ନୂଆଗାଁ : ବର୍ଷ ବର୍ଷ ଧରି ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ଫାର୍ମାସିଷ୍ଟ୍ମାନେ ରୋଗୀସେବା କରୁଥିବା ଦେଖିବାକୁ ମିଳିଛି। ଫଳରେ ରୋଗୀମାନେ ଆବଶ୍ୟକ ଚିକିତ୍ସା ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଳିଥିବା ଖବର ଅନୁଯାୟୀ ନୂଆଗାଁରେ ଡାକ୍ତର ଅଭାବ ଏକ ଉତ୍କଟ ସମସ୍ୟା ଭାବେ ଦେଖା ଦେଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ହେଉ ଅବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସବୁଠି ଡାକ୍ତର ମରୁଡ଼ି। ନୂଆଗାଁ ବ୍ଲକ୍ ଏକ ଆଦିବାସୀ ବହୁଳ ଓ ମ୍ୟାଲେରିଆପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ଡାକ୍ତର ଅଭାବ ଯୋଗୁ ସମସ୍ୟା ପିଛା ଛାଡ଼ୁନି। ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ନିଯୁକ୍ତି ହେଉଥିଲେ ମଧ୍ୟ ପାଠ ପଢ଼ିବା ଆଳରେ ଡାକ୍ତରମାନେ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଉନାହାନ୍ତି। ତାଙ୍କ ସ୍ଥାନରେ ନୟାଗଡ଼ ଏଡିଏମ୍ଓ ବନମାଳୀ ପ୍ରଧାନ ଏବେ ଦାୟିତ୍ବରେ ରହିଥିଲେ ମଧ୍ୟ ସେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁନଥିବା ରୋଗୀମାନେ ଅଭିଯୋଗ ଆଣିଛନ୍ତି। ଫଳରେ ରୋଗୀମାନେ ବାଧ୍ୟ ହୋଇ ଫାର୍ମାସିଷ୍ଟ୍ଙ୍କଠାରୁ ସେବା ପାଉଛନ୍ତି।
ସେହିପରି ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପ୍ରତ୍ୟେକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବାହାଡ଼ାଝୋଲା, ନୂଆଗାଁ, ଜଗନ୍ନାଥପ୍ରସାଦ, ଗୁମୀରେ ଆଜି ପର୍ଯ୍ୟନ୍ତ ଡାକ୍ତର ନିଯୁକ୍ତି ହୋଇଥିବା ନେଇ ଅଞ୍ଚଳବାସୀଙ୍କ କାହା ପାଖରେ ଖବର ନାହିଁ। ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଏବେ ଡାକ୍ତର ନାହାନ୍ତି। ଗତ ସେପ୍ଟେମ୍ବର ମାସ ୧୨ ତାରିଖରେ ଜଣେ ନୂଆ ଡାକ୍ତରଙ୍କୁ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ପ୍ରଥମ ଦିନ ଦାୟିତ୍ବ ନେଇ ତା’ ପରଦିନଠାରୁ ସେ ତାଲିମ୍ ନେବାକୁ ଯାଇ ଆଉ ସ୍ବାସ୍ଥ୍ୟକେନ୍ଦ୍ରକୁ ଫେରି ନାହାନ୍ତି। ଫଳରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତରମାନେ ଆସିବାର ନାଁ ଧରୁ ନ ଥିବାବେଳେ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ୍ମାନେ ରୋଗୀମାନଙ୍କ ଚିକିତ୍ସା ଦାୟିତ୍ବ ନେଉଛନ୍ତି। ତେବେ ଡାକ୍ତରଖାନାରେ ଔଷଧ ମହଜୁଦ୍ ଥିବାବେଳେ ଫାର୍ମାସିଷ୍ଟ୍ମାନେ ରୋଗୀମାନଙ୍କୁ ବାହାରୁ ଔଷଧ କିଣିବାକୁ ବାଧ୍ୟ କରି ଅଯଥା ହଇରାଣ କରୁଥିବା ରୋଗୀମାନେ ଅଭିଯୋଗ ଆଣିଛନ୍ତି।