ରୋଗୀ ସେବା ଛାଡ଼ି ଖେଳୁଛନ୍ତି କ୍ରିକେଟ୍! ମେଡ଼ିକାଲ୍ ଅଫିସର୍-ଆସିଷ୍ଟାଣ୍ଟ୍ ସର୍ଜନକୁ ତାଗିଦ୍ କଲେ ସିଡିଏମ୍ଓ

୨/୩ ଘଣ୍ଟା ଅପେକ୍ଷା କରି ଫେରିଲେ ରୋଗୀ ଓ ସଂପର୍କୀୟ, ଭଗବାନଙ୍କ ଭରସାରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ରାୟଗଡ଼ା: ରୋଗୀ ସେବା ନୁହଁ, କ୍ରିକେଟ୍ ଖେଳକୁ ପ୍ରାଥମିକତା। ଖେଳ ନିଶା ଏମିତି ଯେ ୫ କି ୧୦ କିମି ନୁହଁ କାଶୀପୁରରୁ ୭୦ କିମି ଦୂର ଜିଲ୍ଲା ସଦର ମହକୁମା ରାୟଗଡ଼ାକୁ ଖେଳିବାକୁ ଆସିଛନ୍ତି ଦୁଇ ଡାକ୍ତର। ଅନ୍ୟ ସହଯୋଗୀ ଡାକ୍ତରଙ୍କ ହାତରେ ରୋଗୀସେବାର ଭାର ହସ୍ତାନ୍ତର କରି ଶନିବାର ଓ ରବିବାର ଦୁଇ ଦିନ ହେଡକ୍ବାର୍ଟର ଛାଡ଼ି ଦୁଇ ଡାକ୍ତରଙ୍କ କ୍ରିକେଟ ଖେଳାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

ଆଦିବାସୀ ଅଧ୍ୟୁଷିତ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ୧ ଲକ୍ଷରୁ ଉର୍ଧ୍ବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଥିବା ଏହି ଡାକ୍ତରଖାନା ରୋଗୀସେବାରେ ଅବହେଳାକୁ ନେଇ ସବୁବେଳେ ଚର୍ଚ୍ଚାରେ। ଜନନୀ ଯନ୍ତ୍ରଣାଠୁ ଆରମ୍ଭ କରି ଠିକ୍ ସମୟରେ ମେଡ଼ିକାଲରେ ଡାକ୍ତର ଅନୁପସ୍ଥିତ ଯୋଗୁ ଜରୁରିକାଳୀନ ଚିକିତ୍ସା ମିଳୁନଥିବାକୁ ନେଇ ବହୁ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିବାର ନଜିର ରହିଛି। ଏହା ସତ୍ତ୍ବେ ଦାୟିତ୍ବରେ ଥିବା ମେଡ଼ିକାଲ୍ ଅଫିସର୍ ଡା. ନେତ୍ରାନନ୍ଦ ନାୟକ ଓ ଡା. ରାବଡା ରାମା ରାଓ କ୍ରିକେଟ୍ ଖେଳିବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଛାଡ଼ି ରାୟଗଡ଼ା ଆସିବା ପୁଣି ଥରେ ଉପାନ୍ତ ଅଞ୍ଚଳରେ ରୋଗୀ ସେବା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚାନୁଯାୟୀ, ଆଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ନାୟକଙ୍କୁ କୌଣସି କାମରେ ସାକ୍ଷାତ କରିବା ପାଇଁ କିଛି ଲୋକ ଓ ରୋଗୀଙ୍କ ସଂପର୍କୀୟ ମେଡ଼ିକାଲକୁ ଯାଇଥିଲେ। ମେଡ଼ିକାଲ୍ ଅଫିସରଙ୍କ ପ୍ର‌କୋଷ୍ଠରେ ତାଲା ଝୁଲୁଥିବା ଦେଖି ୨/୩ ଘଣ୍ଟା ଅପେକ୍ଷା କରିଥିଲେ। ଦିନ ୧୨ଟା ପର୍ଯ୍ୟନ୍ତ ମେଡ଼ିକାଲ୍ ଅଫିସର୍ ନ ଆସିବା ପରେ ଅନ୍ୟ ସହଯୋଗୀ ଡାକ୍ତରଙ୍କୁ ଲୋକମାନେ ଓ ରୋଗୀ ସଂପର୍କୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସଂପର୍କରେ ପଚାରି ବୁଝିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ରାୟଗଡ଼ାକୁ କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ଯାଇଥିବା ସହଯୋଗୀ କର୍ମଚାରୀମାନେ କହିବା ପରେ ନିରାଶ ହୋଇ ଲୋକମାନେ ଫେରି ଆସିଥିଲେ। ମଧ୍ୟାହଣ୍ ସାଢ଼େ ୧ଟା ପର୍ଯ୍ୟନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ପ୍ରକୋଷ୍ଠରେ ତାଲା ଝୁଲୁଥିବା ବେଳେ ଆଉଟଡୋର୍ ୱାର୍ଡରେ ଦାୟିତ୍ବରେ ଥିବା ଡାକ୍ତରଙ୍କ ମଧ୍ୟ ଦେଖା ମିଳିନଥିଲା। ଶୀତ ଯୋଗୁ ଜଣେ ଡାକ୍ତର ବାହାରେ ବସି ରୋଗୀ ଚିକିତ୍ସା କରୁଥିଲେ।

ଏ ସଂପର୍କରେ ସିଡିଏମଓ ଡା. ଆର୍ତ୍ତବନ୍ଧୁ ନାୟକଙ୍କୁ ଅଭିଯୋଗ କରିବା ପରେ ସିଡିଏମଓ ଘଟଣାର ଖୋଳତାଡ଼ କରିଛନ୍ତି। କିଛି ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ଅନ୍ୟ ସହଯୋଗୀ ଡାକ୍ତରଙ୍କୁ ରୋଗୀ ସେବା ଦାୟିତ୍ବ ଦେଇ କ୍ରିକେଟ୍ ଖେଳିବାକୁ ଆସିଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ନାୟକ, ଆସିଷ୍ଟାଣ୍ଟ୍ ସର୍ଜନ୍ ଶ୍ରୀ ରାଓ ସ୍ବୀକାର କରିବା ପରେ ଉଭୟଙ୍କୁ ସିଡିଏମ୍ଓ ତାଗିଦ୍ କରିଥିବା ସୂଚନା ଦେଇଛନ୍ତି। ତେବେ କରୋନା ଭଳି ପରିସ୍ଥିତି ସମୟରେ ରୋଗୀ ସେବା ବଦଳରେ କାଶୀପୁରରୁ ରାୟଗଡ଼ାକୁ ଆସି ଡାକ୍ତରଙ୍କ କ୍ରିକେଟ୍ ଖେଳାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲାରେ ଯଦିଓ କରୋନା ନିୟନ୍ତ୍ରଣ ସ୍ଥିତିକୁ ଆସିଛି ହେଲେ କାଶୀପୁରରୁ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର