କଟକ : ରାଜ୍ୟର ବରିଷ୍ଠ ସ୍ତ୍ରୀ-ରୋଗ ଓ ପ୍ରସୂତି ବିଶେଷଜ୍ଞ ପ୍ରଭାତ ନଳିନୀଙ୍କ ମହାନ୍ତିଙ୍କ ଭୁବନେଶ୍ବରର ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। କିନ୍ତୁ କରୋନାକୁ ନେଇ ସେ କରିଥିବା ଶେଷ ଟୁଇଟ୍ ଏବେ ଚର୍ଚ୍ଚାରେ ରହିଛି। ଟୁଇଟ୍ରେ ସେ ଲେଖିଥିଲେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ଜଳାଇ ନଦେଇ ଗବେଷଣା ପାଇଁ ସଂରକ୍ଷିତ ରଖିବା ଉଚିତ୍। ଯାଦ୍ୱାରା କରୋନା ସଂକ୍ରମିତଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ତେବେ ଦୁର୍ଭାଗ୍ୟ, ଏ ସଂପର୍କରେ ସେ ସ୍ୱର ଉଠାଇବାର କିଛିଦିନ ପରେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।
ଡାକ୍ତର ପ୍ରଭାତ ନଳିନୀଙ୍କ ବେଶ୍ ନାଁ ରହିଛି। ସେ ଆଇଜିଏଚ୍ ରାଉରକେଲାରେ ଚିକିତ୍ସା ବିଶେଷଜ୍ଞ ଥିଲେ। ଅବସର ପରେ ଭୁବନେଶ୍ବରରେ ରହି ଚିକିତ୍ସା ମଧ୍ୟ କରୁଥିଲେ। ତାଙ୍କ ଶେଷ ଟୁଇଟ୍ ହେଲା, ଫୁସ୍ଫୁସ୍ ଅକାମୀ ହୋଇଯିବା ଫଳରେ ଅନେକ ରୋଗୀଙ୍କ ମୃତ୍ୟୁ ଘଟୁଛି। କିନ୍ତୁ ମୃତଦେହକୁ ତରବରିଆ ଭାବେ ଜାଳି ଦିଆ ନଯାଇ ତାର ପରୀକ୍ଷଣ କରାଗଲେ ରୋଗର ପ୍ରକୃତ କାରଣ ଜଣାପଡ଼ିବ। ରାଜ୍ୟରେ ମୃତ୍ୟୁସଂଖ୍ୟା ବଢୁଛି, କିନ୍ତୁ ତାର ପ୍ରକୃତ କାରଣ ଖୋଜାଯାଉନି। ଦ୍ବିତୀୟ ଡୋଜ୍ ଟିକା ନେବାର ୪୦ଦିନ ପରେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ପୁଅ ମନୋଜ ଦାସ ସୂଚନା ଦେଇଛନ୍ତି। ହସ୍ପିଟାଲ ବେଡ୍ରେ ଥାଇ ବି ସେ ରୋଗୀଙ୍କୁ ପରାମର୍ଶ ଦେଇ ଆସୁଥିଲେ। ସେ ଆରପାରିକୁ ଚାଲିଯାଇଥିଲେ ବି ତାଙ୍କର ଶେଷ ଟୁଇଟ୍ ଏବେ ଚର୍ଚ୍ଚାକୁ ଆସିଛି ।