ଦୁର୍ଗମ ଅଞ୍ଚଳର ଦେବଦୂତ ଡାକ୍ତର: ଗର୍ଭବତୀଙ୍କୁ ଭାରରେ ବୋହିଲେ ୩୦କିମି

ବଞ୍ଚିଗଲା ମା’ ଓ ଶିଶୁଙ୍କ ଜୀବନ

କାଲିମେଳା: ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ଜଣେ ଡାକ୍ତର ଏମିତି କାମ କଲେ ଯାହା ପାଇଁ ବଞ୍ଚିଗଲା ଦୁଇଟି ଅମୂଲ୍ୟ ଜୀବନ। ପ୍ରଥମ ସନ୍ତାନ ପ୍ରସବ ପରେ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ଜଣେ ଗର୍ଭବତୀ ଏବଂ ଶିଶୁର ଜୀବନରକ୍ଷକ ସାଜିଲେ। ଏଥିପାଇଁ ଉଚ୍ଚ ପାହାଡ଼ ଚଢ଼ି ଦୁର୍ଗମ ଜଙ୍ଗଲ ରାସ୍ତାରେ ୩୦କିଲୋମିଟର ଚାଲିଲେ। ତାହା ପୁଣି ଗର୍ଭବତୀଙ୍କ ଭାରକୁ ନିଜ କାନ୍ଧରେ ବୋହି। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ଯୋଗୁଁ ମୃତ୍ୟୁ ସହ ସଂଘର୍ଷ କରୁଥିବା ଗର୍ଭବତୀ ଡାକ୍ତରଖାନ ପହଞ୍ଚିଗଲେ। ଯୁବ ଡାକ୍ତରଙ୍କ ଏଭଳି ମହତ କାର୍ଯ୍ୟ ଘାଟି ଡେଇଁ ବାହାରକୁ ଆସିବା ପରେ ଚାରିଆଡ଼ୁ ଛୁଟିଛି ପ୍ରଶଂସା ଓ ଶୁଭେଚ୍ଛାର ସୁଅ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ କୁର୍ମାନୁର ପଞ୍ଚାୟତ ଅନ୍ତର୍ଗତ କୋଡ଼ିଦୁଲାଗୁଣ୍ଡି ଗାଁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛି। ଦୁର୍ଗମ ଅଞ୍ଚଳରେ ରହିଥିବା ଏହି ଗାଁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ସଡ଼କ ପଥରେ ପ୍ରାୟ ଶହେ କିଲୋମିଟର ଦୂର। ସିଧା ରାସ୍ତାରେ ଗଲେ ପାହାଡ଼ ଚଢ଼ି ୪୦କିଲୋମିଟର ଚାଲିବାକୁ ପଡ଼ିବ। ତେବେ ଗତ ରବିବାର ଦିନ ଏହି ଅଞ୍ଚଳର ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବାକୁ ଡାକ୍ତରଖାନାର ଯୁବ ଡାକ୍ତର ରାଧେଶ୍ୟାମ ଜେନାଙ୍କୁ ଦାୟିତ୍ବ ଦିଆଯାଇଥିଲା। ରବିବାର ସକାଳୁ ସକାଳୁ କିରାଣି ସୁକାନ୍ତ କୁମାର ସାହୁ, ପୁରୁଷ ସ୍ବାସ୍ଥ୍ୟକର୍ମୀ ଦିନେଶ ବିଶ୍ବାସ, ସୁନ୍ଦର ଟୁଡ଼ୁ, ଆଶାକର୍ମୀ ଲକ୍ଷ୍ମୀ ନାୟକ ପ୍ରମୁଖ ଏହି ଅଞ୍ଚଳକୁ ବାହାରିଥିଲେ। କାଲିମେଳାଠାରୁ ୧୦କିମି ଦୂର କୁରୁବୁ ଗାଁରେ ଗାଡ଼ି ଛାଡ଼ି ଆଗକୁ ବଢ଼ିଥିଲେ। ୬ଘଣ୍ଟାର ପାହାଡ଼ ଚଢ଼ା ପରେ ଦୁଲାଗୁଣ୍ତି ଗାଁରେ ପହଞ୍ଚିଥିଲେ। ଗାଁର ପିଲାଙ୍କୁ ପୋଲିଓ ବୁନ୍ଦା ଦେଇ ଆଖପାଖରେ ଥିବା ସିଲକାନମାମୁଡ଼ି, ଚାପଡ଼ଝୋଲା ଗ୍ରାମକୁ ଯାଇ ସଂଧ୍ୟା ସୁଦ୍ଧା କାମ ଶେଷ କରି ପୁଣି ଦୁଲାଗୁଣ୍ତି ଗ୍ରାମକୁ ଫେରି ଆସିଥିଲେ। ଆଶାକର୍ମୀଙ୍କ ଘରେ ରାତି ରହିବା ପରେ ପୁଣି ସୋମବାର ଦିନ ସକାଳୁ କୋଡ଼ିଦୁଲାଗୁଣ୍ତି ଗାଁକୁ ଯାଇଥିଲେ। ପିଲାଙ୍କୁ ପୋଲିଓ ଦେବା ସମୟରେ ଡାକ୍ତର ଜେନାଙ୍କୁ ଖବର ମିଳିଥିଲା ଯେ, ରିନା ‌ବାରେ ନାମକ ଜଣେ ଗର୍ଭବତୀଙ୍କ ପ୍ରସବ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଯାଇଛି। ଏମିତି ସ୍ଥିତିରେ ଡାକ୍ତରଖାନା ପର୍ଯ୍ୟନ୍ତ ନେବା ସମ୍ଭବ ନୁହଁ ବୋଲି ମଧ୍ୟ କୁହାଗଲା। ତେଣୁ ଡାକ୍ତର ଜେନା ଅନ୍ୟମାନଙ୍କୁ ଦାୟିତ୍ବ ଦେଇ ଗର୍ଭବତୀ ରିନାଙ୍କ ନିକଟକୁ ଯାଇଥିଲେ। ଡାକ୍ତର ଜେନାଙ୍କ ପ୍ରୟାସ ଯୋଗୁଁ ରିନା ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଜନ୍ମ ହୋଇଥିଲେ। ମାତ୍ର ଏହାପରେ ମଧ୍ୟ ପ୍ରସୂତିଙ୍କ ଯନ୍ତ୍ରଣା କମି ନଥିଲା। ଭଲ ରୂପେ ପରୀକ୍ଷା କରିବାରୁ ରିନାଙ୍କ ଗର୍ଭରେ ଯମଜ ସନ୍ତାନ ଥିବା ଜଣାପଡ଼ିଥିଲା। ଏଭଳି ବିଷମ ପରିସ୍ଥିତିରେ ବି ଯୁବ ଡାକ୍ତର ଜଣକ ହଡ଼ବଡ଼େଇ ନଥିଲେ। ସ୍ଥିର ମନରେ ରିନାଙ୍କୁ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ଗାଡ଼ି ଗାଁ ପର୍ଯ୍ୟନ୍ତ ଯାଇପାରିବ ନାହିଁ ଏବଂ ଭେଜାଙ୍ଗିୱାଡ଼ାରେ ମକର ମେଳା ଚାଲିଥିବାରୁ ଗାଁର ପୁରୁଷମାନେ ସେଠାକୁ ଚାଲି ଯାଇଥିଲେ। ଆଉ ବିଳମ୍ବ ନକରି ଡାକ୍ତର ଜେନା ଗୋଟିଏ ଭାରରେ ରିନାଙ୍କୁ ନେଇ ଘାଟି ତଳେ ଥିବା ଗାଡ଼ି ଅଭିମୁଖେ ଅଗ୍ରସର ହୋଇଥିଲେ। ପ୍ରାୟ ୩୦କିଲୋମିଟର ଘାଟି ତଥା ଜଙ୍ଗଲିଆ ରାସ୍ତାର ପ୍ରତିବନ୍ଧକକୁ ପାର କରି ଗାଡ଼ି ପର୍ଯ୍ୟନ୍ତ ଆସିଥିଲେ। ଗାଡ଼ିରେ ପୁଣି କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଚିକିତ୍ସା ପରେ ରିନା ଏବଂ ପ୍ରଥମ ସନ୍ତାନ ସୁସ୍ଥ ଥିବା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିର୍ମଳ ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର