ବବି ବାବୁ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି କି: ବିଜେପି

ଭୁବନେଶ୍ବର : ବ୍ରିଟିସ ଶାସନ ସମୟର ଘୃଣ୍ୟପ୍ରଥା ଥିବା ‘କ୍ରୀତଦାସ ପ୍ରଥା’କୁ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦୋହରାଇ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି କି ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତକାଲି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦରକାର ପଡ଼ିଲେ କ୍ରୀତଦାସ ହେବି ବୋଲି ଯାହା କହିଛନ୍ତି, ବୋଧ ହୁଏ ସେ ଇତିହାସକୁ ଠିକ୍ ଭାବେ ଅନୁଶୀଳନ ନ କରି କହିଛନ୍ତି। ତାଙ୍କର ମନ୍ତବ୍ୟ ସାମନ୍ତବାଦୀ ମାନସିକତାର ପରିଚୟ।

ବ୍ରିଟିସ ଶାସନ କାଳରେ ପରାଧୀନତା ସମୟରେ ଥିବା କ୍ରୀତଦାସ ଭଳି ଘୃଣ୍ୟପ୍ରଥାକୁ ବବି ବାବୁ ଉଠାଇ ଏହାକୁ ପୁନର୍ଜୀବିତ କରିଛନ୍ତି। ଏଥିରୁ ଜଣାପଡୁଛି, ଓଡ଼ିଶା ଏବେ କେଉଁ ସ୍ଥିତିରେ ଅଛି ଏବଂ କେଉଁ ଆଡ଼କୁ ଗତି କରୁଛି? ଓଡ଼ିଶାରେ ବ୍ରିଟିସ ଶାସନ ସମୟର ପରମ୍ପରା ଲାଗୁ କରିବା ତଥା ରାଜ୍ୟକୁ ପରାଧୀନ ମାନସିକତା ଆଡ଼କୁ ନେବାର ଯୋଜନା ନାହିଁ ତ? ବବି ବାବୁ କାହାର କ୍ରୀତଦାସ ହେବା ପାଇଁ ଚାହୁଁଛନ୍ତି? ବୋଧ ହୁଏ ସେ ନିଜ ଚାକିରି ବଞ୍ଚାଇବା ପାଇଁ କିଛି ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ମନ ବଳାଇଛନ୍ତି। ଯାହା ଜଣେ ରାଜନୀତିରେ ଥିବା ବ୍ୟକ୍ତି ପାଇଁ କଷ୍ଟଦାୟକ।

ଯେଉଁଠି ପ୍ରଶାସନିକ ଅଧିକାରୀ ରୁମ୍‌ ଭିତରେ ବସିଛନ୍ତି ଏବଂ ବାହାରେ ଜଣେ ବିଧାୟକ ଦ୍ୱାର ପାଖରେ ରହି ଡ୍ୟୁଟି କରୁଛନ୍ତି, ଏହା କେଉଁ ପ୍ରକାରର ପରମ୍ପରା। ବବି ବାବୁ ବାହାର ଜିଲ୍ଲାକୁ ଯାଇ ସରକାରୀ କାର୍ଯ୍ୟରେ ସହଯୋଗ କରୁଛନ୍ତି ବୋଲି କହୁଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ କରାଇଥିଲେ ଭଲ ହୋଇଥାନ୍ତା। କରାଇନାହାନ୍ତି କାହିଁକି? ତାଙ୍କ କଥାରୁ ଜଣାପଡୁଛି, ଦକ୍ଷତା ଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳ ବାହାରେ ରଖିଛନ୍ତି ଓ ଦକ୍ଷତା ସମ୍ପନ୍ନ ନଥିବା ଲୋକଙ୍କୁ ମନ୍ତ୍ରିମଣ୍ଡଳ ଭିତରେ ରଖିଛନ୍ତି। ୫-ଟି ଏକ ଚିନ୍ତାଧାରା ବୋଲି ବିଜେଡି କହୁଛି। ଚିନ୍ତାଧାରାଟି ଲୋକଙ୍କ ସମସ୍ୟାର ସମାଧାନ କରିବ କେମିତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର