ଦୁର୍ଘଟଣା ମାମଲାରେ କାଗଜପତ୍ର ଦେଖାଇବାର ସମୟ ୭ଦିନ

ଭୁବନେଶ୍ବର : ନୂଆ ମୋଟର ଯାନ ଆଇନ କାର୍ଯ୍ୟକାରୀ ହେବା ପରେ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି। ଜରିମାନା ଆଦାୟ ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି। ତେବେ ଏହି ମୋଟା ଅଙ୍କର ଜରିମାନା ଆଦାୟ ପୂର୍ବରୁ ଟ୍ରାଫିକ୍ ପୁଲିସ ପକ୍ଷରୁ ସଚେତନତା କରାଯିବା ଓ ଗାଡ଼ି ଚାଳକଙ୍କ ପାଇଁ କ’ଣ କ’ଣ ନିୟମ ରହିଛି, ତାହା ମଧ୍ୟ ଜଣାଇବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

ଆଇନଜୀବୀ ମନୋରଂଜନ ମହାନ୍ତିଙ୍କ ମତରେ, ନୂଆ ମୋଟର ଯାନ(ସଂଶୋଧନ) ଆଇନ ୨୦୧୯ରେ ଗାଡ଼ି ଚାଳକମାନଙ୍କ ପାଇଁ କେତେକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଇନର ଧାରା ୧୫୮ କହୁଛି, ଦୁର୍ଘଟଣା କିମ୍ବା କୌଣସି ବିଶେଷ ମାମଲାରେ ଗାଡ଼ିର କାଗଜପତ୍ର ଦେଖାଇବାର ସମୟ ୭ଦିନ ଧାର୍ଯ୍ୟ ହୋଇଛି। ଟ୍ରାଫିକ୍ ପୁଲିସ ସଙ୍ଗେ ସଙ୍ଗେ ଏଥିପାଇଁ ଆବଶ୍ୟକ କାଗଜପତ୍ର ମାଗି ପାରିବେ ନାହିଁ। ନୂତନ ଆଇନ ଲାଗୁ ହେବା ପରେ ସରକାରୀ କର୍ମଚାରୀଙ୍କୁ ସ୍ବତନ୍ତ୍ର ଭାବେ ତାଲିମ୍ ଦିଆଯିବା ସହ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକତା ଥିଲା। ମାତ୍ର -ତରବରିଆ ଭାବେ ଏହାକୁ ଲାଗୁ କରିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅପରପକ୍ଷରେ କେନ୍ଦ୍ରୀୟ ମୋଟରଯାନ ସଂଶୋଧନ ଆଇନକୁ ନେଇ ସଂସଦରେ ଆଲୋଚନା ଜାରି ରହିଥିବା ବେଳେ ଏହାର ପୂର୍ବରୁ ରାଜ୍ୟ ସରକାର ଓଡ଼ିଶା ମୋଟରଯାନ(ଆକ୍ସିଡେଣ୍ଟସ୍ କ୍ଲେମ୍ ଟ୍ରିବ୍ୟୁନାଲ) ରୁଲ୍‌ସକୁ ଲାଗୁ କରି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଆଇନ ଓ ରାଜ୍ୟରେ ଲାଗୁ ହୋଇଥିବା ଆଇନ ପରସ୍ପର ମଧ୍ୟରେ ଖାପ ଖୁଆଉଛନ୍ତି କି ନାହିଁ, ତାହାର ତର୍ଜମା ହେବାର ଆବଶ୍ୟକତା ରହିଛି। ମାତ୍ର ଏହାକୁ ତର୍ଜମା ନ କରି ଏଭଳି ରୁଲ୍‌ସ ଆଣିବାର କ’ଣ ଆବଶ୍ୟକତା ଥିଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର