ସମ୍ବର୍ଦ୍ଧିତ ଶିଳ୍ପୀଙ୍କ ଡକ୍ୟୁମେଣ୍ଟେସନ କରାଯିବ, ପ୍ରକାଶ ପାଇବ ଶିଳ୍ପୀ ପରିଚୟ ପୁସ୍ତକ

ଭୁବନେଶ୍ୱର : କଳା ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ଖ୍ୟାତି ଅର୍ଜନ କରିଥିବା ଶିଳ୍ପୀଙ୍କ ସବିଶେଷ ବିବରଣୀ ସମ୍ବଳିତ ପୁସ୍ତକ ପ୍ରକାଶ କରିବ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଛି। ଏହି ପୁସ୍ତକରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ୱାରା ୧୯୯୦ରୁ ଏଯାବତ ସମ୍ବର୍ଦ୍ଧିତ ହୋଇଥିବା ଶିଳ୍ପୀଙ୍କ ବିଷୟରେ ସୂଚନା ରହିବ। ପୁସ୍ତକଟି କେବଳ କଳାକାରଙ୍କ ଉପରେ ଗବେଷଣାରତ ଗବେଷକଙ୍କୁ ସାହାଯ୍ୟ କରିବ ନାହିଁ, ବରଂ ସବୁଦିନ ପାଇଁ କଳାକାରଙ୍କ ସୂଚନା ପୁସ୍ତିକା ଭାବେ ସଂରକ୍ଷିତ ରହିବ।

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ କହିଛନ୍ତି, କଳାକାରଙ୍କ ସମ୍ବଦ୍ଧରେ ସଂକ୍ଷେପରେ ଅନେକ ତଥ୍ୟ ବହନ କରିବ। ଆଗାମୀ ପିଢ଼ିର କଳାକାରଙ୍କୁ ପ୍ରୋତ୍ସାହନ ଯୋଗାଇବା ସହ କଳାକାରଙ୍କ ଅବଦାନ ବିଷୟରେ ଜାଣିବାରେ ସହାୟକ ହେବ। ଦୀର୍ଘ ୨୦ ବର୍ଷ ପରେ ଏକାଡେମିର ମୁଖପତ୍ର ‘ରଙ୍ଗଭୂମି’ ପ୍ରକାଶ ପାଇଥିବା ବେଳେ କଳା ଓ କଳାକାରଙ୍କ ସମ୍ବଦ୍ଧରେ ଡକ୍ୟୁମେଣ୍ଟେସନକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ କିଛିମାସ ତଳେ ଏକାଡେମି ପରିସରରେ ଦୃଶ୍ୟଶ୍ରାବ୍ୟ ଅଭିଲେଖାଗର ପ୍ରତିଷ୍ଠା ସହ ପୁସ୍ତକ ପ୍ରକାଶନକୁ ପ୍ରାଧାନ୍ୟ ଦିଆଯାଉଛି।

ଏହା ବ୍ୟତୀତ ୧୯୭୮ ମସିହାରେ ପ୍ରକାଶ ପାଇଥିବା ଓଡିଶୀ ନୃତ୍ୟ ଆଲୋଚନା ପୁସ୍ତକର ଇଂରାଜୀ ଅନୁବାଦ କରାଯାଉଛି। କେଦାରନାଥ ମହାପାତ୍ର, ସତ୍ୟନାରାୟଣ ରାଜଗୁରୁ, କାଳୀଚରଣ ପଟ୍ଟନାୟକ, ସଦାଶିବ ରଥଶର୍ମାଙ୍କ ଭଳି ବିଦ୍ୱାନ ବ୍ୟକ୍ତିତ୍ୱ ଓଡ଼ିଶୀ ନୃତ୍ୟ ସଂକ୍ରାନ୍ତରେ ସେହି ପୁସ୍ତକରେ ଆଲୋଚନା କରିଥିବାରୁ ଏହାକୁ ସୁଦୁରପ୍ରସାରୀ କରିବା ପାଇଁ ଏହି ପ୍ରୟାସ କରାଯାଇଛି ବୋଲି ଶ୍ରୀ ରଥ କହିଛନ୍ତି।

ସମ୍ବନ୍ଧିତ ଖବର