ଭୁବନେଶ୍ବର: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ଜିଗଜାଗ୍ ହ୍ୟାଣ୍ଡରାଇଟିଂରେ ଲେଖିବା ଡାକ୍ତରଙ୍କ ଅଭ୍ୟାସ କିନ୍ତୁ ସାଧାରଣ ଲୋକଙ୍କ ପକ୍ଷରେ ଏହା ବୁଝିବା ଅସମ୍ଭବ। ତେଣୁ ସ୍ପଷ୍ଟ ଅକ୍ଷରରେ କିମ୍ବା ଟାଇପ କରି ଔଷଧ ଚିଠା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ନିଦଦ୍ଦନାମା ଜାରି କରିଛି। ଏଥିରେ କୁହାଯାଇଛି, ଡାକ୍ତରମାନେ ସ୍ପଷ୍ଟ ଅକ୍ଷରରେ ଔଷଧ ଚିଠା ଲେଖିବେ। ଟାଇପ କରି ରୋଗୀଙ୍କୁ ଔଷଧ ଚିଠା ଦେଇପାରିବେ। ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିବା ବ‌େଳେ କ୍ୟାପିଟାଲ ଲେଟରରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଲେଖିବେ। ସ୍ପଷ୍ଟ ଅକ୍ଷରରେ ଲେଖିଲେ ନ୍ୟାୟିକ ପ୍ରକ୍ରିୟାରେ ସୁବିଧା ହେବ ବୋଲି କହିଛନ୍ତି।

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଭଲି ବିଜ୍ଞପ୍ତି ପ୍ରକାଶ କରିଛି। ରସାନନ୍ଦ ଭୋଇ ବନାମ ରାଜ୍ୟ ସରକାର ମାମଲାରେ ଏଭଳି ସର୍କୁଲାର ଜାରି କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

୨୦୧୫ରେ ଢେଙ୍କାନାଳ ଜିଲ୍ଲା କଣସରା ଗାଁର ସୌଭାଗ୍ୟ ରଞ୍ଜନ ଭୋଇଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିଲା। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅସ୍ପଷ୍ଟ ହସ୍ତାକ୍ଷର ପାଇଁ ପରିବାରକୁ କ୍ଷତିପୂରଣ ମିଳିନଥିଲା। ଏନେଇ ସୌଭାଗ୍ୟଙ୍କ ବାପା ରସାନନ୍ଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଡାକ୍ତରଙ୍କୁ ସ୍ପଷ୍ଟ ହସ୍ତାକ୍ଷର ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ କୋର୍ଟ ଯେଉଁ ଟିପ୍ପଣୀ କରିଥିଲେ ତାହା ବେଶ ଗୁରୁତ୍ୱପୂର୍ଣ୍ଣ । ଅତି କଡା ଶବ୍ଦରେ କୋର୍ଟ କହିଥିଲେ  ଜିଗଜାଗ୍ ହ୍ୟାଣ୍ଡରାଇଟିଂ ଅର୍ଥାତ ଅଙ୍କବଙ୍କା ଲେଖା ଡାକ୍ତରଙ୍କ ଅଭ୍ୟାସ। ଫ୍ୟାସନ ଅର୍ଥାତ ଡାକ୍ତରମାନେ ଏହାକୁ ଏକ ସଉକରେ ପରିଣତ କରିଛନ୍ତି। ହେଲେ ସାଧାରଣ ଲୋକ ଏଭଳି ଲେଖାକୁ ବୁଝିବା ଅସମ୍ଭବ। ଏପରିକି ବିଚାର ବ୍ୟବସ୍ଥାରେ ଥିବା ଅଧିକାରୀ ମଧ୍ୟ ବୁଝି ପାରୁନାହାନ୍ତି। ତେଣୁ ବାରମ୍ବାର ନିର୍ଦ୍ଦେଶ ସତ୍ୱେ ଡାକ୍ତରମାନେ ସ୍ପଷ୍ଟ ଅକ୍ଷରରେ ଲେଖୁନଥିବାରୁ। ଅଧିକାଂଶ ଡାକ୍ତର ଖରାପ ଅକ୍ଷରରେ ଔଷଧ ଚିଠା ଲେଖୁଥିବାବେଳେ ଏମିତି କିଛି ପ୍ରତିଷ୍ଠିତ ଡାକ୍ତର ମଧ୍ୟ ଅଛନ୍ତି ଯେଉଁମାନେ ମୁଦ୍ରିତ ଅକ୍ଷରରେ ଡାକ୍ତରୀ ଚିଠା ରୋଗୀଙ୍କୁ ଦେଇଥାନ୍ତି।