ଅଖା ଭିତରୁ ଯୁବତୀଙ୍କ ମୃତଦେହ ଘଟଣା : ରିମାଣ୍ଡରେ ଡାକ୍ତରାଣୀ, ନର୍ସ ଓ ଅଟୋଚାଳକ

ଜଗତସିଂହପୁର/ଗୋପାଳପୁର : ଅଖା ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଜଗତ୍‌ସିଂହପୁର ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। ୩ ଜଣ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା ଚଳାଇଛି। ହେପାଜତର ପ୍ରଥମଦିନରେ ଅଭିଯୁକ୍ତ ଡାକ୍ତର ଓ ନର୍ସ ମୁହଁ ଖୋଲୁନଥିବା ଜଣାପଡ଼ିଛି। ଅନ୍ୟ ଜଣେ ଅଭିଯୁକ୍ତ ଅଟୋଚାଳକଙ୍କ ସହିତ ଏହି ୨ ଅଭିଯୁକ୍ତ ଆଉ ଦୁଇଦିନ ପୁଲିସ୍‌ ହେପାଜତରେ ରହିବେ।

କୁଜଙ୍ଗ ଅନୋଲିପାଟଣାର ସିକୁ ସୂତାର ଗର୍ଭପାତ ସମୟରେ ପ୍ରାଣ ହରାଇବା ପରେ ତାଙ୍କ ମୃତଦେହକୁ ଏକ ଅଖାରେ ପୂରାଇ ଏକ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ। ଘଟଣାରେ ଛପି ରହିଥିବା ଅପରାଧ ସାମ୍‌ନାକୁ ଆସିବା ପରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜି ନିଜ ହେପାଜତକୁ ଆଣିଛି। ଏହି ୩ ଜଣ ହେଲେ ମମତା କ୍ଲିନିକ୍‍ର ଡାକ୍ତର ମମତା ମହାରଣା, ସହଯୋଗୀ ନର୍ସ ହେମଲତା ବେହେରା ଓ ଅଟୋ ଚାଳକ ଅଭିମନ୍ୟୁ ବାରିକ।

ମିଳିଥିବା ସୂଚନା ଅନୁସାରେ, ହେପାଜତ ସମୟରେ ପଚରାଉଚରା କରିବା ପାଇଁ ପୁଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଶ୍ୱନାଥ ମିଶ୍ରଙ୍କ ନେତୃତ୍ଵରେ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି। ଏହି ଟିମ୍‍ରେ ଥିବା ଅଧିକାରୀମାନେ ବିଶେଷ କରି ମମତା କ୍ଲିନିକ୍‍ର ଇତିହାସ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛନ୍ତି। ଏହା ସହ ମୃତ ସିକୁଙ୍କ ଭ୍ରୂଣକୁ ଫୋପାଡ଼ା ଯାଇଥିବା ପ୍ରକୃତ ସ୍ଥାନ ସମ୍ପର୍କରେ ଜାଣିବା ପାଇଁ ଅଟୋ ଚାଳକ ଅଭିମନ୍ୟୁଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି।  ସିକୁ ହତ୍ୟା ଘଟଣାରେ ଅଧିକ ତଥ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଗତକାଲି ପୁଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡ୍‍ରେ ନେବାପାଇଁ ଏସ୍‍ଡିଜେଏମ୍‍ଙ୍କ କୋର୍ଟରେ ଆବେଦନ କରିଥିଲା। ଘଟଣାର ଗୁରୁତ୍ଵକୁ ଉପଲବ୍‌ଧି କରି ଅଦାଲତ ଏହି ତିନିଜଣଙ୍କୁ ରିମାଣ୍ଡ୍‍ରେ ନେବା ପାଇଁ ପୁଲିସକୁ ଅନୁମତି ପ୍ରଦାନ କରିଥିଲେ। ଆଜି ଏକ ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ଅଭିଯୁକ୍ତମାନଙ୍କୁ ତିର୍ତ୍ତୋଲ ଥାନାରେ ପଚରାଉଚରା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣା ସମ୍ପର୍କରେ କେହି ମୁହଁ ଖୋଲୁନଥିଲେ ବି ମମତା କ୍ଲିନିକ୍‍ରେ ଏହିପରି ବେଆଇନ କାର୍ଯ୍ୟ ପୂର୍ବରୁ ବହୁଥର ହୋଇଥିବା ପୁଲିସ ଜାଣିବାକୁ ପାଇଛି। ଏଣୁ ଏହି କ୍ଲିନିକ୍‍ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପୁଲିସ ଡାକ୍ତର ମହାରଣାଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର