହ ତାଙ୍କର ଲଢ଼େଇ ହେବ। ଅନ୍ୟପକ୍ଷରେ ବିଜେଡି ଟିକେଟ୍ ଘୋଷଣା ପରେ ବିଜୟଙ୍କ ଶିବିରରେ ନିରାଶା ଖେଳିଯାଇଛି। ୨୦୦୯ରୁ ୧୯ ଯାଏ ଏଠାରୁ ବିଧାୟକ ଥିବା ବିଜୟ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ମାନି ନେଇ ବାସନ୍ତୀଙ୍କ ପାଇଁ ପ୍ରଚାର କରିବେ ନା ବିକଳ୍ପ ପନ୍ଥା ଆପଣାଇବେ, ତାହା ଉପରେ ଏବେ ସମସ୍ତଙ୍କର ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି।
ସେହିପରି ସାରସକଣା ବିଧାନସଭା ଆସନ ପାଇଁ ଦେବାଶିଷ ମାରାଣ୍ଡିଙ୍କୁ ଟିକେଟ୍ ଦେଇଛି ବିଜେଡି। ଡାକ୍ତର ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାଇଥିବା ଦେବାଶିଷ ୨୦୧୪ରେ ଜେଏମ୍ଏମ୍ର ଲୋକସଭା ପ୍ରାର୍ଥୀ ହୋଇ ୧ ଲକ୍ଷ ୭୨ ହଜାର ଭୋଟ୍ ପାଇଥିଲେ। ପରେ ବିଜେଡିରେ ସାମିଲ ହୋଇ ୨୦୧୯ ଲୋକସଭା ନିର୍ବାଚନ ଲଢ଼ି ବିଜେପିର ବିଶ୍ବେଶ୍ବର ଟୁଡ଼ୁଙ୍କ ପାଖରୁ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ। ଏଥର ବି ସେ ଲୋକସଭା ପ୍ରାର୍ଥୀ ପାଇଁ ରେସ୍ରେ ଥିଲେ। ତେବେ ଜଣେ ପରାଜିତ ପ୍ରାର୍ଥୀଙ୍କୁ ଦୋହରାଇବାକୁ ଶ୍ରେୟ ମଣିଲାନି ଦଳ। ସୁଦାମ ମାରାଣ୍ଡି ଲୋକସଭା ଟିକେଟ୍ ପାଇବା ପରେ ଦେବାଶିଷ ସାରସକଣା କିମ୍ବା ବାଙ୍ଗିରିପୋଷି ଆସନ ପାଇଁ ଲବିରେ ଥିଲେ। ଶେଷରେ ଦଳ ତାଙ୍କୁ ସାରସକଣାରୁ ସୁଯୋଗ ଦେଇଛି। ଏଠାରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଭାଦବ ହାଁସଦାଙ୍କ ସହ ତାଙ୍କର ଲଢ଼େଇ ହେବ। ସୂଚନାଯୋଗ୍ୟ ଯେ ବିଜେଡି ଏଯାଏ ବାଙ୍ଗିରିପୋଷ ପାଇଁ ପ୍ରାର୍ଥୀ ଦେଇ ନଥିବା ବେଳେ ବିଜେପି ସମସ୍ତ ୯ ବିଧାନସଭା ଓ କଂଗ୍ରେସ ୮ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। କଂଗ୍ରେସର ଲୋକସଭା ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ବିଜେଡି, ବିଜେପି ଓ ଜେଏମ୍ଏମ୍ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।