ବ୍ଲାକ ଫଙ୍ଗସ୍‌ ରୋଗୀଙ୍କ ପାଇଁ ବିକଳ୍ପ ଚିକିତ୍ସା କରୁଛନ୍ତି ଡାକ୍ତର

ଆମ୍ପୋଟେରିସିନ୍‌ର ଉତ୍କଟ ଅଭାବ, ରାଜ୍ୟରେ ୩ଜଣଙ୍କ ଜୀବନ ନେଲାଣି ବ୍ଲାକ୍‌ ଫଙ୍ଗ୍‌ସ

ଭୁବନେଶ୍ବର : ରାଜ୍ୟରେ ବ୍ଲାକ୍ ଫଙ୍ଗସ୍‌ ବା ମ୍ୟୁକର ମାଇକୋସିସ୍‌ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଛି। କୋଭିଡ୍‌ରୁ ସୁସ୍ଥ ହେଉଥିବା ଲୋକମାନେ ଏଥିରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ସରକାରୀ ଭାବେ ଏହା ୧୮ରେ ପହଞ୍ଚିଥିଲେ ହେଁ ବାସ୍ତବରେ ଏହି ସଂଖ୍ୟା ଆହୁରି ଅଧିକ ବେଲି ଡାକ୍ତରୀ ମହଲରେ କୁହାଯାଉଛି। ହେଲେ ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଥିବା ଆମ୍ପୋରେଟିସିନ୍-ବି ଇଞ୍ଜେକସନ୍‌ର ଉତ୍କଟ ଅଭାବ ରହିଥିବାରୁ ଏହି ରୋଗୀଙ୍କ ପାଇଁ ଡାକ୍ତରମାନେ ବିକଳ୍ପ ଚିକିତ୍ସା ଆପଣାଉଥିବା ନଜରକୁ ଆସୁଛି। ତେବେ ପାରମ୍ପରିକ ଚିକିତ୍ସାରେ ରୋଗୀମାନେ ସୁସ୍ଥ ହେବାକୁ ଅଧିକ ସମୟ ଲାଗିଥାଏ, ତେଣୁ ଅନ୍ୟ କିଛି ଉପାୟ ନ ଥିବାରୁ ଏହାକୁ ଜାରି ରଖିବାକୁ ବାଧ୍ୟ ହେଉଥିବା ଡାକ୍ତରମାନେ କହୁଛନ୍ତି।

ବ୍ଲାକ୍ ଫଙ୍ଗସ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଆମ୍ପୋଟେରିସିନ୍-ବି ହେଉଛି ଡାକ୍ତରଙ୍କ ଡ୍ରଗ୍ ଅଫ ଚଏସ୍‌ ବା ପସନ୍ଦର ଔଷଧ। ମାତ୍ର ହଠାତ୍ ଦେଶବ୍ୟାପୀ ଏହି ଇଞ୍ଜେକସନ୍‌ର ଚାହିଦା ବଢ଼ି ଯାଇଥିବାରୁ ଏହାର ଉତ୍କଟ ଅଭାବ ପରିଲକ୍ଷିତ ହେଉଛି। ଓଡ଼ିଶାକୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୫୦ ଭାଏଲର ଆମ୍ପୋଟେରିସିନ୍-ବି ଆସିଛି। ହେଲେ ରୋଗୀଙ୍କ ଚିକିତ୍ସା ପାଇଁ ଏହା ସମୁଦ୍ରକୁ ଶ‌ଙ୍ଖେ ଭଳି। ଜଣେ ରୋଗୀଙ୍କୁ ପ୍ରତ୍ୟେକ ଦିନ ୬ଟି ଭାଏଲ ଦିଆଯାଉଥିବା ବେ‌ଳେ ଅତି କମ୍‌ରେ ଏହାକୁ ୧୪ଦିନ ପାଇଁ ଦେବାକୁ ପଡ଼ିବ। ତେଣୁ ଓଡ଼ିଶାକୁ ଏହି ଇଞ୍ଜେକସନ୍ ଯେତିକି ସଂଖ୍ୟାରେ ଆସିଛି, ତାହା କେବଳ ‌ଗୋଟିଏ ରୋଗୀଙ୍କୁ ଦେଢ଼ ଦିନ ଦିଆଯାଇ ପାରିବ।

ଅପରପକ୍ଷରେ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍ ଜନିତ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୩ ଛୁଇଁଛି। ଗୋଟିଏ ପଟେ ଇଞ୍ଜେକସନ୍‌ର ଉତ୍କଟ ଅଭାବ ଓ ଅନ୍ୟପଟେ ବ୍ୟାପକ ସଚେତନତା ନ ଥିବାରୁ ଏହା ଲୋକଙ୍କ ପାଇଁ ଭାରି ପଡ଼ିପାରେ। ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲାକ୍ ଫଙ୍ଗସ୍‌କୁ ଏକ ନୋଟିଫାଏ ରୋଗ ଭାବେ ଘୋଷଣା କରାଯାଇଛି। ଫଳରେ ରାଜ୍ୟର କୌଣସି ସ୍ଥାନରେ ଏହି ରୋଗୀ ଚିହ୍ନଟ ହେଲେ, ସଂପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଏ ସଂପର୍କରେ ସୂଚନା ଦେବେ।

ତେବେ କୋଭିଡ ଭଳି ବ୍ଲାକ୍ ଫଙ୍ଗସ୍‌ର ମଧ୍ୟ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଥିବା ବିଶେଷଜ୍ଞମାନେ କହୁଛନ୍ତି। ସମ୍‌ ହସ୍ପିଟାଲର ଇଏନ୍‌ଟି ବିଭାଗର ଡା. ରାଧାମାଧବ ସାହୁ କହିଛନ୍ତି, ଏହା ଏକ ବିରଳ ରୋଗ। ହେଲେ ଏଥିରେ ଫାଟାଲିଟି ରେଟ୍‌ ବା ମୃତ୍ୟୁହାର ୫୦ ପ୍ରତିଶତ। ଏହା ଏକାଧିକ ଅଙ୍ଗକୁ ଆକ୍ରାନ୍ତ କରୁଥିବାରୁ ଠିକ୍ ସମୟରେ ଯଦି ରୋଗୀଙ୍କୁ ଚିହ୍ନଟ କରା ନ ଯାଏ, ତାହାଲେ ରୋଗୀଙ୍କ ଅଙ୍ଗକୁ କଢ଼ାଯିବା ଭଳି ପରିସ୍ଥିତି ଉପୁଜିପାରେ। ମ୍ୟୁକର ପାଇଁ ଆମ୍ପୋଟେରିସିନ୍-ବି ଇଞ୍ଜେକସନ୍ ବେଶ୍ ଫଳପ୍ରଦ ହୋଇଥାଏ। ହେଲେ ଦେଶବ୍ୟାପୀ ଏହାର ଅଭାବ ରହିଥିବାରୁ ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ‌ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଆପଣାଉଛନ୍ତି। ପାରମ୍ପରିକ ଚିକିତ୍ସା ପଦ୍ଧତି ଯେ ରୋଗୀଙ୍କୁ ସୁରକ୍ଷା ଦେଇପାରିବ, ତା’ ନୁ‌ହେଁ, ହେଲେ ଏଥିରେ ରୋଗୀଙ୍କୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗିଥାଏ। ସମ୍‌ରେ ଚିକିତ୍ସିତ ହେଉଥିବା ଏକାଧିକ ଆକ୍ରାନ୍ତ ସୁସ୍ଥ ହୋଇଗଲେଣି ବୋଲି ଡା. ସାହୁ କହିଛନ୍ତି।

ରାଜ୍ୟରେ ବ୍ଲାକ୍‌ ଫଙ୍ଗସର ମୁକାବିଲା ପାଇଁ ରାଜ୍ୟ ସରକାର ୭ଜଣିଆ ଡାକ୍ତରୀ କମିଟି ଗଠନ କରିଛନ୍ତି। ଏହି କମିଟି ସଦସ୍ୟ ପ୍ରଫେସର୍‌ ଡା. ଜୟନ୍ତ ପଣ୍ଡା କହିଛନ୍ତି, ଆମ୍ପୋଟେରିସିନ୍‌-ବି ହେଉଛି ଡାକ୍ତରଙ୍କ ଡ୍ରଗ୍ ଅଫ ଚଏସ୍‌। ହେଲେ ଏହାର ମୁକାବିଲା ପାଇଁ ଅନ୍ୟ ଔଷଧ ମଧ୍ୟ ରହିଛି। ପୋସାକୋନାଜୋଲ ଭଳି ଅନ୍ୟ ଔଷଧ ମଧ୍ୟ ଦିଆଯାଇପାରିବ। ଏହା ରାଜ୍ୟରେ ଉପଲବ୍ଧ ହେଉଥିବା ଡା. ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର