ସାବଧାନ! ପ୍ଲେ’ ଷ୍ଟୋର୍‌ ବାହାରୁ କରନ୍ତୁ ନାହିଁ ଆପ୍‌ ଡାଉନ୍‌ଲୋଡ୍‌

ହୋଇପାରନ୍ତି ବଡ଼ ଠକେଇର ଶିକାର

ସମ୍ବଲପୁର: ସାବଧାନ! ଆପଣ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ବ୍ୟବହାର କରୁଛନ୍ତି କି? ଇଣ୍ଟରନେଟ୍‌ର ବହୁଳ ବ୍ୟବହାର କରୁଛନ୍ତି କି? ଆଉ ପ୍ଲେ‌ ଷ୍ଟୋର୍‌ ବାହାରୁ କିଛି ଆପ୍‌ ଡାଉନ୍‌ଲୋଡ୍‌ କରୁଛନ୍ତି ? ଯଦି ଏସବୁ କରୁଥା’ନ୍ତି ତେବେ ସତର୍କ ହୋଇଯା’ନ୍ତୁ। ନଚେତ ଆପଣ ସାଇବର ଠକଙ୍କ ଜାଲରେ ପଡ଼ିପାରନ୍ତି। ଲକ୍ଷ ଲକ୍ଷ ଟଙ୍କା ହରାଇ ପାରନ୍ତି। ଦିନକୁ ଦିନ ଇଣ୍ଟରନେଟର ବହୁଳ ବ୍ୟବହାରର ଫାଇଦା ଏବେ ସାଇବର ଅପରାଧୀମାନେ ଉଠାଇବାରେ ଲାଗିଛନ୍ତି। ପୁଲିସ ନିରବଦ୍ରଷ୍ଟା ସାଜିଥିବା ବେଳେ ଅନେକ ଲୋକ ଲୋଭରେ ପଡ଼ି ସାଇବର୍‌ ଠକଙ୍କ ଶିକାର ହେଉଛନ୍ତି। କିଛି ଲୋକ ଭୟଭୀତ ହୋଇ ସାଇବର୍‌ ଠକଙ୍କ ଜାଲରେ ପଡ଼ୁଛନ୍ତି। ସମ୍ବଲପୁର ଜିଲ୍ଲା ପୁଲିସ ଏ ବାବଦରେ ଲୋକଙ୍କୁ ସଚେତନ କରୁ ନଥିବାରୁ ସମ୍ବଲପୁର ସହରରେ ସାଇବର ଠକେଇ ସଂଖ୍ୟା ବଢ଼ିବାରେ ଲାଗିଛି।

ବର୍ତ୍ତମାନ ପିଲାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି। ଏସବୁ ଭିତରେ ସାଇବର୍‌ ଠକମାନେ ଲୋକଙ୍କୁ ବିଭିନ୍ନ ଆପ୍ଲିକେସନ୍‌ ମାଧ୍ୟମରେ ଠକିବା ଆରମ୍ଭ କରିଛନ୍ତି। କୋଭିଡ୍‌ ଆସିବା ପରଠୁ ଏଣ୍ଟରଟେନ୍‌ମେଣ୍ଟ କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି। ସିନେମା ହଲ୍‌ ବନ୍ଦ ହେବା ପରେ ଓଟିଟି ପ୍ଲାଟ୍‌ଫର୍ମରେ ଚାହିଦା ବେଶ୍‌ ବୃଦ୍ଧି ପାଇଛି। କିନ୍ତୁ ଏହି ପ୍ଲାଟ୍‌ଫର୍ମରେ ଫିଲ୍ମ କିମ୍ବା ୱେବ୍‌ ସିରିଜ୍‌ ଦେଖିବାକୁ ଲୋକଙ୍କୁ ଇଣ୍ଟରନେଟ୍‌ ସହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ଏସବୁକୁ କିଭଳି ମାଗଣାରେ ଦେଖିବେ ଅନେକ ଲୋକ ଚେଷ୍ଟା କରିଥା’ନ୍ତି।

ଏହା ସହିତ ଭିଡିଓ ଏଡିଟିଂ କରି ସାମାଜିକ ଗଣମାଧ୍ୟମରେ ଷ୍ଟାଟସ୍‌ ରଖିବା ବର୍ତ୍ତମାନ ଲୋକଙ୍କର ଏକ ସଉକ୍‌ ହୋଇସାରିଲାଣି। ଯାହାର ଫାଇଦା ଏବେ ସାଇବର୍‌ ଠକମାନେ ଉଠାଉଛନ୍ତି। ଏସବୁ ଫ୍ରି’ରେ ଦେଖାଇବା ପାଇଁ ସାଇବର୍‌ ଠକମାନେ ନକଲି ଆପ୍ ପ୍ରସ୍ତୁତ କରି ୱେବସାଇଟ୍‌ରେ ଛାଡୁଛନ୍ତି। ଯେଉଁ ଆପ୍‌ଗୁଡ଼ିକୁ ଡାଉନ୍‌ଲୋଡ କରିବା ଦ୍ବାରା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି। କେଉଁ ଆପ୍‌ଟି ସୁରକ୍ଷିତ, କେଉଁଟି ନୁହେଁ,  ତା ଉପରେ ଲୋକେ ସଚେତନ ନଥିବାରୁ ଠକେଇର ଶିକାର ହେଉଛନ୍ତି।

କେମିତି ହେଉଛନ୍ତି ଠକେଇର ଶିକାର

ବର୍ତ୍ତମାନ ଅଧିକାଂଶ ଲୋକେ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି। ଫ୍ରି’ରେ ଅନେକ କିଛି ପାଇବା ପାଇଁ ଗୁଗୁଲ୍‌ରେ ଆପ୍‌ ସର୍ଚ୍ଚ କରିଥା’ନ୍ତି। ଅନେକ ଲୋକଙ୍କୁ ଆପ୍‌ ଡାଉନ୍‌ଲୋଡ୍‌ କରିବା ପାଇଁ ସାଇବର୍‌ ଠକମାନେ ଲିଙ୍କ ମଧ୍ୟ ପଠାଇଥା’ନ୍ତି। ଓଟିଟି ପ୍ଲାଟ୍‌ଫର୍ମର ମାଗଣା ସେବା ସାଙ୍ଗକୁ ଫଟୋ ଓ ଭିଡିଓ ଏଡିଟିଂ, ମନୋରଞ୍ଜନ ଭଳି ଆପ୍‌ର ଲିଙ୍କ୍‌ ପଠାଇଥା’ନ୍ତି।

ଆପ୍‌ ଇନ୍‌ଷ୍ଟଲ୍‌ କରିବା ପରେ ଅପରାଧୀମାନେ ମୋବାଇଲରେ ଥିବା ବ୍ୟକ୍ତିଗତ ତଥ୍ୟ ହାସଲ କରିବାରେ ସଫଳ ହୋଇ ଯାଇଥା’ନ୍ତି। ଏଭଳି ଆପ୍‌ ବ୍ୟବହାର କରୁଥିବା ଅନେକ ଲୋକଙ୍କୁ ବ୍ଲାକମେଲିଂ କରାଯାଉଥିବା ଭଳି ଅଭିଯୋଗ ଆସୁଛି। ସାଇବର୍‌ ଠକଙ୍କ ଦ୍ବାରା ତିଆରି ହୋଇଥିବା ଆପ୍‌ ଇନ୍‌ଷ୍ଟଲ୍‌ କରିଦେଲେ, ସମସ୍ତ ବ୍ୟକ୍ତିଗତ ତଥ୍ୟ ସାଇବର୍‌ ଠକଙ୍କ ହାତକୁ ଚାଲିଯାଇଥାଏ।

ଅନେକ ଲୋକ ମୋବାଇଲ୍‌ରେ ବ୍ୟାଙ୍କ ତଥ୍ୟ ରଖୁଥିବା ବେଳେ ଯୁବପିଢ଼ି, ମୋବାଇଲ୍‌ରେ ବ୍ୟକ୍ତିଗତ ଫଟୋ ଓ ଭିଡିଓ ରଖିଥା’ନ୍ତି। ବ୍ୟକ୍ତିଗତ ଜିନିଷ ସେମାନଙ୍କ ହାତରେ ପଡ଼ିଲେ, ସେମାନେ ବ୍ଲାକ୍‌ମେଲିଂ କରିବା ଆରମ୍ଭ କରିଥା’ନ୍ତି। ବ୍ୟାଙ୍କ ତଥ୍ୟ ପାଇବା ପରେ ଠକେଇ ମଧ୍ୟ କରନ୍ତି। ଅନେକ ଏଭଳି ଠକେଇର ଶିକାର ହେଉଥିବା ବେଳେ ଲୋକଲଜ୍ଜା ଭୟରେ ଥାନାରେ ଅଭିଯୋଗ କରୁ ନଥିବା ସାଇବର୍‌ ଏକ୍‌ସପର୍ଟ କହିଛନ୍ତି। ଯେଉଁ କାରଣରୁ ଅନେକ ଘଟଣା ସାମ୍ନାକୁ ଆସିପାରୁ ନଥିବା ସେ କହିଛନ୍ତି।

ଠକେଇରୁ ବର୍ତ୍ତିବେ କେମିତି

ସାଇବର୍‌ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀ ପ୍ଲେ’ ଷ୍ଟୋର୍‌ରେ ମିଳୁଥିବା ଆପ୍‌ଗୁଡ଼ିକୁ ହିଁ ବ୍ୟବହାର କରିବା ଉଚିତ୍‌। ସାଧାରଣତଃ ୱେବ୍‌ସାଇଟ୍‌ରେ କିମ୍ବା ଲିଙ୍କ୍‌ ଦ୍ବାରା ଡାଉନ୍‌ଲୋଡ୍‌ ପାଇଁ ଆସୁଥିବା ଆପ୍‌ଗୁଡ଼ିକ ପ୍ଲେଷ୍ଟୋର୍‌ରେ ନଥାଏ। ୱେବ୍‌ସାଇଟ୍‌ରୁ ଆପ୍‌ ଡାଉନ୍‌ଲୋଡ୍‌ କରିବା ସମୟରେ ଇନ୍‌ଷ୍ଟଲ୍‌ ପୂର୍ବରୁ ଆଣ୍ଡ୍ରଏଡ୍‌ ପକ୍ଷରୁ ଏହା ମୋବାଇଲ୍‌ ପ୍ରତି ବିପଦପୂର୍ଣ୍ଣ ବୋଲି ଏକ ସତର୍କ ମେସେଜ୍‌ ମଧ୍ୟ ଦିଆଯାଇଥାଏ। ଯାହାକୁ ଲୋକମାନେ ଗୁରୁତ୍ବ ନ ନେଇ ଉକ୍ତ ଆପ୍‌ଗୁଡ଼ିକୁ ଇନ୍‌ଷ୍ଟଲ୍‌ କରିଥା’ନ୍ତି।

ସେଭଳି କୌଣିସି ଆପ୍‌ ଡାଉନ୍‌ଲୋଡ୍‌ କରିବା ଠିକ୍‌ ନୁହେଁ ବୋଲି ସାଇବର୍‌ ଏକ୍ସପର୍ଟ କହିଛନ୍ତି। ଯଦି ସେଭଳି କୌଣସି ଆପ୍‌ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରି ରଖିଛନ୍ତି, ତୁରନ୍ତ ତାକୁ ଅନ୍‌ଇନ୍‌ଷ୍ଟଲ୍‌ କରବା ସହ ଏବଂ ଫୋନ୍‌କୁ ଫର୍ମାଟ୍‌ କରିବା ଆବଶ୍ୟକ। ଏଭଳି କରିବା ଦ୍ବାରା ଫୋନ୍‌ଟି ସୁରକ୍ଷିତ ହୋଇଯାଇଥାଏ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର