ଫେବ୍ରୁଆରି ୧ରୁ ଡାକ୍ତରଙ୍କ ଦୁଇଦିନ ସମୂହ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରି ୧ ତାରିଖରୁ ଦୁଇଦିନ ପାଇଁ ଡାକ୍ତର ସମୂହ ଛୁଟିରେ ଯିବେ। ଡିଏସିପି ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ନେଇ ଆଜି ରାଜ୍ୟ ମେଡିକାଲ ସେବା ସଂଘ ବା ଓମ୍‌ସା ପକ୍ଷରୁ ଅନୁଷ୍ଠିତ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓମ୍‌ସାର ସାଧାରଣ ସଂପାଦକ ଡା.ପୁଣ୍ୟଶ୍ଳୋକ ଦାସ କହିଛନ୍ତି ଯେ, ଗତବର୍ଷ ନଭେମ୍ବର ୧୧ରେ ସ୍ବାସ୍ଥ୍ୟ ସଚିବଙ୍କ ସହିତ ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା। ଡିଏସିପି ପ୍ରସ୍ତାବ ଦାବିପତ୍ର ଦିଆଯିବା ନେଇ ସଚିବ କହିଥିଲେ। ପରେ ଡିସେମ୍ବର ୬ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା ହୋଇଥିଲା। ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କ‌ରି ଡିଏସିପି ସଂପର୍କରେ ବିଚାର କରାଯିବ ବୋଲି ମନ୍ତ୍ରୀ କହିଥିଲେ। ମାତ୍ର ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ତେଣୁ ସଂଘ ପକ୍ଷରୁ ଦୁଇଦିନିଆ ସମୂହ ଛୁଟି ଘୋଷଣା ନେଇ ବୈଠକରେ ସ୍ଥିର ହୋଇଥିବା ଡା.ଦାସ ସୂଚନା ଦେଇଛନ୍ତି। ଏହି ବୈଠକରେ ସଭାପତି ଡା.ନିରାକାର ଭଟ୍ଟ, ଉପସଭାପତି ଡା.ପବିତ୍ର ମଲ୍ଲିକ, ଡା.ଜ୍ୟୋତିର୍ମୟ ନାୟକ, ପର୍ଶୁରାମ ନାୟକ, କ୍ଷୀରୋଦ ପାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ସିଡିଏମ୍‌ଓମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର