ସମ୍ବଲପୁର: ଶିଶୁ ରୋଗୀ ରୂପାଲି ସେଠ୍ ଏବଂ ଡାକ୍ତର ଶଂକର ରାମଚନ୍ଦାନୀଙ୍କ ସଂପର୍କ ଏକଦା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଡା. ରାମଚନ୍ଦାନୀ ପିଜି ଛାତ୍ର ଥିବାବେଳେ ବୁର୍ଲା ବଡ଼ ଡାକ୍ତରଖାନାକୁ ଆସିଥିବା ରୂପାଲିର ସେବା ଯତ୍ନ ଝିଅ ଭଳି କରିଥିଲେ। ନେଫ୍ରୋଟିକ୍ ସିଣ୍ଡ୍ରୋମ୍ ନାମକ ରୋଗରେ ପୀଡ଼ିତ ରୂପାଲିର ଦେହ ଅସ୍ବାଭାବିକଭାବେ ଫୁଲି ଯାଇଥିଲା। ବେଶ କିଛି ମାସ ବୁର୍ଲା ଡାକ୍ତରଖାନାରେ ରହି ସେ ଚିକିତ୍ସିତ ହୋଇଥିଲା। ଡା. ପ୍ରକାଶ ପଣ୍ଡାଙ୍କ ତତ୍ତ୍ବାବଧାନରେ ଚିକିତ୍ସା ଓ ଡା. ରାମଚନ୍ଦାନୀଙ୍କ ସେବା, ଯତ୍ନ, ଆର୍ଥିକ ସହଯୋଗ ବଳରେ ରୂପାଲି ସଂପୂର୍ଣ୍ଣ ଠିକ୍ ହୋଇ ନିଜ ଗାଁକୁ ଫେରିଥିଲା। ବୁର୍ଲାରୁ ଯିବା ପରେ ବି ଡା. ରାମଚନ୍ଦାନୀ ଅନେକ ବାର ରୂପାଲିର ଗାଁକୁ ଯାଇ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରି ଆସୁଥିଲେ। ଏବେ ପ୍ରାୟ ୪ ବର୍ଷ ପରେ ରୂପାଲିର ପୁରୁଣା ରୋଗ ପୁଣିଥରେ ବାହାରିଛି। ୟୁରିନ୍ରେ ପ୍ରୋଟିନ୍ ଚାଲି ଯିବା କାରଣରୁ ତା’ର ଶରୀର ପୁଣିଥରେ ଫୁଲିବାକୁ ଲାଗିଛି। ଏହା ଜାଣିବା ପରେ ଡା. ରାମଚନ୍ଦାନୀ ନିଜେ ଯାଇ ରୂପାଲି ଓ ତା’ ମା’ବାପାଙ୍କୁ ବୁର୍ଲା ଆଣିଛନ୍ତି। ଡାକ୍ତରଖାନାରେ ବର୍ତ୍ତମାନ ସଂକ୍ରମଣର ଭୟ ରହିଥିବାରୁ ଡା. ରାମଚନ୍ଦାନୀ ରୂପାଲିକୁ ବୁର୍ଲାସ୍ଥିତ ନିଜ ଘରେ ରଖି ଚିକିତ୍ସା କରାଉଛନ୍ତି। ଡା. ପ୍ରକାଶ ପଣ୍ଡା ରୂପାଲିର ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ତା’ର ସ୍ବାସ୍ଥ୍ୟାବସ୍ଥା ଟିକେ ଭଲ ଅଛି। କିନ୍ତୁ ଆବଶ୍ୟକ ହେଲେ ତାକୁ କଟକ ପଠାଇବାକୁ ପଡ଼ିପାରେ ବୋଲି ସେ କହିଛନ୍ତି। ଡା. ରାମଚନ୍ଦାନୀ ରୂପାଲିର ମା’ବାପାଙ୍କର ବି ରହିବା ବ୍ୟବସ୍ଥା କରାଇଛନ୍ତି। ଘରେ ଡା. ରାମଚନ୍ଦାନୀ ଓ ତାଙ୍କ ପତ୍ନୀ ଡା. ଶିଖା ରାମଚନ୍ଦାନୀ ଝିଅ ଭଳି ରୂପାଲିର ଯତ୍ନ ନେବା ସହ ତାର ପୋଷାକ, ଖାଦ୍ୟ ଓ ଔଷଧ ଆଦି ସମସ୍ତ ବ୍ୟବସ୍ଥା କରିଛନ୍ତି।
ଶିଶୁ ରୋଗୀକୁ ନିଜ ଘରେ ରଖି ଚିକିତ୍ସା କରାଉଛନ୍ତି ଡାକ୍ତର
/sambad/media/post_attachments/wp-content/uploads/2020/04/fsh7sf98h7fs98h7s98fh7s98fh798sfhsfhsfhsfhsfhsfhhsfhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)