ସମ୍ବଲପୁର : ଭିମ୍‌ସାର‌ରେ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ସଂପର୍କରେ ସରକାରଙ୍କୁ କୌଣସି ପତ୍ର ଲେଖାଯାଇ ନାହିଁ। ନିକଟରେ ବି କୌଣସି ପତ୍ର ଲେଖିବାର ନାହିଁ। ନିଯୁକ୍ତିକୁ ନେଇ ଆଇନ୍‌ର ତର୍ଜମା କରାଯାଉଛି। ଯଦି ସଂଶୋଧିତ ବିଶ୍ବବିଦ୍ୟାଳୟ ଆଇନ୍‌ ଭିମସାର୍‌ ପାଇଁ ପ୍ରଯୁଜ୍ୟ ନ‌ୁହେଁ ତଥା ଭିମସାର୍‌ ଆଇନ୍‌ ଅନୁସାରେ ନିଯୁକ୍ତି ଏଠାରେ ହୋଇପାରିବ ତା‌'ହେଲେ ଭିମ୍‌ସାର୍‌ରେ ହିଁ ନିଯୁକ୍ତି ହେବ। ତେଣୁ ଏହାକୁ ନେଇ କେହି ବିବ୍ରତ ହେବା ଉଚିତ ନୁହେଁ ‌ବୋଲି ଭିମସାର୍‌ ନିର୍ଦ୍ଦେଶକ ପ୍ର. ଲଳିତ ମେହେର କହିଛନ୍ତି।

Advertisment

'ସମ୍ବାଦ'କୁ ନିଜ ପ୍ରତିକ୍ରିୟାରେ ପ୍ର.ମେହେର କହିଛନ୍ତି ଯେ ଭିମସାର୍‌ର ସ୍ବାର୍ଥ ଓ କ୍ଷମତା ସଂପର୍କରେ ମୁଁ ସଚେତନ ଅଛି। ଭିମସାର୍‌ର ‌ସ୍ବୟଂଶାସନ କ୍ଷମତା‌ କୌଣସି ପ୍ରକାରେ ଊଣା ହେଉ ବୋଲି କେହି ବି ଚାହିଁବେ ନାହିଁ। ତେବେ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ୍‌ ଅନୁସାରେ ହୁଏତ ଭିମସାର୍‌ର ନିଯୁକ୍ତି ବି ଓପିଏସ୍‌ସି ଜରିଆରେ ହେବ ବୋଲି ବିଚାର କରି ତା'କୁ ପରିଚାଳନା ବୋର୍ଡ ବୈଠକରେ ଆଲୋଚନା କରା ଯାଇଥିଲା। କିନ୍ତୁ ଏହାକୁ ନେଇ କିଛି ସଦସ୍ୟ ଭିନ୍ନମତ ପ୍ରକାଶ କରିଥିଲେ। ଏହାପରେ ଏ ସଂପର୍କରେ ଆଇନ୍‌ ବିଶେଷଜ୍ଞଙ୍କର ବି ପରାମର୍ଶ ନିଆଯାଉଛି। ଯଦି ଭିମସାର୍‌ ଉପରେ ସଂଶୋଧିତ ବିଶ୍ବବିଦ୍ୟାଳୟ ଆଇନ୍‌ ଲାଗୁ ହେବ ନାହିଁ ଓ ୨୦୧୩ ଭିମସାର୍‌ ଆକ୍ଟ ଆଣ୍ଡ ଷ୍ଟାଚ୍ୟୁଟ୍‌ ବଳରେ ନିଯୁକ୍ତି ହୋଇ ପାରିବ, ତା'ହେଲେ ଏଠାରେ ହିଁ ନିଯୁକ୍ତି ହେବ। ମୁଁ ଏ ସଂପର୍କରେ ସରକାରଙ୍କୁ କୌଣସି ପତ୍ର ଲେଖି ନାହିଁ। ବୋର୍ଡ ବୈଠକର ବିବରଣୀ ବି ଏ ପର୍ଯ୍ୟନ୍ତ ସବୁ ସଦସ୍ୟଙ୍କଠାରୁ ସ୍ବାକ୍ଷର କରାଯାଇ ନାହିଁ। ଏପରି ସ୍ଥଳେ ନିର୍ଦ୍ଦେଶକ ସରକାରଙ୍କୁ ପତ୍ର ଲେଖିଛନ୍ତି ବୋଲି କିଛି ବ୍ୟକ୍ତି ଆଗୁଆ ଆଶଂକା କରିବା ଠିକ୍ ନୁହେଁ ବୋଲି ପ୍ର. ମେହେର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମିସନ୍‌ ଭିଏସ୍‌ଏସ୍‌-ଇମସାର୍‌ ପକ୍ଷରୁ ଭକ୍ତ ପ୍ରସାଦ ନନ୍ଦ, ଗୋଲକ ବିହାରୀ ମିଶ୍ର, ସପନ୍ ମିଶ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଭିମସାର୍‌ରେ ନିଯୁକ୍ତି ପ୍ରସଂଗକୁ ନେଇ ଏକ ଖୋଲା ଚିଠି ଲେଖିଛନ୍ତି। ସେଥିରେ ଉଲ୍ଲେଖ ଅଛି ଯେ ଭିମସାର୍‌ ନିର୍ଦ୍ଦେଶକ ସ୍ବାସ୍ଥ୍ୟ ବିଭାଗକୁ ପତ୍ର ଲେଖି ଭିମସାର୍‌ରେ ଆସିଷ୍ଟାଣ୍ଟ ପ୍ରଫେସର୍ ନିଯୁକ୍ତି ଓ ନିଯୁକ୍ତି ପ୍ରକ୍ରିୟାରେ ଓପିଏସ୍‌ସିର ଭୂମିକା ସଂପର୍କରେ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ନିର୍ଦ୍ଦେଶକଙ୍କ ଏଭଳି କାର୍ଯ୍ୟ ଭିମ୍‌ସାର୍‌ ଆଇନ୍‌ର କେବଳ ଉଲ୍ଲଂଘନ କରୁ ନାହିଁ, ଭିମସାର୍‌ର କଷ୍ଟଲବ୍‌ଧ ସ୍ବୟଂଶାସନକୁ ବି ଆହତ କରିଛି। ନିର୍ଦ୍ଦେଶକଙ୍କ ଏଭଳି ପଦକ୍ଷେପକୁ ଗତ ପରିଚାଳନା ବୋର୍ଡ ବୈଠକରେ ମଧ୍ୟ ବିରୋଧ କରା ଯାଇଥିଲା। ପୂର୍ବ ନିର୍ଦ୍ଦେଶକ ବିଭିନ୍ନ ଖାଲି ପଦରେ ସ୍ଥାୟୀ ନିଯୁକ୍ତି ଦେଇ ସାରିଛନ୍ତି। ତେଣୁ ଓପିଏସ୍‌ସି ଜରିଆରେ ଭିମସାର୍‌ର ନିଯୁକ୍ତି ପାଇଁ ହେଉଥିବା ପ୍ରୟାସକୁ ଅନୁମତି ଦିଆ ନଯାଇ ଏହି ଅନୁଷ୍ଠାନର ଭିତ୍ତିଭୂମି ଓ ଆର୍ଥିକ ସ୍ବୟଂଶାସନ ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଉ ବୋଲି ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି। ଓପିଏସ୍‌ସି ଜରିଆରେ ନିଯୁକ୍ତି ପ୍ରୟାସକୁ ଭିମସାର୍‌ର କିଛି ପୂର୍ବତନ ପରିଚାଳନା ବୋର୍ଡ ସଦସ୍ୟ ମଧ୍ୟ ବିରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୧୧ ତାରିଖରେ ଭିମସାର୍‌ ପରିଚାଳନା ବୋର୍ଡ ବୈଠକ ବସିଥିଲା। ଏଥିରେ ଭିମ୍‌ସାର୍‌ର ସ୍ଥ‌ାୟୀ ଆସିଷ୍ଟାଣ୍ଟ ପ୍ରଫେସର୍ ନିଯୁକ୍ତି ଓପିଏସ୍‌ସି ଜରିଆରେ କରାଇବାକୁ ନ‌ିର୍ଦ୍ଦେଶକ ପ୍ରସ୍ତାବ ରଖିଥିଲେ, ଯାହାକୁ ବୋର୍ଡର ମନୋନୀତ ସଦସ୍ୟ ମାନେ ବିରୋଧ କରିଥିଲେ। ପରେ ବୈଠକର ବିବରଣୀରେ ମଧ୍ୟ ୪ ସଦସ୍ୟ ପ୍ରତିବାଦ କରିଥିବା ବିଷୟକୁ ସ୍ଥାନ ଦିଆ ଯାଇଥିଲା। ବୈଠକ ପୂର୍ବରୁ ଭିମସାର୍‌ର ବହୁ ଡାକ୍ତର ମଧ୍ୟ ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଭିମସାର୍‌ର ଡାକ୍ତର ନିଯୁକ୍ତି ଅନୁଷ୍ଠାନ ସ୍ତରରେ ହେଉ ବୋଲି ଦାବି କରିଥିଲେ।