ଭୁବ‌ନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜରାଜୀର୍ଣ୍ଣ ଘରକୁ ନେଇ ମଙ୍ଗଳବାର ଦିନ ବିଧାନସଭାରେ ଭୀଷଣ ଉଦ୍‌ବେଗ ପ୍ରକାଶ କରିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଅତୀତକୁ ନେଇ ଗର୍ବ କରିବା ଆବଶ୍ୟକ ବୋଲି ସେ ମତ ଦେବାସହ ପୂର୍ବ ସୂରୀମାନଙ୍କ ସ୍ମୃତି ରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Advertisment

publive-image Telegraph India

ଶୂନ୍ୟକାଳରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଆମର ଐତିହ୍ୟ, ପରମ୍ପରା ଓ ଅତୀତକୁ ନେଇ ଆମେ ଗର୍ବ କରୁ। ଅତୀତକୁ ନେଇ ଆମେ କିଛି ଉଦାହରଣ ଛାଡ଼ିବା ଉଚିତ। ସାରା ଦେଶରେ ତ ଅତୀତକୁ ବଦନାମ କରିବାକୁ ଉଦ୍ୟମ ଚାଲିଛି। ସେ ଦିଗକୁ ଯାଉ ନାହିଁ। ଓଡ଼ିଶା ମାଟିରେ ଆମେ ଜନ୍ମିତ। ତେଣୁ ଏହି ମାଟିର ଅତୀତକୁ ନେଇ ଆମେ ଗର୍ବ କରିବା କଥା। ବିଧାନସଭା ଏ ଦିଗରେ ଏକମତ ହେବ ବୋଲି ମୁଁ ଭାବୁଛି। ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀ ଯେଉଁ ଘରେ ରହୁଥିଲେ, ସେହି ଘରକୁ ଆମେ ଏବେ କେମିତି ରଖିଛେ? ଆମେ ପୂର୍ବ ସୂରୀମାନଙ୍କ ସ୍ମୃତି ରକ୍ଷା କଥା ସବୁ‌ବେଳେ କହୁଛେ। ମନ୍ଦିରକୁ ସଫାସୁତୁରା ଓ ସୌନ୍ଦର୍ଯ୍ୟୀକରଣ କରାଯାଉଛି। ଏହା ସ୍ବାଗତଯୋଗ୍ୟ। ତାହା ସହ ଅତୀତର ଗୌରବ ବହନ କରୁଥିବା କିଛି ଅନୁଷ୍ଠାନକୁ ସୁନ୍ଦର କରିବା ପାଇଁ ମଧ୍ୟ ଚେଷ୍ଟା ହେବା ଆବଶ୍ୟକ।

publive-image

ଯଦି କେହି ରାଜ୍ୟ ତଥା ଦେଶ ବାହାରର ପର୍ଯ୍ୟଟକ ସେହି ବାଟ ଦେଇ ଯିବେ, ଏହି ଘରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ରହୁଥିଲେ ବୋଲି ତାଙ୍କୁ ଦେଖାଇବାକୁ ଟୁରିଷ୍ଟ ଗାଇଡ୍‌ଙ୍କୁ ଲାଜ ଲାଗିବ। ଯଦି କେଉଁଠି ଘର ପୋଡ଼ିଯାଉଛି ଆମେ କଳା ଜରି ଖଣ୍ଡେ ଯୋଗାଇ ଦେଉଛୁ। କିମ୍ବା କାହାର ଘର ନଥିଲେ, ଆମେ ଆବାସ ଯୋଜନାରେ ଘର ଦେଉଛୁ। ନବକୃଷ୍ଣ ଚୌଧୁରୀଙ୍କର ଏ ଘର କ’ଣ ଆବାସ ପାଇବାକୁ ଯୋଗ୍ୟ ବିବେଚିତ ହେଉନି? ଭବିଷ୍ୟତରେ ନିଶ୍ଚିତ ଆମକୁ ପ୍ରଶ୍ନ ହେବ, ତୁମେ କ’ଣ ତୁମ ପୂର୍ବ ସୂରୀମାନଙ୍କୁ ସମ୍ମାନ ଦେଇ ଶିଖିନ? ଏ ଦିଗରେ ସରକାର ପଦକ୍ଷେପ ନେବା ଆବଶ୍ୟକ। ଏହି ଅବସରରେ ‌ନବକୃଷ୍ଣ ଚୌଧୁରୀଙ୍କ ସେହି ଜରାଜୀର୍ଣ୍ଣ ଘରର ଫଟୋକୁ ଶ୍ରୀ ପଟ୍ଟନାୟକ ଗୃହରେ ଦେଖାଇଥିଲେ। ଗୃହରେ ଅନ୍ୟ ସଦସ୍ୟମାନେ ଶ୍ରୀ ପଟ୍ଟନାୟକଙ୍କ ଦାବିକୁ ସମର୍ଥନ କରିଥିଲେ।

ଗଣମାଧ୍ୟମରେ ଶ୍ରୀ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖି କହିଥିଲେ, ଆମ ପିଲାଙ୍କ ଆଗରେ ଆମେ ଆଉ କେଉଁ ଆଦର୍ଶ ପୁରୁଷମାନଙ୍କୁ ରଖିବା? ଯେଉଁ ବ୍ୟକ୍ତି ଛୋଟିଆ କଥାଟିରେ ମୁଖ୍ୟମନ୍ତ୍ରୀ ପଦବି ଛାଡ଼ିଦେଇଥିଲେ, କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ପଦବି ମନା କରିଦେଇଥିଲେ, ଯାହାଙ୍କ ପତ୍ନୀ ମାଳତୀ ଚୈାଧୁରୀ ମଧ୍ୟ ଲୋକଙ୍କ ପାଇଁ ସମର୍ପିତା, ସେଭଳି ବ୍ୟକ୍ତିଙ୍କ ପାଇଁ କ’ଣ ସାମାନ୍ୟ କଥାଟିଏ କରାଯାଇପାରିବନି? ସେହି ନବକୃଷ୍ଣ ଚୌଧୁରୀଙ୍କ ଘରକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରମୁଖ ଆସିବାକୁ ଚାହିଲେ ମଧ୍ୟ ଘରଟିର ଅବସ୍ଥା ଓ ସେମାନଙ୍କ ନିରାପତ୍ତା ଦୃଷ୍ଟିରୁ ମନାକରାଯାଉଥିଲା। ତେଣୁ ସରକାର ଘରର ପୁନଃରୁଦ୍ଧାର ପାଇଁ ବିଚାର କରିବା ଉଚିତ।