ଫୁଲବାଣୀ/ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଖାଇ ଦୁଇ ଆଦିବାସୀ ମହିଳାଙ୍କ ମୃତ୍ୟୁ ହେବା ଏବଂ ୬ ଜଣ ଗୁରୁତର ଅସୁସ୍ଥ ହେବା ଘଟଣାକୁ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଆଜି ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି।  ଶ୍ରୀ ମହାପାତ୍ର ଆଜି ମାଣ୍ଡିପଙ୍କା ଗ୍ରାମକୁ ଯାଇ ମୃତକ ଓ ଅସୁସ୍ଥଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ତାଙ୍କ ସହ ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଉପସ୍ଥିତ ଥିଲେ। କେଉଁ ପରିସ୍ଥିତିରେ ଗ୍ରାମବାସୀ ଆମ୍ବଟାକୁଆ ଖାଇଥିଲେ ସେନେଇ ପଚାରି ବୁଝିଥିଲେ।
Advertisment
 
‘ମୁଖ୍ୟମନ୍ତ୍ରୀ ତ ଆଦିବାସୀ ସମ୍ପ୍ରଦାୟର’
ଆମ୍ବଟାକୁଆ ପାରମ୍ପରିକ ଖାଦ୍ୟ ନୁହେଁ
ମୃତକ, ଅସୁସ୍ଥଙ୍କ ପରିବାରକୁ ଭେଟିଲେ
ପରେ ଫୁଲବାଣୀସ୍ଥିତ ହୋଟେଲ୍‌ ‘ସାଲୁଙ୍କୀ’ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କ ବିଫଳତାକୁ ସମାଲୋଚନା କରିଥିଲେ। ଏଥିପାଇଁ ଓଡ଼ିଶାର ଛବି ଖରାପ ହୋଇଛି। ଆମ୍ବଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ବୋଲି ସରକାର ସଫେଇ ଦେଉଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ତ ଜଣେ ଆଦିବାସୀ ସମ୍ପ୍ରଦାୟର। ସେ କ’ଣ ପରମ୍ପରା ରକ୍ଷା କରିବାକୁ ଯାଇ ଆମ୍ବଟାକୁଆ ଖାଉଛନ୍ତି କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଆମ୍ବଟାକୁଆ ‌କୌଣସି ପ୍ରକାରର ଏକ ପାରମ୍ପରିକ ଖାଦ୍ୟ ନୁହେଁ। ଭୋକ ବିକଳରେ ଆଦିବାସୀମାନେ ଏହାକୁ ଖାଉଛନ୍ତି। ସରକାର ଆଦିବାସୀ ଅଞ୍ଚଳରେ କ୍ଷୁଧା ନିବାରଣ ଦିଗରେ ବିଫଳ ହୋଇଛନ୍ତି। ମାସିକ ମୁଣ୍ଡ ପିଛା ୫ କିଲୋ ଚାଉଳ କ୍ଷୁଧା ନିବାରଣରେ ବିଫଳ ହୋଇଛି। ଅନ୍ୟପ‌ଟେ, ଚାଉଳ ଯୋଗାଣରେ ଅନିୟମିତତା ଯୋଗୁଁ ମାଣ୍ଡିପଙ୍କାରେ ଏଭଳି ସ୍ଥିତି ଉପୁଜିଛି। ମାଣ୍ଡିପଙ୍କା ଗ୍ରାମରେ ଦାରିଦ୍ର୍ୟ ଉତ୍କଟ ରୂପ ଧାରଣ କରିଛି। ଦାରିଦ୍ର୍ୟ ଓ ଅନାହାର ଯୋଗୁଁ ଗ୍ରାମର ଶତକଡ଼ା ୮୦ ପ୍ରତିଶତ ମଣିଷ ଦାଦନ ଖଟିବାକୁ ବାହାରକୁ ଚାଲିଯାଇଛନ୍ତି। ଗାଁ ଏବେ ପ୍ରାୟ ପୁରୁଷଶୂନ୍ୟ।
ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି, ରାଜ୍ୟରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ପରେ ବି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରିମଣ୍ଡଳର କୌଣସି ସଦସ୍ୟ କନ୍ଧମାଳ ନ ଆସିବା ଆଦିବାସୀଙ୍କ ପ୍ରତି ଚରମ ଅବହେଳାକୁ ଦର୍ଶାଉଛି। ଅନ୍ୟପ‌‌ଟେ, ମାଣ୍ଡିପଙ୍କା ଗ୍ରାମରେ ଖାଦ୍ୟାଭାବ ସମେତ ଅନ୍ୟାନ୍ୟ ‌ଅନେକ ମୌଳିକ ସମସ୍ୟା ରହିଛି। ଗାଁରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଆଗାମୀ ଦିନରେ ପାଣି ପାଇଁ ମାଣ୍ଡିପଙ୍କାରେ ପୁଣି ଏକ ଅଘଟଣ କାହିଁକି ନ ଘଟିବ ବୋଲି ଶ୍ରୀ ମହାପାତ୍ର ଆଶଙ୍କା ପ୍ରକାଶ କରିଛନ୍ତି। ମାଣ୍ଡିପଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ବଣ୍ଟନ ଓ ରନ୍ଧାଖାଦ୍ୟ ଦେବା ସହ ସ୍ବାସ୍ଥ୍ୟ କ୍ୟାମ୍ପ୍‌ କରି ଲୋକଙ୍କୁ ଚିକିତ୍ସା ସୁବିଧା ଦିଆଯିବା ଆବଶ୍ୟକ ବୋଲି ସେ କହିଥିଲେ।