କଟକ: ଦେଶର ଖ୍ୟାତନାମା ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକସ୍ଥିତ କନିକାଛକ ବାସଭବନରେ ସକାଳ ୧୦.୩୦ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଜଣେ ନ୍ୟୁରୋସର୍ଜନ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ସେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଥିଲେ । ଏଥିସହ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ସଫଳ ନ୍ୟୁରୋସର୍ଜନ ଭାବେ ତାଙ୍କର ଖ୍ୟାତି ଥିଲା। ଦିବଂଗତ ଡା.ରଥଙ୍କର ବିଶିଷ୍ଟ ସମାଜସେବୀ ଭାବେ ମଧ୍ୟ ଯଥେଷ୍ଟ ଖ୍ୟାତି ରହିଛି। ତାଙ୍କର ପରଲୋକରେ ରାଜ୍ୟର ବିଭିନ୍ନ ମହଲରେ ଶୋକର ବାତାବରଣ ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଡା.ରଥ ୧୯୩୪ ମସିହା ଜୁଲାଇ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୫୭ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍ବିବିଏସ୍ ଡିଗ୍ରି ହାସଲ କରିଥିଲେ। ୧୯୬୨ରେ ପାଟ୍ନା ବିଶ୍ବବିଦ୍ୟାଳୟର ସର୍ଜରି ବିଭାଗରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ଏହାପରେ ୧୯୬୫ରେ ସେ ଭେଲୋର୍ ମେଡିକାଲ୍ କଲେଜ୍ରୁ ନ୍ୟୁରୋସର୍ଜରିରେ ସ୍ନାତକୋତ୍ତର କରିିଥିଲେ। ୧୯୬୫ ମସିହାରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜରେ ସେ ସହକାରୀ ପ୍ରଫେସର୍ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ୧୯୯୧ ମସିହାରେ ଡକ୍ଟର ରଥ ଡିଏମ୍ଇଟିର ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ। ଡାକ୍ତର ସନାତନ ରଥ ଅନେକ ବିରଳ ଅସ୍ତ୍ରୋପଚାର କରିଥିଲେ। ତାଙ୍କ ଉଦ୍ୟମରେ ଓଡ଼ିଶାକୁ ପ୍ରଥମେ ସିଟି ସ୍କାନ୍ ମେସିନ୍ ଆସିଥିଲା।
ଡାକ୍ତର ସନାତନ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ସନାତନ ରଥଙ୍କ ଅବଦାନ ସର୍ବଦା ମନେ ରହିବ।