ଗଜପତି ଆର୍‌ଟିଓରେ ଦସ୍ତାବିଜ ଜାଲିଆତି ପୁଣି ଚର୍ଚ୍ଚାରେ, କୋର୍ଟ ନିର୍ଦ୍ଦେଶରେ ଥାନାରେ ଏତଲା

ପାରଳାଖେମୁଣ୍ତି : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଡ଼ାରେ ଲାଗିଛି ଇନୋଭା ଗାଡ଼ି (ଓଡ଼ି୨୦ବି-୧୦୦୧)। ଗାଡ଼ିର ଦସ୍ତାବିଜ ଜାଲିଆତି ନେଇ ବିବାଦ ଅଦାଲତକୁ ଯିବା ପରେ ବର୍ତ୍ତମାନ ଅଦାଲତଙ୍କ ନିର୍ଦ୍ଦେଶରେ ଥାନାରେ ଏତଲା ହୋଇଛି। ଗତକାଲି କୋର୍ଟ ନିର୍ଦ୍ଦେଶ ଅନୁସାରେ ପାରଳା ଥାନାରେ କେସ୍‌ ନମ୍ବର ୧୪/୨୧ ରୁଜୁ ହେବା ଆଲୋଚନାର ବିଷୟ ହୋଇଛି।

ପାରଳାଖେମୁଣ୍ଡି ଓ୍ୱାର୍ଡ଼ ନମ୍ବର ୯ ଅଙ୍କସାହି ବାସିନ୍ଦା ପ୍ରନୋଜ କୁମାର ପଟ୍ଟନାୟକ ଗତ ୨୦୨୦ ମାର୍ଚ୍ଚ ୧୭ରେ ସ୍ଥାନୀୟ ଏମ୍‌ଭିଆଇ ବସନ୍ତ ମହାପାତ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ଏତଲାରେ ସେ ଦର୍ଶାଇଥିଲେ, ଏକ ବେସରକାରୀ ଗାଡ଼ିକୁ ଆବଶ୍ୟକ ଦସ୍ତାବିଜ ପରିବର୍ତ୍ତନ କରା ନଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଡ଼ାରେ ଲଗାଯାଇଛି। ସୂଚନା ଅଧିକାର ଆଇନ ବଳରେ ଯେଉଁ ସବୁ ତଥ୍ୟ ସେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପାଇଛନ୍ତି ସେଥିରୁ ଗାଡ଼ିର ଦସ୍ତାବିଜ ଜାଲିଆତି କରାଯାଇଥିବା ସ୍ପଷ୍ଟ ଜଣାଯାଉଛି। ପ୍ରନୋଜଙ୍କ କହିବା ଅନୁସାରେ, ୨୦୧୯ ସେପ୍ଟେମ୍ବର ୧୯ ତାରିଖରେ ଏହି ବିବାଦୀୟ ଗାଡ଼ିର ତଥ୍ୟ ଅନ୍‌ଲାଇନ୍‌ରେ ଏମ୍‌. ପରିବହନ ଆପ୍‌ ଜରିଆରେ ସେ ସ˚ଗ୍ରହ କରିଥିଲେ। ଗାଡ଼ିଟି ବେସରକାରୀ ବୋଲି ଜଣାପଡ଼ିଥିଲା ଯାହାର ବୀମା ୨୦୨୦ ଅଗଷ୍ଟ ୨୬ ପର୍ଯ୍ୟନ୍ତ ବୈଧ ଥିବା ବେଳେ ଫିଟ୍‌ନେସ ୨୦୩୪ ମସିହା ପର୍ଯ୍ୟନ୍ତ ରହିଥିବା ଦର୍ଶାଯାଇଥିଲା। ଏହାକୁ ଭିତ୍ତି କରି ସୂଚନା ଅଧିକାର ଆଇନ ବ୍ୟବହାର କରି ତଥ୍ୟ ମାଗିବା ପରେ ତଥ୍ୟ ମିଥ୍ୟା‌ ବୋଲି ଜଣା ପଡ଼ିଥିଲା। ଏପରିକି ସ୍ଥାନୀୟ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ତଥ୍ୟ ସ˚ଗ୍ରହରେ ସହଯୋଗ କରି ନଥିବା କଥା ସେ ଅଭିଯୋଗ କରିଛନ୍ତି।

ଏବିଷୟରେ ଏମ୍‌ଭିଆଇ ବସନ୍ତ ମହାପାତ୍ର ପ୍ରତିକ୍ରିୟାରେ କହିଛନ୍ତି, କେସ୍‌ ରୁଜୁ କରିଥିବା ବ୍ୟକ୍ତି ଜଣକ ଆର୍‌ଟିଓ କାର୍ଯ୍ୟାଳୟରେ ଦଲାଲ୍‌ ଭାବେ କାର୍ଯ୍ୟ କରୁଥିଲେ। ଆଇନ ମୁତାବକ ମଧ୍ୟସ୍ଥ ବ୍ୟକ୍ତିଙ୍କ ହସ୍ତଗତ କାର୍ଯ୍ୟାଳୟରେ ବନ୍ଦ କରିଦେବା ପରେ ଆକ୍ରୋଶ ରଖି କିଛି ମନଗଢ଼ା ତଥ୍ୟ ଅଦାଲତରେ ଦେଇ ବିବାଦ ଉପୁଜାଇ ସେ ଚାପ ସୃଷ୍ଟି କରୁଛନ୍ତି। ଏମ୍‌ଭିଆଇଙ୍କ ବିରୋଧରେ ଜଣେ ଅଟୋଚାଳକ ମଧ୍ୟ ଅନୁରୂପ କେସ୍‌ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ ହେଲେ ଅଭିଯୋଗର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର