ଝାରସୁଗୁଡ଼ା: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶୁକ୍ରବାର ହାଇଡ୍ରୋସିଲ୍‌ ଅସ୍ତ୍ରୋପଚାର ପାଇଁ ରୋଗୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡା. ସୁପ୍ରିତ ସୌରଭ। ଝାରସୁଗୁଡ଼ା ଭିଜିଲାନ୍ସ ଟିମ୍‌ ତାଙ୍କ ନିକଟରୁ ରସାୟନ ବୋଳା ଟଙ୍କା ଜବତ କରିଛି। ଏ ନେଇ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ହାଇଡ୍ରୋସିଲ୍‌ ଅସ୍ତ୍ରୋପଚାର ପାଇଁ ଲଖନପୁରର ଜୟରାମ ଭଏଁସାଙ୍କୁ ୬ ଦିନ ହେଲା ହସ୍‌ପିଟାଲରେ ପକାଇ ରଖିଥିଲେ ଡା. ସୌରଭ। ଅସ୍ତ୍ରୋପଚାର ପାଇଁ ଟଙ୍କା ଆଣିବାକୁ ରୋଗୀଙ୍କୁ କୁହାଯାଇଥିଲା। କିନ୍ତୁ ବଦଳି ଆଦେଶ ପରେ ଡା. ସୌରଭ ଅସ୍ତ୍ରୋପଚାର ଗୃହକୁ ଯାଇପାରି ନଥିଲେ। ଫଳରେ ଅନ୍ୟ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ଡା. ସୌରଭ ରୋଗୀଙ୍କୁ ବେହେରାମାଲର ଶଙ୍କର ହୋଟେଲ ପାଖକୁ ଡାକି ଟଙ୍କା ମାଗିଥିଲେ। ଏ ନେଇ ରୋଗୀ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଯୋଜନାନୁସାରେ ସନ୍ଧ୍ୟା ସାଢ଼େ ୭ଟା ‌ବେଳେ ରୋଗୀ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍‌ ଡାକ୍ତରଙ୍କୁ ମାଡ଼ି ବସିଥିଲା। ଅନ୍ୟ ଜଣେ ରୋଗୀ ଗୁରୁଦେବ ଗର୍ଡିଆ ମଧ୍ୟ ଆଜି ଡା. ‌ସୌରଭଙ୍କ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି।

Advertisment

ସେପଟେ, ଡା. ସୌରଭ ବୁର୍ଲା ବଡ଼ ଡାକ୍ତରଖାନାର ଶଲ୍ୟ ବିଭାଗର ପିଜି ଡାକ୍ତର ହୋଇଥିବା ବେଳେ ୨ ବର୍ଷିଆ ଚୁକ୍ତିନାମାରେ ଝାରସୁଗୁଡ଼ାକୁ ଆସିଥିଲେ। କିନ୍ତୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକାଧିକ ଅଭିଯୋଗ ପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା। ଡିଏମ୍‌ଇଟିଙ୍କ ନିର୍ଦ୍ଦେଶକ୍ରମେ ଡା. ସୌରଭଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପୁଣି ଥରେ ଭିମ୍‌ସାରକୁ ବଦଳି କରାଯାଇଥିଲା। ଆଜି ସକାଳୁ ତାଙ୍କୁ ରିଲିଭ୍‌ କରି ଦିଆଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଏମ୍‌.ଏମ୍‌. ପଣ୍ଡା କହିଛନ୍ତି।