ସ୍ବନାମଧନ୍ୟ ଡାକ୍ତର ଶଶାଙ୍କ ଶେଖର ମିଶ୍ରଙ୍କ ପରଲୋକ

ଖଣ୍ଡପଡ଼ା: ଖଣ୍ଡପଡ଼ା ସହରାଞ୍ଚଳ ଅନ୍ତର୍ଗତ ୬ନଂ ୱାର୍ଡ ନିବାସୀ ଡାକ୍ତର ଶଶାଙ୍କ ଶେଖର ମିଶ୍ର (୭୩) ଙ୍କର ପରଲୋକ ଘଟିଛି। ତାଙ୍କ ମରଶରୀର ସୁଦୂର ହାଇଦ୍ରାବାଦରୁ ଆସିବା ପରେ ପରିବାରର ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୁତ୍ର ଦୁର୍ଗାପ୍ରସନ୍ନ ମିଶ୍ର ମୁଖାଗ୍ନି ଦେଇଛନ୍ତି। ସ୍ବର୍ଗତ ଡ. ମିଶ୍ର ୨ ମାସ ହେବ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ହାଇଦ୍ରାବାଦ୍‌ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଥିଲା। ଡ. ମିଶ୍ର ରାଜ୍ୟର ଜଣେ ସ୍ବନାମଧନ୍ୟ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ ବିଭାଗର ଡାକ୍ତର ଭାବେ ପରିଚିତ ଥିଲେ। ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚିକିତ୍ସା କ୍ଷେତ୍ରରେ ଜଡ଼ିତ ଥିବା ସ୍ବର୍ଗତ ମିଶ୍ର ପରୋପକାରୀ ତଥା ମିଷ୍ଟଭାଷୀ ବ୍ୟକ୍ତି ଭାବେ ଜନ୍ମମାଟି ଖଣ୍ଡପଡ଼ାରେ ପରିଚିତ ଥିଲେ। ସ୍ବର୍ଗତ ମିଶ୍ରଙ୍କ ବିୟୋଗରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ଜନ୍ମମାଟି ଖଣ୍ଡପଡ଼ାରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର