ଭୁବନେଶ୍ୱର: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡିଛି | ବ୍ରିଟେନ୍, ଆମେରିକା, ଋଷରେ ପ୍ରତ୍ୟେକ ଦିନ ହଜାର ହଜାର ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଥିରୁ ବାଦ ପଡିନି ଭାରତ । ଦେଶରେ ବି ଓମିକ୍ରନ ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଗତକାଲି ଓଡିଶାରେ ମଧ୍ୟ ୨ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଉ ଏହାରି ମଧ୍ୟରେ ବରିଷ୍ଠ ଡାକ୍ତର ଦିଗମ୍ବର ବେହେରାଙ୍କ ବୟାନ ରାଜ୍ୟବାସୀଙ୍କୁ ଆହୁରି ଆତଙ୍କିତ କରିପକାଇଛି । ବରିଷ୍ଠ ଡାକ୍ତର ଦିଗମ୍ବର ବେହେରା କହିଛନ୍ତି, ତୃତୀୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ବଡ ବଡ ବିଶେଷଜ୍ଞ ଡାକ୍ତର ମଧ୍ୟ ଏଭଳି ଆଶଙ୍କା କରିଛନ୍ତି । ଏହା କହିବା ପଛରେ ତିନୋଟି କାରଣ ରହିଛି । ଓମିକ୍ରନର ୬୦ଟି ମ୍ୟୁଟେସନ ହୋଇଛି । ତେଣୁ ଏହାର ପ୍ରଭାବ ଯଥେଷ୍ଟ ଅଧିକ । ଏହାଦ୍ୱାରା ଦ୍ରୁତ ସଂକ୍ରମଣ ବ୍ୟାପିବ । ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିବ । ଏହି ମ୍ୟୁଟେସନ କାରଣରୁ ଟିକାର ପ୍ରଭାବକୁ ହ୍ରାସ କରୁଛି । ଓମିକ୍ରନ କ୍ଷେତ୍ରରେ ଟିକା କାମ କରିବ କି ନାହିଁ ତାହା ସ୍ପଷ୍ଟ ଭାବେ କହି ହେବ ନାହିଁ । କିନ୍ତୁ ବିଦେଶରେ ଟିକା ନେଇଥିବା ଓ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଓମିକ୍ରନ ସଂକ୍ରମଣ ଦେଖିବାକୁ ମିଳିଛି ।

ଓମିକ୍ରନରେ ସଂକ୍ରମିତ ହେଲେ ଏହା ସାଂଘାତିକ ମଧ୍ୟ ହୋଇପାରେ । ଯଦି ବୟସ୍କ କିମ୍ବା ଅନ୍ୟ ରୋଗ ଥିବା ବ୍ୟକ୍ତି ଏଥିରେ ସଂକ୍ରମିତ ହୁଅନ୍ତି ତେବେ ହସ୍ପିଟାଲ ଉପରେ ଅଧିକ ଚାପ ପଡିବ ।ତେବେ ଲକଡାଉନ୍ ସଟଡାଉନକୁ ନେଇ ଡାକ୍ତର ଦିଗମ୍ବର ବେହେରା କହିଛନ୍ତି କି, ଲକଡାଉନ ଓ ସଟଡାଉନ ସଂକ୍ରମଣକୁ ରୋକିବାର ବିକଳ୍ପ ନୁହେଁ । ଏହାଦ୍ୱାରା ଆର୍ଥିକ ସମସ୍ୟା ଦେଖାଦେଉଛି । କିନ୍ତୁ ସଂକ୍ରମଣକୁ ରୋକିବାକୁ ଆମକୁ କିଛି ନିୟମ ମାନିବାକୁ ପଡିବ । ଯେପରିକି ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା |