ଡାକ୍ତର ପତ୍ନୀଙ୍କୁ ହତ୍ୟା ଘଟଣା : ନର୍ସଙ୍କ ସ୍ବାମୀଙ୍କୁ ଜେରା

ପୁରୀ : ପୁରୀ ରେଳ ହସ୍ପିଟାଲର ଡାକ୍ତର ସଂଜୀବ ସାହୁ ପତ୍ନୀ ସୁଜାତାଙ୍କ ହତ୍ୟାକାଣ୍ଡକୁ ଏକ ସପ୍ତାହ ପୂରିଛି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଉପରକୁ ଯଥାଶୀଘ୍ର ପରଦା ହଟିବ ବୋଲି ଯେଉଁ ଆଶା କରାଯାଉଥିଲା, ଏଥିରେ ଅନ୍ତରାୟ ସୃଷ୍ଟି କରିଛି ପୁଲିସ୍‌ ତଦନ୍ତ। ପୁଲିସ୍‌ ହିଁ ଘଟଣା ସମ୍ପର୍କରେ ଖୋଳତାଡ଼ କରୁକରୁ ନିଜେ ବାଟବଣା ହୋଇଯାଇଛି। ତେବେ, ପୁଲିସ୍‌ ଘଟଣା ସହିତ ଯୋଡ଼ି ହୋଇଥିବା ଜଣେ ନର୍ସଙ୍କ ସ୍ବାମୀଙ୍କୁ ଜେରା କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ପୁଲିସ୍‌ ଦୁଇ ଜଣ ନର୍ସଙ୍କୁ ପଚରାଉଚରା କରିଥିଲା। ଏସ୍‌ପି ସାର୍ଥକ ଷଡଙ୍ଗୀଙ୍କ ଉପସ୍ଥିତିରେ ବରିଷ୍ଠ ପୁଲିସ ଅଫିସରମାନେ ଡାକ୍ତର ସାହୁଙ୍କୁ ମଧ୍ୟ ଜେରା କରିଥିଲେ। ମାତ୍ର, ଏଥିରୁ କୌଣସି ସଫଳତା ମିଳିନଥିଲା। ଆଜି ପୁଲିସ୍‌ ଜଣେ ନର୍ସଙ୍କ ସ୍ବାମୀ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀଙ୍କୁ ଜେରା କରିଛି। ଶ୍ରୀ ଷଡ଼ଙ୍ଗୀ କୋଲକାତାର ୟୋଗଦା ସତ୍‌ସଙ୍ଗ ପାଲପାରା ମହାବିଦ୍ୟାଳୟରେ ସହାୟକ ପ୍ରଫେସର ଅଛନ୍ତି।

ଶ୍ରୀ ଷଡ଼ଙ୍ଗୀ ଆଜି କୋଲକତାରୁ ଆସି ପୁରୀରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ଥାନାକୁ ଡକାଇ ସୁଜାତାଙ୍କ ହତ୍ୟା ସମ୍ପର୍କରେ ଗୁଡେଇ ତୁଡେଇ ପଚାରିଥିଲା। ଯଦିଓ ତାଙ୍କର ପାରିବାରିକ କଳହ ରହିଛି, କିନ୍ତୁ ଏହି ହତ୍ୟାକାଣ୍ଡ ସହିତ ତାଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ଲକ୍ଷ୍ମୀକାନ୍ତ ସିଧାସିଧା କହିଥିଲେ। ଏ ପରିପ୍ରେକ୍ଷୀରେ ଡାକ୍ତର ସାହୁ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ନିରାଧାର ବୋଲି ଲକ୍ଷ୍ମୀକାନ୍ତ କହିଥିଲେ। ଏହି ଜେରାରୁ ଅଧିକ କିଛି ତଥ୍ୟ ମିଳିନଥିବାରୁ ପୁଲିସ୍‌ ତଦନ୍ତ ପୁଣିଥରେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

ସମ୍ବନ୍ଧିତ ଖବର