କରୋନା ଚିକିତ୍ସା ପାଇଁ ବେସରକାରୀ ଡାକ୍ତର ଅମଙ୍ଗ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ବେ ଯୋଗଦେଉନାହାନ୍ତି
ବେସରକାରୀ ହସପିଟାଲ୍ କର୍ତୃପକ୍ଷଙ୍କ ଅସହଯୋଗ

ରାଉରକେଲା: ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏଣୁ କୋଭିଡ୍ ରୋଗୀଙ୍କ ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାରେ କାର୍ଯ୍ୟରତ ଘରୋଇ ଡାକ୍ତରମାନଙ୍କୁ ଏହି ସେବାରେ ନିଯୁକ୍ତ କରିବାକୁ ଜିଲ୍ଲାପାଳ ନିଖୀଳ ପୱନ କଲ୍ୟାଣ ଗତ ୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଆଇନରେ ଦିଆଯାଇଥିବା କ୍ଷମତାକୁ ଆଧାରକରି ସୁନ୍ଦରଗଡ଼ ଜିଲ୍ଲାପାଳ ଏ ସମ୍ପର୍କରେ ନିର୍ଦ୍ଦେଶାନାମା ଜାରି କରିଥିଲେ। ଏଥିପାଇଁ ଡାକ୍ତରମାନଙ୍କ ନାମ ତାଲିକା ଦେବାକୁ ବିଭିନ୍ନ ଘରୋଇ ଚିକିତ୍ସାଳୟକୁ ପରାମର୍ଶ ଦିଆଯାଇଥିଲା। ସଂପୃକ୍ତ ଡାକ୍ତରମାନେ ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ। ଯେଉଁମାନେ ଏହି ନିର୍ଦ୍ଦେଶ ପାଳନ କରିବେନି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବବୋଲି ନିର୍ଦ୍ଦେଶାନାମାରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା। ତେବେ ଏହି ନିର୍ଦ୍ଦେଶାନାମାକୁ ସହରର ବିଭିନ୍ନ ବେସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନେ ବେଖାତିର କରିଦେଇଥିବା ଜଣାପଡ଼ିଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନାମାକୁ ଇତିମଧ୍ୟରେ ୬ ଦିନ ବିତିଲାଣି, ମାତ୍ର ଆଖିଦୃଶିଆ ସଫଳତା ମିଳିପାରିନି। ରାଉରକେଲାରେ ଏବେସୁଦ୍ଧା ମାତ୍ର ୫ ଜଣ ବେସରକାରୀ ଡାକ୍ତର କୋଭିଡ୍ ଡ୍ୟୁଟିରେ ଯୋଗଦେଇଛନ୍ତି। ବେସରକାରୀ ହସପିଟାଲରେ କାର୍ଯ୍ୟରତ ଡାକ୍ତର କିନ୍ତୁ ଏଥିରେ ଯୋଗଦେବାକୁ ଅମଙ୍ଗ ହେଉନାହାନ୍ତି। ଇସ୍ପାତସହରରେ ଛତୁ ଫୁଟିଲାଭଳି ହସପିଟାଲ ଥିବାବେଳେ ଏକାଧିକ ଡାକ୍ତର ନିୟୋଜିତ ଅଛନ୍ତି। ମାତ୍ର ଏହି ଜରୁରୀକାଳୀନ ପରିସ୍ଥିତିରେ ସେମାନେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ହାତ ବଢ଼ାଉନାହାନ୍ତି। ଏହା ପଛରେ ଏକାଧିକ କାରଣ ରହିଛି। କିଛି ହସପିଟାଲ କର୍ତୃପକ୍ଷ ଡାକ୍ତରମାନଙ୍କୁ ଛାଡ଼ୁନଥିବାବେଳେ କେତେକ ଡାକ୍ତର ନିଜର ସୁରକ୍ଷା ଦୃଷ୍ଟିରୁ ଯୋଗଦେଉନାହାନ୍ତି। ଆଉ କେତେକ ବରିଷ୍ଠ ଡାକ୍ତର କନିଷ୍ଠ ଡାକ୍ତରଙ୍କୁ ଯୋଗଦେବାକୁ ବାଧ୍ୟକରୁଥିବାରୁ ସେମାନେ ମନା କରିଦେଉଥିବା ଜଣାପଡ଼ିଛି। ବେସରକାରୀ ଡାକ୍ତରଙ୍କ ଅସହଯୋଗ ମନୋଭାବ କିନ୍ତୁ ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଦେଇଛି।

ଅପରପକ୍ଷରେ ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୨୨ ଜଣ ବରିଷ୍ଠ ଡାକ୍ତରଙ୍କୁ ପଠାଇଥିଲେ। ଏଥିମଧ୍ୟରୁ ୧୬ ଜଣ କାର୍ଯ୍ୟରେ ଯୋଗଦେଇଥିବାବେଳେ ଆଉ ୬ ଜଣ ଏପର୍ଯ୍ୟନ୍ତ ଯୋଗଦେଇନାହାନ୍ତି। ଅବଶ୍ୟ, ଗତକାଲି ଭିମସାରର ୩୯ ଜଣ ହାଉସ୍ ସର୍ଜନ ଜିଲ୍ଲାରେ ଯୋଗଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨ ଜଣ ରାଉରକେଲା ସ୍ଥିତ ଶାନ୍ତି ମେମୋରିଆଲ କୋଭିଡ୍ ହସପିଟାଲ, ହାଇଟେକ୍ କୋଭିଡ୍ ହସପିଟାଲ, ଜୟ ପ୍ରକାଶ କୋଭିଡ ହସପିଟାଲ, ଆର୍ଜିଏଚ୍, ଆଇଜିଏଚରେ ଦାୟିତ୍ବ ତୁଲାଇବେ। ସେହିଭଳି ଅନ୍ୟ ୧୨ ଜଣ ଏନ୍‌ଟିପିସି ସୁନ୍ଦରଗଡ଼ କୋଭିଡ ହସପିଟାଲରେ ଯୋଗଦେଇଛନ୍ତି।

ସମ୍ବନ୍ଧିତ ଖବର