ମହାପ୍ରୟାଣ ମିଳିଲାନି, ଅଟୋରେ ବୋହିଲେ ଶବ

ବାଟରେ ଅଟୋ ଖରାପ ହେବାରୁ ହଟହଟା

ଫୁଲବାଣୀ : ଆଜି ସକାଳେ ଫୁଲବାଣୀ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ମହାପ୍ରୟାଣ ଗାଡ଼ି ମିଳିଲାନି। ଅପେକ୍ଷା କରି କରି ଶେ‌ଷରେ ଶବକୁ ପରିବାର ଲୋକେ ଅଟୋରେ ବୋହିଛନ୍ତି। ଏହାକୁ ନେଇ ସାମାନ୍ୟ ଉତ୍ତେନା ପରିସ୍ଥିତି ଉପୁଜିଥିଲା। ଗତ ଦୁଇ ଦିନ ତଳେ ବାଲିଗୁଡ଼ା ବ୍ଲକ୍ ବାରଖମାର ଜଣେ ମହିଳା ମିଲି ଗାଉଁଟିଆ(୪୨) ଯକ୍ଷ୍ମାରେ ପୀଡ଼ିତ ହୋଇ ଜିଲ୍ଲା ସଦର ମହକୁମା ହସ୍ପିଟାଲକୁ ଆସିଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ହେବା ସହ ଆଜି ସକାଳ ୭ଟାରେ ତାଙ୍କ ମୃତ୍ୟୁ ହୋଇଥିଲା। ପରେ ଡାକ୍ତରମ‌ାନେ ତୁରନ୍ତ ଶବ ନେଇଯିବାକୁ ବ୍ୟସ୍ତ କରିବାରୁ ମୃତକଙ୍କ ସମ୍ପର୍କୀୟମାନେ ମହାପ୍ରୟାଣ ଗାଡ଼ି ପାଇଁ ଅପେକ୍ଷା କରିଥିଲେ। କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ ବ୍ୟସ୍ତ କରିବାରୁ ତରବରିଆ ଭାବେ ଏକ ଅଟୋ ଭଡ଼ା କରି ଶବକୁ ଗାଁକୁ ନେଇଥିଲେ। ମାତ୍ର ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ନେବା ପାଇଁ ମହାପ୍ରୟାଣ ଗାଡ଼ି ଯୋଗାଇବା ଦିଗରେ ମାମାନ୍ୟ ତତ୍ପରତା ଦେଖାଇ ନଥିଲେ।

ବଡ଼କଥା ହେଉଛି, ଶବ ନେବା ବେଳେ ଅଟୋଟି ବାଟରେ ବାରମ୍ବାର ଖରାପ ହୋଇଥିଲା। ଫଳରେ ସମ୍ପର୍କୀୟମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଥିଲେ। ସ୍ଥାନୀୟ ମାଦିକୁନ୍ଦା ଛକ ନିକଟରେ ଅଟୋ ଅଚଳ ହୋଇ ପଡ଼ିଥିଲା। ଚାଳକ ମେକାନିକ୍‌ ଡାକି ଅଟୋ ସଜାଡ଼ି ଥିଲେ। ଏହା ମଧ୍ୟରେ ଦୁଇଘଣ୍ଟା ଶବ ରାସ୍ତାକଡ଼େ ପଡ଼ି ରହିଥିଲା। ଘଟଣା ସଂପର୍କରେ ସମ୍ପର୍କୀୟମାନେ ପ୍ରଥମେ ଜିଲ୍ଲା ପରିଷଦ ସଭାପତି ନନ୍ଦିନୀ ମଲିକଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। ପରେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ମଲିକ ଏନ୍‌ଏଚ୍‌ଏମ୍‌ ଡିପିଏମ୍‌ ମନୋରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିଥିଲେ। ଫୁଲବାଣୀ ଜିଲ୍ଲା ସଦର ମହକୁମା ହସ୍ପିଟାଲ ପକ୍ଷରୁ କାହିଁକି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଗଲାନି ବୋଲି ଜିଲ୍ଲା ପରିଷଦ ସଭାପତି ଏନ୍‌ଏଚ୍‌ଏମ୍‌ ଡିପିଏମ୍‌ ଶ୍ରୀ ସାହୁଙ୍କୁ ପ୍ରଶ୍ନ କରିଥିଲେ।

ଏହା ମଧ୍ୟରେ ଶବ ନେଇ ଯାଉଥିବା ଅଟୋଟି ଠିକ୍‌ ହୋଇଯିବାରୁ ବାଲିଗୁଡ଼ା ଅଭିମୁଖେ ଯାତ୍ରା କରିଥିଲା। ମାତ୍ର, ଦୁର୍ଭାଗ୍ୟର କଥା ଅଟୋଟି ପୁଣି ଥରେ ବାଟରେ ଖରାପ ହୋଇଥିଲା। ବାଟରେ ବାରମ୍ବାର ଅଟୋ ଖରାପ ହେବାରୁ ସମ୍ପର୍କୀୟମାନେ ବାରମ୍ବାର ଜିଲ୍ଲା ପରିଷଦ ସଭାପତିଙ୍କୁ ଫୋନ୍‌ କରି ବ୍ୟସ୍ତ କରି ପକାଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଥିବା ମହାପ୍ରୟାଣ ଗାଡ଼ି କାହା ପାଇଁ? ବାରଖମା ଭଳି ଦୁର୍ଗମ ଅଞ୍ଚଳର ରୋଗୀଙ୍କର ମୃତ୍ୟୁ ହେବାପରେ ଯଦି ଶବ ବୋହିବା ପାଇଁ ମହାପ୍ରୟାଣ ଗାଡ଼ି ନମିଳିବ ଆଉ କ’ଣ କରାଯିବ ବୋଲି ଜିଲ୍ଲା ପରିଷଦ ସଭାପତି ପ୍ରଶ୍ନ କରିଛନ୍ତି। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଭୟ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିଛିଦିନ ତଳେ ଫିରିଙ୍ଗିଆ ବ୍ଲକ୍‌ର ଜଣେ ରୋଗୀର ଶବକୁ ଅଟୋରେ ବୁହା ହେବା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର