ବାରିପଦା: ସତ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୨୦ହଜାର ଲାଞ୍ଚ। ଆଉ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି ବାରିପଦାସ୍ଥିତ ପିଆରଏମ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲର ଯୁବ ଚିକିତ୍ସକ ଡ. ଦେବିଦତ୍ତ ପାତ୍ର। ଆଜି ସନ୍ଧ୍ୟାରେ ବାରିପଦା ରଙ୍ଗାମାଟିଆସ୍ଥିତ ମେଡିକାଲ୍ କଲେଜ୍ ନିକଟସ୍ଥ ଏକ ସ୍ଥାନରୁ ଲାଞ୍ଚ ଟଙ୍କା ସହିତ ଡାକ୍ତର ପାତ୍ରଙ୍କୁ ଗିରଫ କରିଛି ବାଲେଶ୍ବର ଭିଜିଲାନ୍ସ ଟିମ୍।

Advertisment

ଉଲ୍ଲେଖଯୋଗ୍ୟଯେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗାଁର ରଘୁନାଥ ମାର୍ଣ୍ଡି(୧୯) ଗତମାସ ୨୪ରେ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିଲେ। ପରେ ଶବବ୍ୟବଚ୍ଛେଦ ନିମନ୍ତେ ମୃତକଙ୍କୁ ପିଆରଏମ୍ ଅଣାଯାଇଥିଲା। ସେଠାରେ ଡାକ୍ତର ପାତ୍ର ମୃତକଙ୍କ ବ୍ୟବଚ୍ଛେଦ କରିଥିଲେ। ଚଳିତ ସପ୍ତାହରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଣିବାକୁ ମୃତକଙ୍କ ଭଉଣୀ ସୁଦେବୀ ଟୁଡୁ ପିଆରଏମ୍ ଆସି ଡାକ୍ତର ପାତ୍ରଙ୍କୁ ଭେଟିଥିଲେ। ମାତ୍ର ରିପୋର୍ଟ ପାଇଁ ୪୦ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଡାକ୍ତର କହିଥିବା ସୁଦେବୀ ଅଭିଯୋଗ କରିଛନ୍ତି। ସାପ କାମୁଡ଼ା ମୃତକଙ୍କ ପରିବାରକୁ ୪ଲକ୍ଷ ମିଳିବ। ତେଣୁ ତାଙ୍କୁ ୪୦ ହଜାର ଦେବାକୁ ପଡ଼ିବ ବୋଲି ଡାକ୍ତର ପାତ୍ର ମୃତକଙ୍କ ଭଉଣୀଙ୍କୁ କହିଥିବା ଅଭିଯୋଗ ହୋଇଛି। ଟଙ୍କା ନଦେଲେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ବିଷ ଖାଇ ମୃତ୍ୟୁବରଣ କରିଥିବା ଦେଖେଇଦେବେ ବୋଲି ଡାକ୍ତର ଦେବୀଦତ୍ତ ପାତ୍ର ଧମକ ଦେଇଥିଲେ।

ଏନେଇ ଡାକ୍ତର ଶ୍ରୀ ପାତ୍ର ମୃତକଙ୍କ ଭଉଣୀ ଭିଣୋଇଙ୍କୁ ବାରିପଦା ଡାକି କଥା ହୋଇଥିଲେ। ଶେଷରେ ୨୦ହଜାରରେ ମାମଲା ଛିଣ୍ଡିଥିଲା। ତେବେ ଏହି ଘଟଣା ସମ୍ପର୍କରେ ମୃତକଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ବାଲେଶ୍ବର ଭିଜିଲାନ୍ସକୁ ସୂଚନା ଦିଆଯାଇଥିଲା। ତଦନୁଯାୟୀ ଆଜି ମୃତକଙ୍କ ଭଉଣୀ ଡାକ୍ତର ପାତ୍ରଙ୍କୁ ରଙ୍ଗାମାଟିଆ ନିକଟରେ ୨୦ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ। ସୂଚନାଯୋଗ୍ୟଯେ ଡାକ୍ତର ଶ୍ରୀ ପାତ୍ର ଏମିତି ରିପୋର୍ଟ ଦେବାକୁ ଏକାଧିକ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଡାକ୍ତର ଜଣଙ୍କ ତାଙ୍କର ନୂତନ ପୋଷ୍ଟିଂ ପାଇଁ ପିଆରଏମ୍‌ରୁ ରିଲିଭ୍ ହୋଇଯାଇଥିବା ଜଣାପଡ଼ିଛି। ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଡାକ୍ତର ଜଣଙ୍କ ଅସୁସ୍ଥ ଅନୁଭବ କରିବା ସହିତ ତାଙ୍କୁ ତୁରନ୍ତ ଅକ୍ସିଜେନ୍ ଦେବାକୁ କହିଥିଲେ। ତେଣୁ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ପିଆରଏମ ଅଣାଯାଇଥିଲା। ମାତ୍ର ଡାକ୍ତରୀ ପରୀକ୍ଷା ପରେ ସେ ଠିକ୍ ଥିବା ଜଣାପଡ଼ିବା ପରେ ତାଙ୍କୁ ବାଲେଶ୍ବର ନିଆଯାଇଥିଲା।