ଡାକ୍ତରଙ୍କ ଆନ୍ଦୋଳନ ଧମକ

ଭୁବନେଶ୍ବର : ଡିଏସିପି ସହିତ ଅନ୍ୟାନ୍ୟ ଦାବି ନେଇ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ଦେଇଛି ରାଜ୍ୟ ମେଡିକାଲ ସେବା ସଂଘ। ଆସନ୍ତା ୭/୮ଦିନ ମଧ୍ୟରେ ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନ କଲେ କାର୍ଯ୍ୟରତ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ‌ହେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ଆଇଏମ୍‌ଏ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ରାଜ୍ୟ ସଂପାଦକ ଡା.ପୂଣ୍ୟ‌ଶ୍ଳୋକ ଦାସ କହିଲେ, ୨୦୦୬ ମସିହାରେ ଷଷ୍ଠ ବେତନ କମିସନ ଡିଏସିପି ପାଇଁ ପ୍ରସ୍ତାବ ଦେଇଥିଲେ। ୧୭ଟି ରାଜ୍ୟ ଏହାକୁ ପାଳନ କରୁଥିବା ବେଳେ ରାଜ୍ୟ ସରକାର ଏହାକୁ ପାଳନ କରୁ ନାହାନ୍ତି। ୨୦୦୯ ମସିହାରୁ ଡିଏସିପି ପାଇଁ ଆନ୍ଦୋଳନ ହେଉଛି। ୨୦୧୦ ଏପ୍ରିଲ ମାସରେ ସ୍ବାସ୍ଥ୍ୟମନ୍ତ୍ରୀ, ଅର୍ଥ ଓ ଆଇନ ମନ୍ତ୍ରୀଙ୍କୁ ନେଇ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଗତବର୍ଷ ଡିସେମ୍ବର ମାସରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଡାକରାରେ ସଂଘର ଆଲୋଚନା ହୋଇଥିଲା। ସଂଘର ଅନେକ ଦାବିଗୁଡ଼ିକୁ ପୂରଣ କରିବା ଦିଗରେ ମନ୍ତ୍ରୀ ମଧ୍ୟ ଆଶା ଦେଖାଇଥିଲେ। ଫଳରେ ସଂଘ ଆନ୍ଦୋଳନରୁ ବିରତ ରହିଥିଲା। ମାତ୍ର ଏହା ଭିତରେ ୨ମାସ ବିତି ଯାଇଥିଲେ ହେଁ, ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏହାସହ ଡାକ୍ତରଙ୍କ କାର୍ଯ୍ୟ ନିର୍ଘଣ୍ଟ, ଆଡହକ୍/ଠିକା ଡାକ୍ତରଙ୍କୁ ଓପିଏସ୍‌ସିରେ ଗ୍ରେସ୍ ମାର୍କ ପ୍ରଦାନ, ଅନ୍ୟାନ୍ୟ ସରକାରୀ କର୍ମଚାରୀ ଯେଉଁଭଳି ସରକାରୀ ଛୁଟି ପାଉଛନ୍ତି ଡାକ୍ତରମାନନଙ୍କୁ କିଭଳି ଛୁଟି ମିଳିବ ନିୟମ ଅନୁଯାୟୀ ବନ୍ଦୋବସ୍ତ, ୬୨ବର୍ଷରୁ ଅଧିକ ଡାକ୍ତରଙ୍କ ବୟସ ବୃଦ୍ଧି ନ କରିବା, ପ୍ରଶାସନିକ ପଦବିରେ ରହିଥିବା ଡାକ୍ତରଙ୍କୁ ୧୯୯୨ ରାଜ୍ୟ ସେବା ଆଇନ ଅନୁସାରେ ଆନ୍ତଃ ବିଭାଗୀୟ ସ୍ଥାନାନ୍ତର, କ୍ୟାଡର ରୁଲ ୨୦୧୮କୁ ଓମ୍‌ସା ସହିତ ଆଲୋଚନା କରି ସଂଶୋଧନ କରିବାକୁ ସଂଘ ଦାବି କରୁଛି। ଯଦି ଆସନ୍ତା ୭/୮ଦିନ ମଧ୍ୟରେ ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଡା.ଦାସ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସଂପାଦକ ଡା.କିଶୋର ମିଶ୍ର ଓ ଡା.କ୍ଷୀରୋଦ କାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର