କଟକ : ଡାକ୍ତରୀ ପିଜିରେ ନାମ ଲେଖାଇବା ପାଇଁ ଆଶା ବାନ୍ଧି ବସିଥିବା ଛାତ୍ରଛାତ୍ରୀଙ୍କର ଗୋଟିଏ ବର୍ଷ ସଂପୂର୍ଣ୍ଣ ନଷ୍ଟ ହେବାକୁ ଯାଉଛି। ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟରେ ମାମଲା ଗଡୁଥିବା ବେଳେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। ଯାହାକୁ ନେଇ ଦିଲ୍ଲୀର ନିର୍ମାଣ ଭବନରେ ଫୋରଡା ପକ୍ଷରୁ ୧୭ ତାରିଖରୁ ପିଜି ଡାକ୍ତରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହାକୁ ସମର୍ଥନ ଜଣାଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍‌ସିବି)ର ପିଜି ଡାକ୍ତରମାନେ ବି ଆଜିଠାରୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରତିବାଦ କରିବା ସହ ଧାରଣା ଓ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ୪୩୨ଜଣ ପିଜି ଡାକ୍ତର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ସେମାନଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ଗୁରୁତରଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।

Advertisment

ସର୍ବଭାରତୀୟ ଡାକ୍ତରୀ ନାମଲେଖା କ୍ଷେତ୍ରରେ ପଛୁଆବର୍ଗ (ଓବିସି), ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ନିର୍ଦ୍ଦେଶ ରହିଛି। ଫଳରେ ସର୍ବଭାରତୀୟସ୍ତରରେ ଓବିସି ପାଇଁ ୨୭ ପ୍ରତିଶତ ଓ ଇଡବ୍ଲୁଏସ୍‌ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ। ଏହାସହିତ ପୂର୍ବରୁ ରହି ଆସିଥିବା ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଜାରି ରହିବ। ଏଭଳି ବ୍ୟବସ୍ଥା ଫଳରେ ସର୍ବଭାରତୀୟ ସ୍ତରରେ ୬୭ ପ୍ରତିଶତ ବିଭିନ୍ନ ବର୍ଗରେ ସଂରକ୍ଷଣ ବ୍ୟବସ୍ଥା ରହିବ। ଏହାକୁ ଚାଲେଞ୍ଜ କରି ଡାକ୍ତରୀ ଛାତ୍ରଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାରିଖ ପରେ ତାରିଖ ଗଡୁଥିବା ବେଳେ ଏହାର ପରବର୍ତ୍ତୀ ଶୁଣାଣି ଜାନୁଆରି ୬ରେ ରହିଛି।

ପିଜି ନାମଲେଖା ପାଇଁ ଜାନୁଆରିରୁ ଜୁଲାଇ ଭିତରେ ପରୀକ୍ଷା, କାଉନସେଲିଂ ଓ ନାମଲେଖା ପ୍ରକ୍ରିୟା ସରିଥାଏ। କିନ୍ତୁ ୨୦୨୧ରେ କୋଭିଡ୍‌ ପାଇଁ ପରୀକ୍ଷା ବିଳମ୍ବ ହେବା ସହ ଜାନୁଆରି ବଦଳରେ ସେପ୍ଟେମ୍ବର ୧୧ ତାରିଖରେ ପରୀକ୍ଷା ହୋଇଥିଲା ଏବଂ ପରୀକ୍ଷାଫଳ ମଧ୍ୟ ସେହି ମାସ ୨୮ ତାରିଖରେ ପ୍ରକାଶ ପାଇଥିଲା। ନାମଲେଖା ପାଇଁ କା‌ଉନସେଲିଂ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହେବାକୁ ଥିଲେ ବି କୋର୍ଟରେ ମାମଲା ଯୋଗୁଁ ଏହା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି। ପରୀକ୍ଷାଫଳ ପ୍ରକାଶନର ୪ମାସ ପରେ ବି କାଉନସେଲିଂ ହୋଇ ନଥିବାରୁ ପିଲାଙ୍କର ଗୋଟିଏ ବର୍ଷ ପଛେଇ ଯିବା ଭଳି ସ୍ଥିତି ଏବେ ସୃଷ୍ଟି ହେଲାଣି। ସରକାର କାଉନସେଲିଂ ବ୍ୟବସ୍ଥା‌କୁ ତ୍ବରାନ୍ବିତ କରିବା ପାଇଁ ଏସ୍‌ସିବିର ପିଜି ଡାକ୍ତରୀ ସଂଘର ପକ୍ଷରୁ ଆଜି ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ପାଖରେ ପ୍ରତିବାଦ କରାଯିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି।