ଘଟଗାଁ: ଡେପୁଟେସନରେ ଡାକ୍ତର, ରୋଗୀସେବା ବିପର୍ଯ୍ୟସ୍ତ

ଘଟଗାଁ: ଘଟଗାଁ ବ୍ଲକ ବଡପିଛୁଳା ପଞ୍ଚାୟତର ଝାରବେଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡାକ୍ତର ଅଶୋକ ମିଶ୍ର ଡେପୁଟେସନରେ ଯିବା ପରେ ଏଭଳି ଅବସ୍ଥା ଭୋଗିବାକୁ ପଡ଼ୁଛି। ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ପିପିଳିଆ, ରୁଟିଶିଳା, ମନହରପୁର, ତୋରାଣୀ ପୋଖରୀ, ବଡପିଛୁଳା, ସରାସପଶି ଭୋଳବେଡା ପଞ୍ଚାୟତର ୩୦ ରୁ ଅଧିକ ଗ୍ରାମର ୨୦ହଜାର ଲୋକ ନିର୍ଭର କରିଥାନ୍ତି। ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଟି ଏଠାରୁ ପ୍ରାୟ ୩୦ କିଲୋମିଟର ଦୂର। ତେଣୁ ଲୋକେ ଘଟଗାଁ ନ ଆସି ଝାରବେଡ଼ା ଉପରେ ନିର୍ଭର କରିଥାନ୍ତି।

ଡାକ୍ତର ଅଶୋକ ମିଶ୍ର ଜଣେ ଶିଶୁ ବିଶେଷଜ୍ଞ। ନିକଟରେ ଲମ୍ବା ସମୟ ପାଇଁ ତାଲିମରେ ଯାଇ ଫେରିଥିଲେ। ତାଲିମରୁ ଫେରିବା ପରେ ତାଙ୍କୁ ଆନନ୍ଦପୁର ଉପଖଣ୍ତ ସୀମା ଶାଳଣିଆ ଡାକ୍ତରଖାନାକୁ ଡେପୁଟେସନରେ ପଠାଇ ଦିଆଯାଇଛି। ଶାଳଣିଆ ଡାକ୍ତରଖାନା ଭଦ୍ରକ ସୀମାରେ ହୋଇଥିବା ବେଳେ ଡାକ୍ତର ମିଶ୍ରଙ୍କ ଘର ମଧ୍ୟ ଭଦ୍ରକରେ। ସୁବିଧା ଦୃଷ୍ଟିରୁ ଘରପାଖକୁ ଡେପୁଟେସନରେ ଚାଲିଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।

ଝାରବେଡା ଡାକ୍ତରଖାନା ଉପରେ ନିର୍ଭର କରୁଥିବା ୨୦ ହଜାର ଲୋକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ବର୍ତମାନ ଘରେ ଘରେ ଜ୍ବର, ଝାଡାବାନ୍ତି ପ୍ରକୋପ ଦେଖାଯାଉଛି। ଏ ନେଇ ଘଟଗାଁ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୁକ୍ତିକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଡାକ୍ତର ମିଶ୍ର ଡେପୁଟେସନରେ ଯାଇଛନ୍ତି ସତ, କିନ୍ତୁ ଝାରବେଡାରୁ ଡାକ୍ତରଖାନାରୁ ଦରମା ପାଉଛନ୍ତି।

ଉଲ୍ଲେଖନୀୟ ସଂପୃକ୍ତ ଅଂଚଳିଟି ଆଦିବାସୀ ବହୁଳ ଅଂଚଳ। ଗରିବ ଅସହାୟ ଲୋକ ଅଭାବ ଅନଟନରେ ଅଛନ୍ତି। ତୁରନ୍ତ ସଂପୃକ୍ତ ଡାକ୍ତରଙ୍କ ଡେପୁଟେସନ ବାତିଲ କରି ଝାରବେଡା ଡାକ୍ତରଖାନାକୁ ଫେରାଇ ଆଣିବାପାଇଁ ୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଯାଜ୍ଞସେନୀ ମହାନ୍ତଙ୍କ ସମେତ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର