କେନ୍ଦୁଝର: ବହୁଚର୍ଚ୍ଚିତ ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାରେ ପୁଲିସ ଉଭୟଙ୍କ ମୋବାଇଲ କଲ ଡିଟେଲସ୍ ରିପୋର୍ଟ ସଂଗ୍ରହ କରିଛି। ଏହା ମୃତ୍ୟୁ ରହସ୍ୟକୁ ଉନ୍ମୋଚନ କରିବ ବୋଲି ପୁଲିସ ଆଶା ରଖିଥିବା କୁହାଯାଉଛି। ସେପଟେ ଘଟଣାକୁ ୭ ଦିନ ବିତି ଯାଇଥିଲେ ‌ହେଁ ମୃତ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ପାଖରେ ପୁଲିସ ପହଞ୍ଚି ପାରି ନାହିଁ। ଅନ୍ୟପଟେ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନରେ ଏକ ମାମଲା ରୁଜୁ ହୋଇଛି। ମାନବାଧିକାର କର୍ମୀ ହମାଂଶୁ ଶେଖର ନାୟକ କମିସନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ୪ ସପ୍ତାହ ମଧ୍ୟରେ ମୃତ ଶୁଭଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଅନ୍ୟପଟେ ପୁଲିସ ତଦନ୍ତରେ ସନ୍ଦେହ ପ୍ରକଟ କରି ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିବେଦନ କରିଛନ୍ତି।

Advertisment

ଯୋଡ଼ାରେ କାର୍ଯ୍ୟରତ ଡାକ୍ତର ଶୁଭଶ୍ରୀ କର ନୂଆବର୍ଷ ପୂର୍ବ ରାତିରେ ଜିରୋ ନାଇଟ୍‌ ସେଲିବ୍ରେସନ କରିବା ପରେ ପରଦିନ ତାଙ୍କର ମୃତଦେହ ମିଳିଥିଲା। ଦିନକୁ ଦିନ ଏହି ମାମଲା ଅଡୁଆ ସୂତାର ଖିଅ ଭଳି ଛନ୍ଦି ହେବାରେ ଲାଗିଛି। ମୃତ ଡାକ୍ତରାଣୀଙ୍କ ପୁରୁଷ ବନ୍ଧୁଙ୍କୁ ଖୋଜିବା ପାଇଁ ପୁଲିସ ଏକାଧିକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ବି ଏଯାଏ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଂଜନଙ୍କୁ ପାଇନାହିଁ। କିନ୍ତୁ ଇତିମଧ୍ୟରେ ପୁଲିସ ହାତରେ ଉଭୟ ଡାକ୍ତର ଶୁଭଶ୍ରୀ ଏବଂ ଡାକ୍ତର ଦିବ୍ୟରଂଜନଙ୍କ  କଲ ଡିଟେଲସ୍‌ ରିପୋର୍ଟ (ସିଡିଆର) ଲାଗିଛି। ଡାକ୍ତର ଶୁଭଶ୍ରୀ କର ଉଭୟ ଜିଓ ଏବଂ ଏଆରଟେଲ ନମ୍ବରରେ କଥା ହେଉଥିବା ବେଳେ ଡାକ୍ତର ଦିବ୍ୟରଂଜନଙ୍କ ପାଖରେ କିନ୍ତୁ ତିନୋଟି ସିମ୍‌ ଥିଲା। ଗୋଟିଏ ଜିଓ ନମ୍ବର ଥିବା ବେଳେ ଅନ୍ୟଟି ଏୟାରଟେଲ ଓ ବିଏସ୍‌ଏନ୍‌ଏଲ ନମ୍ବର ଥିଲା। ତେବେ ପୁଲିସ ଏହି ସବୁ ମୋବାଇଲ ସେବା ପ୍ରଦାନକାରୀ କମ୍ପାନି ପାଖରୁ  ଉଭୟଙ୍କ ସିଡିଆର ସଂଗ୍ରହ କରିଛି। କଲ ଡିଟେଲସ୍‌ ରିପୋର୍ଟରୁ ପୁଲିସ ସେମାନଙ୍କ ମଧ୍ୟରେ କିଭଳି ସଂପର୍କ ଥିଲା ଏବଂ ମୃତ୍ୟୁର କାରଣ କ’ଣ ହୋଇପାରେ ସୂଚନା ପାଇବ ବୋଲି କୁହାଯାଉଛି।

ଉଭୟ ଡାକ୍ତର ଶୁଭଶ୍ରୀ ଏବଂ ଡାକ୍ତର ଦିବ୍ୟରଂଜନ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରେ ପଢ଼ୁଥିଲେ। ସେତିକି ବେଳଠୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ସେମାନେ ଉଭୟ ଯୋଡା ଅଞ୍ଚଳରେ ଚାକିରି କରିବା ପରେ ସେମାନଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଂଜନ ତାଙ୍କ ସହିତ ଦୁଇଥର ଶାରୀରିକ ସମ୍ପର୍କ ରଖିବା ପରେ ଆଉ ଧରାଛୁଆଁ ଦେଇ ନଥିଲେ। ଏଥିନେଇ ଡାକ୍ତର ଶୁଭଶ୍ରୀ ଯୋଡ଼ା ଥାନାରେ ଡିସେମ୍ବର ୨୦ ତାରିଖ‌ରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ‌ ସେ ସଂପର୍କରେ କମିସନଙ୍କୁ ଜଣାଇବାକୁ ମଧ୍ୟ ମାନବାଧିକାର କର୍ମୀ ଶ୍ରୀ ନାୟକ କମିସନଙ୍କ ନିକଟରେ ନିବେଦନ କରିଛନ୍ତି।