ସୁନ୍ଦରଗଡ଼: ଧରୁଆଡିହି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଗର୍ଭପାତ ଅଭିଯୋଗକୁ ନେଇ କୁମୁଟିମୁଣ୍ଡାର ଆୟୁଷ ଡାକ୍ତରଙ୍କୁ ଡେପୁଟେସନରେ କୁଣ୍ଡୁକେଲା ସ୍ଥାନାନ୍ତର କରାଯାଇଛି। କିନ୍ତୁ ତାଙ୍କ ବିରୋଧରେ ପୀଡ଼ିତାଙ୍କ ମା’ ଦାଖଲ କରିଥିବା ଏତଲା ଉପରେ ପୁଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। କେବଳ ଅଭିଯୋଗ ସମ୍ପର୍କରେ ଡାକ୍ତରଙ୍କୁ ପଚରାଉଚରା କରି ଛାଡ଼ି ଦେଇଛି। ସେ ଗର୍ଭପାତ କରି ନଥିବା ସଫେଇ ଦେବା ପରେ ପୁଲିସ ଚୁପଚାପ ଫେରି ଆସିଥିବା ଚର୍ଚ୍ଚା ହେଉଛି। ଡାକ୍ତରଙ୍କ ନାମରେ କେବଳ ଗର୍ଭପାତ ଅଭିଯୋଗ ହୋଇନି, ସେ ୧୦ ବର୍ଷରୁ ଅଧିକ ସମୟ ଧରି ଉକ୍ତ ଡାକ୍ତରଖାନାରେ ରହିଥିବା ବେଳେ ଆୟୁଷ ଡାକ୍ତର ହୋଇ ମଧ୍ୟ ଡାକ୍ତରଖାନା ଓ ଘରେ ଖୋଲାଖୋଲି ଏଲୋପ୍ୟାଥିକ ଚିକିତ୍ସା କରୁଥିବା ଦେଖାଯାଇଛି। ରୋଗୀଙ୍କୁ ସାଲାଇନ୍, ଇଂଜେକ୍ସନ ସହ ଏଲୋପ୍ୟାଥିକ ଔଷଧ ଦେଇ ଚାଲିଛନ୍ତି। ଯାହା ସମ୍ପର୍ଣ୍ଣ ବେଆଇନ। ତେଣୁ ଏଲୋପ୍ୟାଥିକ ଚିକିତ୍ସା ଓ ବେଆଇନ ଭାବେ ନାବାଳିକାଙ୍କ ଗର୍ଭପାତ କରାଇଥିବା ଅଭିଯୋଗ ଉପରେ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ନହେଲେ ଆଗକୁ ଏପରି ବେଆଇନ କାମ କରିବାକୁ ଡାକ୍ତରଙ୍କ ମନରେ କୌଣସି ଭୟ ବା ଦ୍ବିଧା ରହିବ ନାହିଁ ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି।
ପୀଡ଼ିତାଙ୍କ ମା’ ଦେଇଥିବା ଏତଲା ଅନୁସାରେ, ନାବାଳିକା ଲେଫ୍ରିପଡ଼ା ଥାନା ଅଞ୍ଚଳରେ ମାମୁ ଘରେ ରହି ପାଠ ପଢ଼ୁଥିଲେ। ଏହି ସମୟରେ କୁନୁ କିସାନ ନାବାଳିକାକୁ ଭୁଲାଇ ଦୁଷ୍କର୍ମ କରିଥିଲା। ଗାଁକୁ ଆସିବା ପରେ ଝିଅ ଅସୁସ୍ଥ ହେବାରୁ ଗତ ଜୁଲାଇ ୪ ତାରିଖରେ ମା’ ସମ୍ପୃକ୍ତ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ମା’କୁ ବାହାରେ ବସିବାକୁ କହି ଝିଅକୁ ଭିତରକୁ ନେଇ କିଛି ଔଷଧ ଦେଇଥିଲେ। ଝିଅ ଗର୍ଭବତୀ ଥିବା ସମ୍ପର୍କରେ ମା’ଙ୍କୁ କିଛି ସୂଚନା ଦେଇ ନଥିଲେ ଡାକ୍ତର। ମା’ ଝିଅ ଘରକୁ ଫେରି ଆସିଥିଲେ। କିଛି ଦିନ ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଝିଅ ଏକୁଟିଆ ତାଙ୍କ ପାଖକୁ ଯାଇ ଗର୍ଭପାତର ଔଷଧ ନେଇ ଆସି ଖାଇବା ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେ ଅସୁସ୍ଥ ହୋଇପଡ଼ିଲେ। ରକ୍ତସ୍ରାବ ବନ୍ଦ ନହେବାରୁ ଝିଅକୁ ଧରି ମା’ ଡାକ୍ତର ପାଖକୁ ପୁଣି ଯାଇଥିଲେ। ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ କରିନେବାକୁ କହିଥିଲେ। ଏହା ପରେ ମା’ ଅଗଷ୍ଟ ପ୍ରଥମ ସପ୍ତାହରେ ଝିଅକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେତେବେଳେ ପରୀକ୍ଷା ପରେ ଝିଅ ଗର୍ଭବତୀ ଥିଲା ଓ ତାର ଗର୍ଭପାତ କରାଯାଇଥିବା ଜାଣିବାକୁ ପାଇଥିଲେ। ସରକାରୀ ଡାକ୍ତରଖାନାରେ ଜଣେ ଆୟୁଷ ଡାକ୍ତର ଅଭିଭାବକଙ୍କୁ ନଜଣାଇ ଏଲୋପ୍ୟାଥିକ ଔଷଧରେ ଗର୍ଭପାତ କରି ଝିଅର ଜୀବନକୁ ବିପଦରେ ପକାଇଥିବାରୁ ଗତ ୨୬ ତାରିଖରେ ପୀଡ଼ିତାଙ୍କ ମା’ ଧରୁଆଡିହି ଥାନାରେ ଏତଲା ଦେଇଥିଲେ। ତେବେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାବେଳେ ଏତଲା ପ୍ରତ୍ୟାହାର ପାଇଁ ମା’ ଉପରେ ଚାପ ପଡ଼ୁଥିବା ସୂଚନା ଆସିଛି।