ଡାକ୍ତରଙ୍କ ମହନୀୟତା : ନିଜ କ୍ବାର୍ଟର୍ସକୁ କଲେ ସଙ୍ଗରୋଧ ପ୍ରକୋଷ୍ଠ

ପାଟପୁର : ସାନଖେମୁଣ୍ଡି ବ୍ଲକ୍ ଅଧୀନ ସାହସପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଡାକ୍ତର ଅଭିଷେକ ଆଚାର୍ଯ୍ୟ ନିଜ କ୍ବାର୍ଟରକୁ ସଙ୍ଗରୋଧ ପ୍ରକୋଷ୍ଠ କରିବା ପାଇଁ ଘୋଷଣା କରିଛନ୍ତି। ତାଙ୍କର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଲକ୍‌ଡାଉନ୍ ପାଇଁ ସମସ୍ତେ ଘରେ ରହିଥିବା ବେଳେ ନିର୍ଭୀକ ଓ ନିଃସ୍ବାର୍ଥପର ଭାବେ ସେବା କରି ଡାକ୍ତରମାନେ ଦ୍ବିତୀୟ ଭଗବାନ ପାଲଟିଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ଅଭିଷେକ।

ଅନ୍ୟପକ୍ଷରେ ସାନଖେମୁଣ୍ଡି ବ୍ଲକ୍ ଅଧୀନ ରାଧାଦେଇପୁର ପଞ୍ଚାୟତ ସମେତ ଅନ୍ୟ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜନପ୍ରତିନିଧିମାନେ ଘରକୁ ଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିବା ଜଣାପଡ଼ିଛି। ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ ବିଭିନ୍ନ ଗ୍ରାମକୁ ଗସ୍ତ କରି ସଚେତନ କରିବା ସହ ଲୋକଙ୍କୁ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦେବା ସହ ଅବମାନନାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ସେହିପରି କରୋନା କଟକଣା ନ ମାନିବା ଅଭିଯୋଗରେ ପାଟପୁର ପୁଲିସ ୩୦ ଜଣଙ୍କୁ ଗିରଫ କରିଛି। ଆଗାମୀ ଦିନରେ ପଇଁତରାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଥାନା ଅଧିକାରୀ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି। ସାନଖେମୁଣ୍ଡି ବିଡିଓ ଗାୟତ୍ରୀଦତ୍ତ ନାୟକ କହିଛନ୍ତି ଯେ, ବିଦେଶରୁ ୧୮ ଓ ବାହାର ରାଜ୍ୟରୁ ୬୩୮ଜଣ ଘରକୁ ଫେରିଛନ୍ତି। ପ୍ରତିପଞ୍ଚାୟତରେ ୮ଶଯ୍ୟା ବିଶିଷ୍ଟ ସଂଗରୋଧ ଗୃହ କରାଯାଇଛି।

ସମ୍ବନ୍ଧିତ ଖବର