ପୁରୀ: ପୁରୀ ରେଳବାଇ କଲୋନି ପରିସରରେ ଜଣେ ଡାକ୍ତର ପତ୍ନୀଙ୍କୁ ନୃଶଂସ ଭାବେ ହତ୍ୟା କରାଯିବା ଘଟଣାକୁ ଦୁଇଦିନ ବିତିଥିବା ବେଳେ ପୁଲିସକୁ ଏଯାଏ କୌଣସି ସଫଳତା ମିଳିନାହିଁ। ତେବେ ଏହି ମାମଲାରେ ପୁଲିସକୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ତଦନ୍ତ ବ୍ୟାହତ ଆଶଙ୍କାରେ ପୁଲିସ ସେସବୁକୁ ଗୋପନ ରଖିଛି। ଅନ୍ୟପକ୍ଷରେ ଏହି ହାଇପ୍ରୋଫାଇଲ ମର୍ଡର ଘଟଣାରେ ରେଳବାଇ ଡାକ୍ତରଖାନାର ଜଣେ ନର୍ସଙ୍କୁ ଅଟକ ରଖିଛି ପୁଲିସ। ସଂପୃକ୍ତ ନର୍ସଙ୍କ ସ୍ବାମୀ ହତ୍ୟାକାଣ୍ଡ ରଚାଇଥିବା ନେଇ ମୃତକଙ୍କ ସ୍ବାମୀ ଡାକ୍ତର ସଂଜୀବ କୁମାର ସାହୁ ଅଭିଯୋଗ କରିବା ପରେ ପୁଲିସ ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ତଦନ୍ତ ପରିସରକୁ ନେଇଛି। ଗତକାଲି ରାତିରେ ସମୁଦ୍ରକୂଳ ଥାନାରେ ଏହି ନର୍ସଙ୍କୁ ସିଟି ଡିଏସ୍ପି ପ୍ରଶାନ୍ତ ପଟ୍ଟନାୟକ ଗୁଡେଇତୁଡେଇ ଜେରା କରିଥିଲେ। ହତ୍ୟାକାଣ୍ଡର ପୃଷ୍ଠଭୂମି ଉପରେ ତାଙ୍କଠୁ ଅନେକ ତଥ୍ୟ ମିଳିଥିବା କୁହାଯାଉଛି। ଥାନାରେ ଅଟକ ଥିବା ଏହି ନର୍ସଙ୍କ ସ୍ବାମୀଙ୍କୁ ପୁଲିସ ବର୍ତ୍ତମାନ ଖୋଜୁଛି। ଅନ୍ୟପଟେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ସୁଜାତା ସାହୁଙ୍କର ଶବ ବ୍ୟବଚ୍ଛେଦ କରାଯିବା ପରେ ସ୍ବର୍ଗଦ୍ବାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ରେଳବାଇ କଲୋନିରେ ଡାକ୍ତର ସଂଜୀବ କୁମାର ସାହୁଙ୍କୁ ମିଳିଥିବା କ୍ବାର୍ଟରକୁ ପୁଲିସ ସିଲ୍ କରି ତଦନ୍ତକୁ ଜୋରଦାର କରିଛି। ଗତକାଲି ଦ୍ବିପ୍ରହରରେ ରେଳବାଇ କ୍ବାର୍ଟର ଭିତରେ ଡାକ୍ତର ସଂଜୀବ ସାହୁଙ୍କ ପତ୍ନୀ ସୁଜାତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ କୌଣସି ଏକ ଭାରି ଜିନିଷରେ ଛେଚି ହତ୍ୟା କରିଥିଲେ। ପତ୍ନୀଙ୍କ ହତ୍ୟା ପଛରେ ତାଙ୍କ ଡାକ୍ତରଖାନାର ନର୍ସଙ୍କ ସ୍ବାମୀଙ୍କୁ ସନ୍ଦେହ କରିଥିଲେ ଡାକ୍ତର ସଂଜୀବ ସାହୁ। ତେବେ ଏହି ମାମଲା ଭିତରେ ପଶିବାକୁ ପୁଲିସକୁ ବେଶି ସମୟ ଲାଗିନଥିଲା। କାରଣ ନର୍ସ ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗିରହିଛି। ଏମିତିକି ସେମାନେ ବାରମ୍ବାର ସମୁଦ୍ରକୂଳ ଥାନାକୁ ଯାଇଛନ୍ତି। ଖାଲି ସେତିକି ନୁହେଁ, ସମ୍ପୃକ୍ତ ନର୍ସଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟଚାଲାଣ ମଧ୍ୟ କରିଥିଲା। ଅନ୍ୟପକ୍ଷରେ ନର୍ସଙ୍କ ସହିତ ଡାକ୍ତର ସାହୁଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି ବୋଲି ପତ୍ନୀ ସୁଜାତା ସନ୍ଦେହ କରୁଥିବା କଲୋନିରେ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ନେଇ ସମ୍ପୃକ୍ତ ନର୍ସ, ଡାକ୍ତର ସାହୁ ଏବଂ ସୁଜାତାଙ୍କ ମଧ୍ୟରେ ବାକ୍ବିତଣ୍ଡା ହୋଇଥିବା କୁହାଯାଉଛି। ଏପରିକି ଡାକ୍ତର ସାହୁ ଓ ସମ୍ପୃକ୍ତ ନର୍ସଙ୍କ ମଧ୍ୟରେ ଟେଲିଫୋନରେ ହୋଇଥିବା ବାର୍ତ୍ତାଳାପ (ଭଏସ୍ ରେକର୍ଡ)କୁ ନର୍ସଙ୍କ ସ୍ବାମୀ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା ପୁଲିସ ଜାଣିବାକୁ ପାଇଛି।
ଡାକ୍ତର ପତ୍ନୀଙ୍କୁ ହତ୍ୟା ଘଟଣା, ନର୍ସଙ୍କୁ ଜେରା
ପୁଲିସ ହାତରେ, ଗୁରୁତ୍ବପୂର୍ଣ୍ଣ ତଥ୍ୟ
/sambad/media/post_attachments/wp-content/uploads/2018/12/Untitled-5-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)