ଡାକ୍ତରଙ୍କର ବି ଅମାପ ସଂପତ୍ତି, ଘରୁ ମିଳିଲା ନଗଦ କୋଟିଏ ୧୨ ଲକ୍ଷ ଟଙ୍କା

ଭିଜିଲାନ୍ସ ଇତିହାସରେ ସର୍ବାଧିକ ଟଙ୍କା ଜବତ ଘଟଣା

ପଲିଥିନ୍‌ ବ୍ୟାଗରେ ରଖିଥିଲେ ବିଡ଼ା ବିଡ଼ା ନୋଟ୍‌
ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର ସୁକାନ୍ତ ଜେନା
ଚଢ଼ଉ ଚାଲିଛି, ଆହୁରି ସମ୍ପତ୍ତି ମିଳିବ

ଭୁବନେଶ୍ବର/ଚାରିଛକ, : ଲକ୍ଷ ଲକ୍ଷ ନୁହେଁ, ନଗଦ କୋଟିଏ ଟଙ୍କାରୁ ଅଧିକ। ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ଜେନା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ଭୁବନେଶ୍ବରସ୍ଥିତ ଘରୁ ଜବତ ହୋଇଛି ବିଡ଼ା ବିଡ଼ା ଟଙ୍କା। ନଗଦ କୋଟିଏ ୧୨ ଲକ୍ଷ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀମାନେ ତାଜୁବ୍‌ ହୋଇ ଯାଇଛନ୍ତି। ଟଙ୍କା ଗଣି ଗଣି ହାଲିଆ ହୋଇଗଲେଣି। ଦୁଇଟି ଟଙ୍କା ଗଣା ମେସିନରେ ଏ ସବୁର ପରିମାଣ ଆକଳନ କରାଯାଇଛି। ଏତେ ଟଙ୍କା ନଗଦ ଆକାରରେ ଜବତ ହେବା ରାଜ୍ୟ ଭିଜିଲାନ୍ସ ଇତିହାସରେ ପ୍ରଥମ ବୋଲି ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ଚଢ଼ଉ ଜାରି ରହିଛି। ଆହୁରି ବିପୁଳ ସମ୍ପତ୍ତି ଠାବ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଅନୁମାନ କରାଯାଉଛି। ଡାକ୍ତର ଜେନାଙ୍କୁ ଗିରଫ କରି ତଦନ୍ତକାରୀ ଟିମ୍ ପଚରାଉଚରା ଜାରି ରଖିଛି। ତାଙ୍କ ଠାରୁ କେମିକାଲ୍ ବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି। ନଗଦ ଏତେ ଟଙ୍କା କେଉଁଠୁ ଆଣିଲେ? କାହିଁକି ରଖିଥିଲେ? ସେ ନେଇ ଖୋଳତାଡ଼ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ, କୋଣାର୍କ ଅଞ୍ଚଳର ଜଣେ ପ୍ରସୂତିଙ୍କ ଅସ୍ତ୍ରୋପଚାର କରିବା ପାଇଁ ବୁଧବାର ଦିନ ୩ ହଜାର ଟଙ୍କା ଲା‌ଞ୍ଚ ନେଉଥିବା ବେଳେ ଡାକ୍ତର ଜେନା ଭିଜିଲାନ୍‌ସ ପଞ୍ଝାରେ ପଡ଼ିଛନ୍ତି। ଅଭିଯୋଗକାରୀ ମହିଳାଙ୍କ ସଂପର୍କୀୟଙ୍କଠାରୁ ପୂର୍ବ ସୂଚନା ପାଇ ଭୁବନେଶ୍ବର ଭିଜିଲାନ୍ସର ଏକ ୫ ଜଣିଆ ଟିମ୍ ଆଜି ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପହଞ୍ଚିଥିଲେ। ସେହି ସମୟରେ ସଂପୃକ୍ତ ପ୍ରସୂତିଙ୍କ ଅସ୍ତ୍ରୋପଚାର କରାଇବା ନିମନ୍ତେ ୩ ହଜାର ଟଙ୍କା ଲାଞ୍ଚ‌ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଧରିଥିଲେ। ଡାକ୍ତର ଜେନା ଅସ୍ତ୍ରୋପଚାର କରିବା ପାଇଁ ମହିଳାଙ୍କ ସଂପର୍କୀୟଙ୍କଠାରୁ ମୋଟ ୮ ହଜାର ଟଙ୍କା ଦାବି କରିଥିଲେ। ପୂର୍ବରୁ ୫ ହଜାର ଟଙ୍କା ନେଇ ସାରିଥିଲେ। ଆଜି ଅବଶିଷ୍ଟ ୩ ହଜାର ଟଙ୍କା ନେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ତାଙ୍କୁ ଧରିଥିଲେ। ଡାକ୍ତର ଜେନାଙ୍କୁ ଗିରଫ କରିବା ସହିତ ଆବଶ୍ୟକ କାଗଜପତ୍ର ଜବତ କରି ଏକ ଲାଞ୍ଚ ମାମଲା ରୁଜୁ କରାଯାଇଛି।

ସେହିପରି ବିପୁଳ ଟଙ୍କା ମିଳି ଥିବାରୁ ତାଙ୍କ ବିରୋଧରେ ଆୟ ବହିର୍ଭୂତ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଆସନ୍ତାକାଲି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଯେହେତୁ ନଗଦ କୋଟିଏରୁ ଅଧିକ ଟଙ୍କା ମିଳିଛି ତେଣୁ ଆହୁରି ମିଳିବ ବୋଲି ତଦନ୍ତକାରୀ ଟିମ୍ ଆଶା ରଖିଛି। ଅନ୍ୟ ସ୍ଥାନରେ ମଧ୍ୟ ଚଢ଼ଉ ସହ ଆଉ କେଉଁଠି ସମ୍ପତ୍ତି ରହିଛି, ବ୍ୟାଙ୍କରେ କେତେ ଟଙ୍କା ରହିଛି ସେ ସମ୍ପର୍କରେ ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି। ଭିଜିଲାନ୍ସ ଅଧିକାରୀମାନେ ଡାକ୍ତର ଜେନାଙ୍କୁ ଗିରଫ କରି ଆଣିବା ବେଳେ ତାଙ୍କର କିଛି ସ୍ଥାନୀୟ ସମର୍ଥକ ବିରୋଧ କରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର