ଡାକ୍ତରଙ୍କ ସୁରକ୍ଷା ଲାଗି କେନ୍ଦ୍ରର ପ୍ରସ୍ତାବ

ଭବୁନେଶ୍ୱର : ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣରୁ ଡାକ୍ତରମାନଙ୍କୁ ସୁରକ୍ଷା ଦେବା ଲାଗି ସମ୍ବେଦନଶୀଳ ଡାକ୍ତରଖାନାଗୁଡ଼ିକରେ ତାଲିମ୍‌ପ୍ରାପ୍ତ ସୁରକ୍ଷାବଳ ମୁତୟନ ପାଇଁ କେନ୍ଦ୍ର ସରକାର ଅନୁଭବ କରିଛନ୍ତି। ଯେଉଁ ଡାକ୍ତରଖାନାଗୁଡ଼ିକୁ ଅଧିକ ସଂଖ୍ୟାରେ ରୋଗୀ ଆସୁଛନ୍ତି, ସେଠାରେ ସିସିଟିଭି ଲଗାଇବା ସହ ଅତ୍ୟାଧୁନିକ ସୁରକ୍ଷା ସରଞ୍ଜାମ, ୨୪ ଘଣ୍ଟିଆ କୁଇକ୍‌ ରିଆକ୍ସନ ଟିମ୍‌ (କ୍ୟୁଆର୍‌ଟି) ମୁତୟନ ପାଇଁ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଡାକ୍ତରଖାନାଗୁଡ଼ିକରେ ତାଲିମ୍‌ପ୍ରାପ୍ତ ସୁରକ୍ଷାବଳ ମୁତୟନ ଲାଗି ରାଜ୍ୟ ସରକାରଙ୍କୁ କୁହାଯାଇଛି। ରାଜ୍ୟ ଭିତରେ ଥିବା ସମ୍ବେଦନଶୀଳ ଡାକ୍ତରଖାନାଗୁଡ଼ିକୁ ଚିହ୍ନଟ କରିବା, ସେଠାରେ ଘଟୁଥିବା ହିଂସାକାଣ୍ଡକୁ ଅନୁଧ୍ୟାନ କରି ତାହାକୁ ତାଲିମ୍‌ପ୍ରାପ୍ତ ସୁରକ୍ଷାବଳଙ୍କୁ ହସ୍ତାନ୍ତର କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ସଚିବ ପ୍ରୀତ ସୁଦାନ କହିଛନ୍ତି। ରାଜ୍ୟ ସରକାରଙ୍କ ପାଇଁ ମାର୍ଗଦର୍ଶିକା ଜାରି କରି ସେ କହିଛନ୍ତି, ଡାକ୍ତରଙ୍କ ସୁରକ୍ଷା ଲାଗି ବର୍ତ୍ତମାନ ଆଇନରେ ଥିବା ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଚିକିତ୍ସା ଚାହିଦା ବୃଦ୍ଧି ପାଉଥିବାରୁ ଲୋକଙ୍କ ଅସନ୍ତୋଷର ଏହା ଅନ୍ୟତମ କାରଣ ହୋଇଛି। ଏଥିପାଇଁ ଡାକ୍ତରଖାନାରେ ହିଂସାକାଣ୍ଡମାନ ଘଟୁଛି। ରୋଗୀ ମୃତ୍ୟୁ, ସ୍ୱାସ୍ଥ୍ୟାବସ୍ଥାରେ ହଠାତ୍ ଅବକ୍ଷୟ, ଦୀର୍ଘ ସମୟ ଧରି ଅପେକ୍ଷା କରିବା ଏବଂ ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ବିଭିନ୍ନ ସମୟରେ ରୋଗୀଙ୍କ ସମ୍ପର୍କୀୟମାନେ ହିଂସ୍ର ହୋଇଉଠୁଛନ୍ତି। ଏଭଳି ସ୍ଥିତିରେ ଡାକ୍ତରମାନଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି କେତେକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର ସୁପାରିସ୍‌ କରିଛନ୍ତି।

ସମ୍ବେଦନଶୀଳ ଡାକ୍ତରଖାନାଗୁଡ଼ିକ ଲାଗି କେନ୍ଦ୍ରୀୟ କଣ୍ଟ୍ରୋଲ୍ ରୁମ୍‌ ସ୍ଥାପନ ସହ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ, ଅନାବଶ୍ୟକ ଲୋକଙ୍କୁ ଡାକ୍ତରଖାନାରେ ପ୍ରବେଶ ବାରଣ, ହିଂସାରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଏଫ୍ଆଇଆର୍‌ ରୁଜୁ ଲାଗି କେନ୍ଦ୍ର ସରକାର କହିଛନ୍ତି। ସେହିପରି ଡାକ୍ତରଖାନାର ଅବହେଳାକୁ ତଦାରଖ ଲାଗି ନୋଡାଲ୍ ଅଫିସର୍‌ ନିଯୁକ୍ତି ପାଇଁ କୁହାଯାଇଛି। ପଦ ଖାଲି ଯୋଗୁଁ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ସଂଖ୍ୟାଧିକ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ଙ୍କ ଉପରେ ଥିବା ଅତ୍ୟଧିକ କାମର ଚାପ ହ୍ରାସ ଲାଗି କୁହାଯାଇଛି। ସେହିପରି ଉନ୍ନତମାନର ସେବା ଯୋଗାଇଦେବା ଲାଗି ଡାକ୍ତରଖାନାଗୁଡ଼ିକର ଭିତ୍ତିଭୂମି ବିକାଶ ଓ ଅତ୍ୟାଧୁନକି ଚିକିତ୍ସା ଯନ୍ତ୍ରପାତି ଯୋଗାଇ ଦେବାକୁ କେନ୍ଦ୍ର ସରକାର କହିଛନ୍ତି।

ସମ୍ବନ୍ଧିତ ଖବର