କଟକ: ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଡାକ୍ତର ଜଣକ କଟକ ସିଟି ହସ୍ପିଟାଲରେ ଶିଶୁରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ । କଟକ ଜିଲ୍ଲା ପ୍ରଶାସନ ତରଫରୁ ଏହି ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶିଶୁରୋଗ ବିଭାଗର ଏହି ଡାକ୍ତର କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ସନ୍ଦେହ ହେବାରୁ ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା । ଏବେ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଏହାପରେ ତାଙ୍କୁ ଚିକିତ୍ସା ଲାଗି କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସଂପୃକ୍ତ ଡାକ୍ତରଙ୍କ ସଂପର୍କରେ ଆସିଥିବା ହସ୍ପିଟାଲର ଅନ୍ୟ ୧୬ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣାଯାଇଛି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା କଟକ ଜିଲ୍ଲାର ୧୬ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ତାମିଲନାଡ଼ୁ ଫେରନ୍ତା ଥିବା ବେଳେ ୩ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ୫ଜଣ ମହାରାଷ୍ଟ୍ର ଓ ୩ଜଣ ଦୁବାଇ ଫେରନ୍ତା ଥିବା ବେଳେ ଜଣେ ସ୍ଥାନୀୟ ଲୋକ ଥିଲେ। ତେବେ, କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କଟକର ସ୍ଥାନୀୟ ବ୍ୟକ୍ତି ଜଣକ ହେଉଛନ୍ତି କଟକ ସିଟି ହସ୍ପିଟାଲ ଡାକ୍ତର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।