ଗଞ୍ଜାମ ଅସମ୍ଭାଳ : ଗୁରୁତରଙ୍କୁ ଦେଖୁନାହାନ୍ତି ଡାକ୍ତର

ଅସନ୍ତୋଷ ପ୍ରକାଶ କଲେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ସଂକ୍ରମିତ ଗର୍ଭବତୀଙ୍କ ପାଇଁ ସିଟି ହସ୍ପିଟାଲରେ ୨୦ଟି ଶଯ୍ୟା ବ୍ୟବସ୍ଥା
ଡାକ୍ତରଖାନା ପରିମଳ ନେଇ ମତାମତ ଦେବେ ରୋଗୀ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ମହାମାରୀ ସାଂଘାତିକ ରୂପ ନେଲାଣି। ୧୨ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି। ୧୨୦ ଲୋକଙ୍କ ଜୀବନ ଗଲାଣି। ଅଥଚ ସ୍ଥାନୀୟ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଚିକିତ୍ସା କରିବାକୁ ପଛାଉଛନ୍ତି ଖୋଦ୍‌ ଏମ୍‌କେସିଜି ମେଡିକାଲ କଲେଜର ଡାକ୍ତର। କରୋନା ରୋଗୀଙ୍କୁ ଚିକିତ୍ସା କଲେ କାଳେ ସେମାନେ ସଂକ୍ରମିତ ହୋଇଯିବେ, ସେହି ଭୟରେ ଗୁରୁତର ରୋଗୀଙ୍କୁ ଦେଖୁନାହାନ୍ତି। ଡାକ୍ତରଙ୍କ ଏହି ଚରମ ଅବହେଳାକୁ ଧରିଛନ୍ତି ଖୋଦ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଯାଇ ଜିଲ୍ଲାରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ, ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ ଓ ଏମ୍‌କେସିଜିରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ସୁବିଧା ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ରୋଗୀମାନଙ୍କ ଠାରୁ ପଚାରି ବୁଝିଛନ୍ତି। ରୋଗୀ ଓ ତାଙ୍କ ଆତ୍ମୀୟଙ୍କଠାରୁ ବିଭିନ୍ନ ଅଭିଯୋଗମାନ ଶୁଣିବା ପରେ ଡାକ୍ତରମାନଙ୍କ ଉପରେ ଶ୍ରୀ ମହାପାତ୍ର ଖୁବ୍‌ ବର୍ଷିଛନ୍ତି। ସ୍ଥିତିରେ ସୁଧାର ନ ଆସିଲେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚରମବାଣୀ ଶୁଣାଇଛନ୍ତି।

Collegedunia

ଗତକାଲି ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶ୍ରୀ ମହାପାତ୍ର ସ୍ଥିତିର ସମୀକ୍ଷା କରିବା ବେଳେ ଏମ୍‌କେସିଜି ମେଡିକାଲ କଲେଜ୍‌ ଅଧ୍ୟକ୍ଷ, ପ୍ରଫେସର ଓ ବରିଷ୍ଠ ଡାକ୍ତରମାନେ ଉପସ୍ଥିତ ଥିଲେ। ସମୀକ୍ଷା ବେଳେ ଜଣାପଡ଼ିଥିଲା, କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର କରୋନା ରୋଗୀମାନଙ୍କର ଚିକିତ୍ସା ସମ୍ପର୍କରେ ବୁଝିବାକୁ ଏମ୍‌କେସିଜିର ବିଭାଗୀୟ ମୁଖ୍ୟ ଡାକ୍ତର ଓ ପ୍ରଫେସରମାନେ ଯାଉନାହାନ୍ତି। ଏପରିକି କରୋନା ଭୟରେ ଡାକ୍ତରଖାନାକୁ ଅତି ଜରୁରୀ ଚିକିତ୍ସା ପାଇଁ ଆସୁଥିବା ଗର୍ଭବତୀ ମହିଳା, ଟ୍ରମା, ଅସ୍ଥିଶଲ୍ୟ, ସାଧାରଣ ଶଲ୍ୟ ଚିକିତ୍ସା ବିଭାଗରେ ବି ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ମିଳୁନି। ଡାଏଲିସିସ୍‌ ୟୁନିଟ୍‌ ବନ୍ଦ ରହିଛି। ରୋଗୀଙ୍କ ଟେଲିଫୋନ୍‌ କଲ୍‌ ମିଳିବା ପରେ ବି ଜିଲ୍ଲାରେ ଥିବା ୧୦୮ ଓ ୧୦୪ ଆମ୍ବୁଲାନ୍‌ସ୍‌ ଗାଡ଼ି ରୋଗୀଙ୍କୁ ଆଣିବାକୁ ଯାଉନି।

ବୈଠକରେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇ କହିଥିଲେ ଯେ ଏମ୍‌କେସିଜିରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରରେ ଯେପରି କୌଣସି ରୋଗୀଙ୍କର ମୃତ୍ୟୁ ନ ହୁଏ, ସେଥିପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବେ। ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ମିଳିବା ସହିତ ଡାଏଲିସିସ୍‌ ୟୁନିଟ୍‌କୁ ଅତିଶୀଘ୍ର ଖୋଲାଯାଉ। ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀ ଓ ଶଲ୍ୟ ଚିକିତ୍ସା ଅଗ୍ରାଧିକାର ଦିଆଯିବ। କରୋନା ଚିକିତ୍ସାକୁ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରିଥିବାରୁ ରୋଗୀମାନଙ୍କ ମତାମତ ନିୟମିତ ନିଆଯିବ। ଯଦି ଆଗକୁ ଏମ୍‌କେସିଜିର ବରିଷ୍ଠ ଡାକ୍ତରମାନେ ନିଜ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରନ୍ତି, ତା ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ପ୍ରତ୍ୟେକ ଡାକ୍ତରଖାନାର ପରିମଳ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ରୋଗୀମାନଙ୍କଠାରୁ ମତାମତ ନିଆଯିବ। ଜଣେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ଓ୍ବାସ୍‌ ରୁମ୍‌, ପାଇଖାନା ଆଦି ବ୍ୟବହାର କରିବା ପରେ ପରିଷ୍କାର ରହୁଛି କି ନାହିଁ ମେଡିକାଲ୍‌ ରେଜିଷ୍ଟରରେ ଲିଖିତ ଭାବେ ମତାମତ ଦେବେ। କୋଭିଡ୍‌ ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କ ଡେଲିଭେରି ପାଇଁ ସ୍ଥାନୀୟ ସିଟି ହସ୍ପିଟାଲ୍‌ରେ ୨୦ଟି ଅତିରିକ୍ତ ଶଯ୍ୟାର ବ୍ୟବସ୍ଥା କରାଯାଇଛି। କେବଳ ଗୁରୁତର କୋଭିଡ୍‌ ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯିବ।

Twitter

ଶୀତଳାପଲ୍ଲୀ ଠାରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲର ସମସ୍ୟା ଦୂର କରିବା ପାଇଁ କେତୋଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲ୍‌ ପାଇଁ ଗଞ୍ଜାମ ସିଡିଏମ୍‌ଓ ୧୦ ଜଣ ବିଶେଷଜ୍ଞ ଡାକ୍ତର ନିୟୋଜିତ କରିବେ। ପ୍ରତି ୧୫ ଦିନରେ ରୋଟେସନ୍‌ ଆଧାରରେ ଏମ୍‌କେସିଡି ମେଡିକାଲ କଲେଜ୍‌ ପକ୍ଷରୁ ୫ ଜଣ ଲେଖାଏଁ ବିଶେଷଜ୍ଞ ଡାକ୍ତର ନିୟୋଜିତ କରାଯିବ। ଏହି ହସ୍ପିଟାଲରେ ଡାକ୍ତର ଅଭାବ ଦୂର କରିବା ପାଇଁ ହାଇଟେକ୍‌ ମେଡିକାଲ କଲେଜ୍‌ ଓ ହସ୍ପିଟାଲ୍‌ ଅଧ୍ୟକ୍ଷ ମଧ୍ୟ ଭୁବନେଶ୍ବରରୁ ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀ ଆଣି ନିୟୋଜିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ରୋଗୀମାନଙ୍କ ଭର୍ତ୍ତି ଓ ଡିସଚାର୍ଜ କାର୍ଯ୍ୟ ହାଇଟେକ୍‌ ମେଡିକାଲ କଲେଜ୍‌ କର୍ତ୍ତୃପକ୍ଷ କରିବାକୁ ନିଷ୍ପତ୍ତି ହୋଇଛି। ଚଳିତ ମାସ ୧୦ ତାରିଖ ସୁଦ୍ଧା ଏହି କୋଭିଡ୍‌ ହସ୍ପିଟାଲର ସବୁ ଶଯ୍ୟାରେ ଅକ୍ସିଜେନ୍‌ ପଏଣ୍ଟ ଲାଗିବ। ଏହି କାର୍ଯ୍ୟ ହାଇଟେକ୍‌ ମେଡିକାଲ କଲେଜ୍‌ କରିବ। ହସ୍ପିଟାଲର ସୁପରିଚାଳନା ପାଇଁ ଜିଲ୍ଲା ସିଡିଏମଓ, ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ ଅଧୀକ୍ଷକ, ହାଇଟେକ୍‌ ମେଡିକାଲ୍‌ କଲେଜ୍‌ ସିଇଓଙ୍କୁ ନେଇ ଏକ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ କରାଯିବ। ଫଳରେ ସେମାନେ ପରସ୍ପର ଭିତରେ ଏକ ସମୟରେ ସମନ୍ବୟ ରଖି କାର୍ଯ୍ୟ କରିପାରିବେ।

ହଳଦିଆପଦରଠାରେ ଅଶ୍ବିନୀ ହସ୍ପିଟାଲ ଗ୍ରୁପ ଦ୍ବାରା ପ୍ରତିଷ୍ଠା କରାଯାଇଥିବା କୋଭିଡ୍‌ ହସ୍ପିଟାଲ ପାଇଁ ଆବଶ୍ୟକ ଡାକ୍ତର ନିଯୁକ୍ତି ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ୧୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଗତକାଲିଠାରୁ ରୋଗୀ ଚିକିତ୍ସା ଆରମ୍ଭ କରାଯାଇଛି। ଖୁବଶୀଘ୍ର ଏହି ହସ୍ପିଟାଲରେ ଆଉ ଅତିରିକ୍ତ ୧୦୦ଟି ଶଯ୍ୟାର ବ୍ୟବସ୍ଥା କରାଯିବ। ବର୍ତ୍ତମାନେ ଏହି ହସ୍ପିଟାଲରେ ୭ ଜଣ ଡାକ୍ତର ଓ ୪୦ ଜଣ ପାରାମେଡିକାଲ କର୍ମଚାରୀଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ନିୟୋଜିତ ଅଛନ୍ତି। ଆଉ ଆବଶ୍ୟକ ସଂଖ୍ୟକ ଡାକ୍ତର ଏହି ହସ୍ପିଟାଲ ପାଇଁ ଯୋଗାଇବାକୁ ଗଞ୍ଜାମ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କୋଭିଡ୍‌ ମହାମାରୀ ସଂକ୍ରମଣ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ। ରାଜ୍ୟ ସରକାର ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଓ ପ୍ରଶାସନିକ କଳକୁ ଲଗାଇଛନ୍ତି। ତଥାପି ସ୍ଥିତିରେ ସୁଧାର ଆସୁନି। ଜିଲ୍ଲାରେ ସଂକ୍ରମଣ ହାର ବଢ଼ୁଥିବା ଦେଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବା ପାଇଁ ଶତାଧିକ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ଏବେ ଡାକ୍ତରଙ୍କ ଅବହେଳା ଏସବୁରେ ପାଣି ପକାଇଦେଇଛି।

ସମ୍ବନ୍ଧିତ ଖବର