ବାଲେଶ୍ୱର ମେଡ଼ିକାଲ ପ୍ରସୂତି ବିଭାଗ ଅବ୍ୟବସ୍ଥାର ପରିଣତି : ଅପରେସନ୍‌ କଲାବେଳେ ଡାକ୍ତର ଅଚେତ

ଅସୁସ୍ଥ ଡାକ୍ତରଙ୍କୁ ଆଇସିୟୁରେ ଭର୍ତ୍ତି କରାଗଲା, ଅଧା ଥିବା ଅପରେସନ ପୂରା କଲେ ଅନ୍ୟ ଜଣେ ଡାକ୍ତର

ବାଲେଶ୍ୱର : ବାଲେଶ୍ୱର ମେଡିକାଲ କଲେଜ ହସ୍‌ପିଟାଲର ପ୍ରସୂତି ବିଭାଗ ବା ଏମ୍‌ସିଏଚ୍‌ରେ ଲାଗି ରହିଥିବା ଅବ୍ୟବସ୍ଥା କିଛିଦିନ ପରେ ପୁଣି ସାମ୍‌ନାକୁ ଆସିଛି। ଯାହାର ପରିଣାମ ସିଧାସଳଖ ଜଣେ ଡାକ୍ତରଙ୍କୁ ଭୋଗିବାକୁ ପଡ଼ିଛି। ଆଜି ମଧ୍ୟାହ୍ନରେ ପ୍ରସୂତି ବିଭାଗର ତୃତୀୟ ମହଲାରେ ଥିବା ଅପରେସନ୍‌ ଥିଏଟରରେ ଜଣେ ପ୍ରସୂତିଙ୍କ ଅପରେସନ୍‌ କଲାବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ହଠାତ୍‌ ପ୍ରସୂତି ବିଶେଷଜ୍ଞ ଡା. ଗିରିଜା ଶଂକର ଦାଶ ଅଚେତ ହୋଇ ତଳେ ପଡ଼ିଯିବା ଘଟଣା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଡାକ୍ତରଖାନାରେ ଥିବା ଅନ୍ୟ ଜଣେ ପ୍ରସୂତି ବିଶେଷଜ୍ଞ ତୁରନ୍ତ ଡାକ୍ତର ଦାଶଙ୍କ ତୁରନ୍ତ ଚିକିତ୍ସା କରିବା ସହ ଅଧାରେ ଥିବା ପ୍ରସୂତିଙ୍କ ଅପରେସନ କରିବାରୁ ବିପଦ ଟଳି ଯାଇଥିଲା। ଏହି ଘଟଣା ଆଜି ସହରରେ ଚର୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ବାହାନଗା ବ୍ଲକ ସାଉଡ଼ ଅଞ୍ଚଳରୁ ଆସିଥିବା କମଳା ଲେଙ୍କାଙ୍କ ପତ୍ନୀ ମମତା ପାଲ ଅପରେସନ୍‌ ପାଇଁ ଓଟିରେ ଭର୍ତ୍ତି ହୋଇଥିବାବେଳେ ପ୍ରସୂତି ବିଶେଷଜ୍ଞ ଡା. ଦାଶ ତାଙ୍କର ଅପରେସନ୍‌ କରୁଥିଲେ। ତେବେ ପ୍ରବଳ ଗରମ ଓ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଓଟିରେ ଲାଗିଥିବା ହାଇଭୋଲଟେଜ୍‌ ହେଲୋଜେନ୍‌ ଲାଇଟ୍‌ର ପ୍ରଭାବରେ ଡା. ଦାଶଙ୍କ ରକ୍ତଚାପ ଏତେ ବଢ଼ିଯାଇଥିଲା ଯେ ତାଙ୍କ ମୁଣ୍ଡ ବୁଲାଇବା ସହ ସେ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ବାନ୍ତି ହୋଇଥିଲା ଏବଂ ସେ ଅଚେତ ହୋଇ ଯାଇଥିଲେ। ଖବର ପାଇ ଅନ୍ୟ ଜଣେ ପ୍ରସୂତି ବିଶେଷଜ୍ଞ ଡା.ଜ୍ଞାନରଞ୍ଜନ ବେହେରା ତୁରନ୍ତ ସେଠାରେ ପହଞ୍ଚି ତାଙ୍କୁ ଆଇସିୟୁକୁ ନେଇ ଯାଇଥିଲେ। ସେଠାରେ ଡା.ବେହେରା ଓ ଡା.ଭାଗୀରଥି ପ୍ରଧାନଙ୍କ ଆଶୁ ଚିକିତ୍ସା ଫଳରେ ଡା. ଦାଶଙ୍କ ଚେତା ଫେରିବା ସହ ତାଙ୍କ ସ୍ଥିତିରେ ସୁଧାର ଆସିଥିଲା। ଅନ୍ୟପକ୍ଷରେ ଡା.ବେହେରା ଓଟିକୁ ଫେରି ଆସି ଡା.ଦାଶ ଅଧା ଛାଡ଼ି ଯାଇଥିବା ଅପରେସନକୁ ପୂରା କରିଥିଲେ ଏବଂ ପ୍ରସୂତିଙ୍କର ବିନା ବିପଦରେ ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା।

ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ସବୁଠାରୁ ସମ୍ବେଦନଶୀଳ ପ୍ରସୂତି ବିଭାଗରେ ଏପରି ଅବ୍ୟବସ୍ଥାକୁ ନେଇ ରୋଗୀଙ୍କ ପରିବାର ଓ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର