ସ୍ୱାସ୍ଥ୍ୟ ଏବଂ ଆଇନ ବିଭାଗର ସମୀକ୍ଷା : ‘ଡାକ୍ତର ଅଭାବ ଦୂର ପାଇଁ ସମୟ ଲାଗିବ’

ଭୁବନେଶ୍ୱର : ଡାକ୍ତରଙ୍କ ଅଭାବ କେବଳ ରାଜ୍ୟର ନୁହେଁ, ସମଗ୍ର ଦେଶର ସମସ୍ୟା। ରୋଗୀ ଅନୁପାତରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଏପରି କି ଭୁବନେଶ୍ୱର ଏମ୍‌ସରେ ପ୍ରାୟ ୫୦ ପ୍ରତିଶତ ଡାକ୍ତରଙ୍କ ଅଭାବ ରହିଛି। ଏଣୁ, ଅଧିକ ସଂଖ୍ୟକ ଡାକ୍ତରଙ୍କୁ ଆକର୍ଷିତ କରି ସ୍ୱାସ୍ଥ୍ୟସେବାରେ ନିୟୋଜିତ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରୋତ୍ସାହନ ଭତ୍ତା, ସ୍ୱତନ୍ତ୍ର ସୁବିଧା ଭଳି ନୂଆ ପଦକ୍ଷେପମାନ ନିଆଯାଉଛି। ଏହା ସତ୍ତ୍ୱେ ଡାକ୍ତର ଅଭାବ ଦୂର ପାଇଁ ଆଉ କିଛି ସମୟ ଲାଗିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ବିଭାଗର ସମୀକ୍ଷା କରିଥିଲେ। ରାଜ୍ୟରେ ସ୍ୱାସ୍ଥ୍ୟସେବା ତ୍ୱରାନ୍ଵିତ କରି ରୋଗୀ କଲ୍ୟାଣ ଯୋଜନାମାନ ଭଲରେ ଏବଂ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ନିଜସ୍ୱ ବୃହତ୍‌ ‘ନିରାମୟ’ ଯୋଜନାର ସମୀକ୍ଷା ବେଳେ ତୃତୀୟ ପକ୍ଷ ଦ୍ୱାରା ଏହାର ଅଡିଟ୍‌ କରିବାକୁ ନିର୍ଦେଶ ଦେଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା କହିଥିଲେ।

ଆଜି ଅପରାହ୍ଣରେ ଗଣମାଧ୍ୟମକୁ ବିସ୍ତତ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା ଗତ ବର୍ଷ ସମେତ ଚାରିବର୍ଷ ମଧ୍ୟରେ ଉଭୟ ବିଭାଗର ସଫଳତା ନେଇ ଗୋଲାପୀ ଚିତ୍ର ଆଙ୍କିଥିଲେ। ୨୦୧୭-୧୮ରେ ୧୧ଟି ନୂଆ ଯୋଜନା ଆରମ୍ଭ ହୋଇଥିବା ବେଳେ ୬ଟି ବୁଝାମଣାପତ୍ର(ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଗତବର୍ଷ ୨ଟି ମେଡିକାଲ୍‌ କଲେଜ ଖୋଲିଥିଲା। ଚଳିତ ବର୍ଷ ବଲାଙ୍ଗୀର, ବାଲେଶ୍ୱରରେ ଆଉ ୨ଟି ମେଡିକାଲ୍‌ କଲେଜ ଖୋଲିବ। ଯୋଜନାଗୁଡ଼ିକ ମଧ୍ୟରେ ନିରାମୟ, ନିଦାନ, ସହାୟ, ଖୁସି, ସୁନେତ୍ର, ଥାଲାସେମିଆ ଭଳି ବିଭିନ୍ନ ରକ୍ତଗତ ସମସ୍ୟା ଦୂରୀକରଣ, ଆମ କ୍ଲିନିକ୍‌, ଡିଜିଟାଲ୍‌ ଡିସ୍‌ପେନ୍‌ସାରି, ସଂପୂର୍ଣ୍ଣା, ଦମନ, କର୍ପସ ପାଣ୍ଠି ଆଦି ସେ ଉଲ୍ଲେଖ କରିଥିଲେ। ‘ଦମନ’ ଯୋଜନା କାର୍ଯ୍ୟକାରୀ ହେବା ଫଳରେ ମ୍ୟାଲେରିଆ ମୃତ୍ୟୁ ସଂଖ୍ୟା ଶୂନରେ ପହଞ୍ଚିଛି। ରୋଗୀଙ୍କ ସଂଖ୍ୟା ୮୦ ପ୍ରତିଶତ ହ୍ରାସ ପାଇଥିବା ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ।

ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏବଂ ବିଭାଗୀୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା କହିଲେ, ଜେନେରିକ୍‌ ଔଷଧ ପ୍ରତି ଜିଲ୍ଲାରେ ଉପଲବ୍ଧ। ଡାକ୍ତରଙ୍କୁ କ୍ୟାପିଟାଲ୍‌ ଲେଟରରେ ଔଷଧ ଚିଠା ଲେଖିବାକୁ ନିର୍ଦେଶ ଦିଆଯାଇଛି। କେତେକାଂଶରେ ତ୍ରୁଟି ସୁଧୁରୁଛି। ରାଜ୍ୟରେ ଗତ ୫ ବର୍ଷ ହେଲା ସ୍ଥାୟୀ ଡ୍ରଗ୍‌ସ କଣ୍ଟ୍ରୋଲର ପଦବି ଖାଲି ପଡ଼ିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ ଯେ ଏହା ସରକାରଙ୍କ ଆଭ୍ୟନ୍ତରୀଣ ବ୍ୟାପାର। ଆଡ୍‌ ହକ୍‌ ଡ୍ରଗ୍‌ସ କଣ୍ଟ୍ରୋଲର ଥିବା ଯୋଗୁଁ କୌଣସି କ୍ଷେତ୍ରରେ ଅସୁବିଧା ହେଉନଥିବା ସେ ଦର୍ଶାଇଥିଲେ। ସେହିପରି ‘ପୋଲ୍‌ ତଳେ ପ୍ରସବ’ ଭଳି ବହୁଚର୍ଚିତ ଖବର ସତ୍ୟ ନୁହେଁ ବୋଲି ମନ୍ତ୍ରୀ କହିଥିଲେ। ପ୍ରସବର ୪ ଦିନ ପରେ ପୋଲ ତଳେ ଏଭଳି ଫଟୋ ଉଠାଯାଇଥିବା ସେ ପ୍ରକାଶ କରିଥିଲେ। ତେବେ ଶିଶୁର ଜନ୍ମ କେଉଁଠି ପ୍ରଶ୍ନକୁ ମନ୍ତ୍ରୀ ଏଡ଼ାଇ ଯାଇଥିଲେ।

ଆଇନ ବିଭାଗର ସଫଳତା ନେଇ ମନ୍ତ୍ରୀ କହିଲେ, ଦ୍ୱାରଦେଶରେ ଆଇନ ସେବା ପହଞ୍ଚାଇବା ନିମନ୍ତେ ସରକାର ୩୩୭ଟି ଗ୍ରାମପଞ୍ଚାୟତରେ ଆଇନ ସହାୟକ ଓକିଲଙ୍କୁ ନିୟୋଜିତ କରାଯାଇଛି। ପ୍ରତି ପଞ୍ଚାୟତରେ ଏଭଳି ବ୍ୟବସ୍ଥା କରାଯିବ। ଗତ ୪ ବର୍ଷ ମଧ୍ୟରେ ସରକାର ୨୨୦ଟି ନ୍ୟାୟାଳୟ ପ୍ରତିଷ୍ଠା କରିବା ସହିତ ୨୭୯ଜଣ ନ୍ୟାୟିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ୩୧୪ ବ୍ଲକ ମଧ୍ୟରୁ ୧୯୯ଟି ବ୍ଲକରେ ସିଭିଲ୍‌ ଜଜ୍‌ ତଥା ପ୍ରଥମ ଶ୍ରେଣୀ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଛି। ୩୦ଟି ଜିଲ୍ଲାରେ ମହିଳା ସଂପର୍କିତ ଅପରାଧଗୁଡ଼ିକର ବିଚାର ନିମନ୍ତେ ୩୦ଟି ସ୍ୱତନ୍ତ୍ର ନ୍ୟାୟାଳୟ ଖୋଲିସାରିଛି। ଗତ ୪ ବର୍ଷରେ ୧୭.୧୨ ଲକ୍ଷ ମାମଲାର ଫଇସଲା କରାଯାଇଛି। କିନ୍ତୁ ରାଜ୍ୟର ଦଣ୍ଡବିଧାନ ହାର ପ୍ରାୟ ୯ ପ୍ରତିଶତ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ଏହି ସମ୍ମିଳନୀରେ ଆଇନ ବିଭାଗ ପ୍ରମୁଖ ସଚିବ ବିଭୁପ୍ରସାଦ ରାଉତରାୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର