ତୁଳସୀପଦରକୁ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍; ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କଲେ, ଔଷଧ ଫିଙ୍ଗି ପଳାଇଲେ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ସମସ୍ତ ନଦୀ ଓ ନାଳରେ ବଢ଼ିଛି ଜଳସ୍ତର। ଝାଡାବାନ୍ତିରେ ଅକ୍ରାନ୍ତ ତୁଳସୀପଦର ଗାଁକୁ ପହଞ୍ଚିପାରିଲେନି ସ୍ବାସ୍ଥ୍ୟ ବିଭାଗ ଟିମ୍। ତୁଳସୀପଦର ନଦୀ କୂଳରେ ରହି ଡାକବାଜି ଯନ୍ତ୍ର ଦ୍ବାରା ଗ୍ରାମବାସୀଙ୍କୁ ଡାକି ସଚେତନତା କରାଇଲେ। ପଲିଥିନରେ ଔଷଧ ବାନ୍ଧି ଆରପାରିକୁ ଫୋପାଡି ଔଷଧ ପହଞ୍ଚାଇଲେ ସ୍ବାସ୍ଥ୍ୟ ଟିମ୍।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁଳସୀପଦରରେ ଗତ ସପ୍ତାହ ଧରି ଝାଡାବାନ୍ତି ଲାଗିରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ୨୦ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇସାରିଛନ୍ତି। ଗାଁର ପ୍ରାୟ ୭ ଜଣ ବିଭିନ୍ନ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ନିୟନ୍ତ୍ରଣ ରେ ରହିଛି ଝାଡାବାନ୍ତି। ଗତ ୨ ତାରିଖ ରୁ ଲଗାତର ଭାବେ ଏମଏଚୟୁ ଓ ଏମଏଚଟିର ୨ ଟି ସ୍ବାସ୍ଥ୍ୟ ଟିମ୍ ତୁଳସୀପଦର ଗାଁ ରେ ପହଞ୍ଚି ଗାଁରେ ସଚେତନତା କରିବା ସହ ଔଷଧ ପ୍ରଦାନ କରି ଚିକିତ୍ସା ଜାରି ରଖିଛନ୍ତି। ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥ ଠାରୁ ପ୍ରାୟ ଦେଢ଼ କିମି କଚ୍ଚା ରାସ୍ତା ଓ ନଦୀ ପାର ହୋଇ ଯିବାକୁ ପଡିଥାଏ। ତେବେ ଗତ କାଲି ଠାରୁ ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ତୁଳସୀପଦର ନଦୀ ରେ ପ୍ରାୟ ୫ ଫୁଟ ଉଚ୍ଚରେ ପାଣି ଆସିବା ସହ ନଦୀରେ ପାଣିର ପ୍ରଖର ବଢ଼ିଚାଲିଥିଲା।

ଆଜି ଡା.ଜ୍ୟୋତ୍ସ୍ନାରାଣୀ ଦାସ, ଡ।.ବିଭୁତି ଭୂଷଣ ନାୟକ,ଡା. ଇତିଶ୍ରୀ ପଲାଇଙ୍କ ସମେତ ରାକେଶ ରଂଜନ ବେହୁରା, ସମୀର ରଂଜନ ଦାସ, କାଜଲ ରାଓ, ସାନ୍ତିଲତା ନାୟକ , ସ୍ବାଗତିକା ସସ୍ମିତା ସୁନା ପ୍ରମୁଖ ଫାର୍ମାଶିଷ୍ଟ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ମେଡିକାଲ ଟିମ୍ ତୁଳସୀପଦରକୁ ଯିବା ପାଇଁ ବାହାରିଥିଲେ। ତୁଳସୀପଦର ଠାରୁ ପ୍ରାୟ ୧ କିମି ଦୂରରେ ରହିଥିବା ନଦୀର ବନ୍ୟାପାଣିରେ ଯାଇନପାରି ଡାକବାଜି ଯନ୍ତ୍ର ଦ୍ବାରା ଗାଁ ଲୋକଙ୍କୁ ଡାକି ସଚେତନତା କରିବା ସହ ଯଦି କାହାର କୌଣସି ପରାମର୍ଶ ନେବାର ଅଛି ତେବେ ଅଙ୍ଗନୱାଡି ଦିଦିଙ୍କ ଫୋନ ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି କହିବା ସହ ଔଷଧକୁ ପଲିଥିନ ମଧ୍ୟରେ ବାନ୍ଧି ନଦୀର ଆରପଟକୁ ଫୋପାଡି ଔଷଧ ପହଞ୍ଚାଇଥିଲେ। ନଦୀର ଆରପାରିରେ ଗ୍ରାମବାସୀଙ୍କ ସହ ଅଙ୍ଗନୱାଡି ଦିଦି ଆସି ଉକ୍ତ ଔଷଧ ସଂଗ୍ରହ କରି ଗାଁକୁ ନେଇଥିଲେ। ତେବେ ଗ୍ରାମବାସୀ କହିବା ଅନୁଯାୟୀ ଏପରି କାଦୁଅ ଓ ନଦୀର ବନ୍ୟା ଜଳରେ ବିପଦଜନ୍ନକ ଭାବେ ପାର କରିବା ଆମ୍ଭର ଏକ ନିତିଦିନିଆ ଘଟଣା ହେଲାଣି। ବାରମ୍ବାର ପ୍ରଶାସନ ନିକଟରେ ଗୁହାରୀ କରିଲେ ମଧ୍ୟ ନଦୀରେ ପୋଲ କିମ୍ବା ପକ୍କା ରାସ୍ତା ହୋଇପାରୁନି।

ସମ୍ବନ୍ଧିତ ଖବର