କଟକ: ଡାକ୍ତରଙ୍କୁ କରୋନା, ୧୬ ଡାକ୍ତରଙ୍କ ସମେତ ୪୩ ଜଣଙ୍କ ସ୍ବାବ ସଂଗ୍ରହ

କଟକ: ସିଟି ହସପିଟାଲର ଜଣେ ପେଡିଆଟ୍ରିକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଲା କିଛିଦିନ ଭିତରେ ସେ ଅନେକ ଶିଶୁ ରୋଗୀଙ୍କୁ ଚିକିତ୍ସା କରିଥିବା ବେଳେ ସ୍ବାଭାବିକ ଭାବେ ବିଭିନ୍ନ ଲୋକଙ୍କ ସହିତ ମିଶି ଥିବାରୁ ଏହାକୁ ନେଇ କଟକରେ ଆତଙ୍କ ସୃଷ୍ଟି ହୋଇଛି। ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସିଟି ହସ୍ପିଟାଲ ପେଡିଆଟ୍ରିକ ବିଭାଗ ଆଉଟଡୋର ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି।

ଉଭୟ ଇନଡୋର ଏବଂ ଆଇଟଡୋରକୁ ବିଶୋଧନ କରାଯାଇଛି। ଆଜି ହସପିଟାଲରେ ୧୬ ଜଣ ଡାକ୍ତରଙ୍କୁ ମିଶାଇ ମୋଟ ୨୦ ଜଣଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇଛି। ନମୁନା ସଂଗ୍ରହ ପରେ ଡାକ୍ତରଙ୍କୁ କ୍ବାରାଣ୍ଟିନରେ ପଠାଇ ଦିଆଯାଇଛି। ଡାକ୍ତର ଜଣକ ସିଡିଏ ସେକ୍ଟର-୬ ଅଞ୍ଚଳରେ ଯେଉଁଠି ରହୁଥିଲେ ସେଠାରେ ମଧ୍ୟ ୨୩ ଜଣ ପଡ଼ୋଶୀଙ୍କୁ ଚିହ୍ନଟ କରାଯାଇଛି। ଆସନ୍ତାକାଲି ସେମାନଙ୍କର ସ୍ବାବ୍ ନମୁନା ସଂଗ୍ରହ କରିବାକୁ ଯୋଜାନା କରାଯାଉଛି। କରୋନା ଆକ୍ରାନ୍ତ ଡାକ୍ତର ଜଣକ ଜ୍ବରରେ ଆକ୍ରାନ୍ତ ଥିବା ସତ୍ତ୍ବେ ଉଭୟ ଇନଡୋର ଏବଂ ଆଉଟଡୋରରେ ଶିଶୁ ରୋଗୀଙ୍କ ଚିକିତ୍ସା କରିଥିବା କୁହାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେତେ ଜଣ ରୋଗୀ ସମ୍ପୃକ୍ତ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହୋଇଛନ୍ତି, ସେମାନଙ୍କୁ ଏବେ ହସପିଟାଲ କର୍ତ୍ତୃପକ୍ଷ ଠାବ କରିବା ଆରମ୍ଭ କରିଛନ୍ତି। ଆବଶ୍ୟକ ପଡ଼ିଲେ ସେମାନଙ୍କ ସ୍ବାବ୍ ସଂଗ୍ରହ କରାଯିବ ବୋଲି ହସପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ସଂପୃକ୍ତ ଡାକ୍ତର ବାହାର ରାଜ୍ୟ ଅଥବା ବିଦେଶ ଯାଇ ନଥିବା ବେଳେ କାହା ସଂସ୍ପର୍ଶରେ ଆସି ସେ କରୋନା ଆକ୍ରାନ୍ତ ହୋଇଛନ୍ତି, ତାହାକୁ ନେଇ ଚିନ୍ତା ବଢ଼ିଛି।

ସିଡିଏମଓ ସତ୍ୟବ୍ରତ ଛୋଟ୍ଟରାୟ କହିଛନ୍ତି ଯେ ୧୯ ତାରିଖ ପରଠାରୁ ସମ୍ପୃକ୍ତ ଡାକ୍ତର ସିଟି ହସପିଟାଲ୍ ଆସି ନାହାନ୍ତି। ୨୧ ତାରିଖରେ ସ୍ବାବ୍ ନମୁନା ସଂଗ୍ରହ କରାଯାଇଥିଲା। ଆଜି ହସପିଟାଲ୍ ବିଶୋଧନ କରାଯାଇଛି। ୨୦ ଜଣଙ୍କ ସ୍ବାବ ନମୁନା ସଂଗ୍ରହ କରି ସେମାନଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି। ୧୯ ତାରିଖ ପୂର୍ବରୁ ଯେଉଁ ଡାକ୍ତର ଓ କର୍ମଚାରୀଙ୍କ ସଂସ୍ପର୍ଶରେ ସମ୍ପୃକ୍ତ ଡାକ୍ତର ଆସିଥିଲେ ସେମାନଙ୍କ ସ୍ବାବ୍ ସଂଗ୍ରହ କରାଯାଇଛି। ଏହି ରିପୋର୍ଟ ଆସିଲା ପରେ ଅଧିକ ସ୍ବାବ୍ ସଂଗ୍ରହ ନେଇ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପଟେ ହସ୍ପିଟାଲର ପେଡିଆଟ୍ରିକ ଆଉଟଡୋର୍ ବନ୍ଦ କରି ଦିଆଯାଇଛି। ଇନଡୋରରେ ଏବେ ଗୁରୁତର ରୋଗୀଙ୍କ ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର