ବ୍ଲାକ୍ ଫଙ୍ଗସ୍‌ର ଶିକାର ହେଲେ ଡାକ୍ତର

ରାଜ୍ୟରେ ୧୮ ଆକ୍ରାନ୍ତ, ୩ ମୃତ

ଭୁବନେଶ୍ବର : ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ି ଚାଲିଛି। ଏପରିକି ରାଜଧାନୀର ଜଣେ ଡାକ୍ତର ଦୁଇଦିନ ତଳେ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବା କୁହାଯାଉଛି। ଏହାକୁ ମିଶାଇ ରାଜ୍ୟରେ ସରକାରୀ ଭାବେ ୧୮ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩ଜଣ ପ୍ରାଣ ହରାଇଛନ୍ତି। ଚଳିତ ମାସ ୧୧ତାରିଖରେ ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଏହା ପରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ମାତ୍ର ପ୍ରଥମ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତ ରୋଗୀ ଜଣକ କିଛି ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଏହି ସଂଖ୍ୟା ଏବେ ୩ ଛୁଇଁଲାଣି। ରାଜଧାନୀର ଏକାଧିକ ଘରୋଇ ହସ୍ପିଟାଲ ସମେତ ଏମ୍‌ସରେ ବ୍ଲାକ୍ ଫଙ୍ଗସ୍‌ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

କୋଭିଡରୁ ସୁସ୍ଥ ହେବା ପରେ ଲୋକମାନେ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହେଉଛନ୍ତି। ଅଧିକ ମାତ୍ରାରେ ଷ୍ଟେରୋଏଡ୍‌ର ବ୍ୟବହାର, ଅନିୟନ୍ତ୍ରିତ ରକ୍ତ ଶର୍କରା ଓ ଦୂଷିତ ଅକ୍ସିଜେନ୍ ସିଲିଣ୍ଡର ବ୍ୟବହାର ଯୋଗୁଁ ସଂକ୍ରମଣ ବ୍ୟାପୁଥିବା ବିଶେଷଜ୍ଞମାନେ ଦାବି କରୁଛନ୍ତି। ରାଜ୍ୟ ସରକାର ବ୍ଲାକ୍ ଫଙ୍ଗସ୍‌କୁ ଏକ ନୋଟିଫାଏଡ୍ ରୋଗ ଭାବେ ଘୋଷଣା କରିଥିବା ବେଳେ ଏଥିପାଇଁ ୫ଜଣିଆ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ଏହାସହ ସବୁ ମେଡିକାଲ କଲେଜକୁ ନିଜ ନିଜ ସ୍ତରରେ କମିଟି ଗଠନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ବ୍ଲାକ୍ ଫଙ୍ଗସ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଆମ୍ପୋଟେରିସିନ୍-ବି ଇଞ୍ଜେକସନ୍‌ର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଓଡ଼ିଶା ପାଇଁ ଏ ପର୍ଯ୍ୟନ୍ତ ୧୦୦ ଭାଏଲର ଏହି ଇଞ୍ଜେକସନ୍‌ ଆବଣ୍ଟିତ କରିଛନ୍ତି। ରାଜ୍ୟ ଔଷଧ ନିଗମ ନିକଟରେ ଏହି ଇଞ୍ଜେକସନ୍ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର