ରୋଗୀଙ୍କୁ ଦିଆଯାଉଥିବା ପ୍ଲାଜ୍ମାରେ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ଅଛି ତ?
ରାଜ୍ୟରେ ପ୍ଲାଜ୍ମା ଥେରାପି, ଦିଆଗଲାଣି ୨୫୦୭ରୁ ଅଧିକ ସିଙ୍ଗିଲ ଡୋଜ୍, ୪୩୨ରୁ ଅଧିକ ଡବଲ ଡୋଜ୍
ଭୁବନେଶ୍ବର: କରୋନା ସଂକ୍ରମଣ ଯୋଗୁଁ ଗୁରୁତର ହୋଇ ପଡ଼ୁଥିବା ରୋଗୀମାନଙ୍କ ପାଇଁ ପ୍ଲାଜ୍ମା ଥେରାପି ଦିଆଯାଉଛି। ପୂର୍ବରୁ ଯେଉଁରୋଗୀମାନେ କାରୋନାରୁ ସୁସ୍ଥ ହେଉଛନ୍ତି ସେମାନଙ୍କର ପ୍ଲାଜ୍ମା ସଂଗ୍ରହ କରାଯାଇ ଗୁରୁତର ରୋଗୀଙ୍କୁ ଦିଆଯାଉଛି। ତେବେ ନିକଟରେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) ପକ୍ଷରୁ ଦେଶବ୍ୟାପୀ ହୋଇଥିବା ଅଧ୍ୟୟନରେ ପ୍ଲାଜ୍ମା ଥେରାପି ନାମକୁ ମାତ୍ର କାମ କରୁଥିବା କୁହାଯାଇଥିଲା। ଯାହାଫଳରେ ରାଜ୍ୟରେ ଚାଲିଥିବା ପ୍ଲାଜ୍ମା ଥେରାପିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦେଶର କିଛି ହାତଗଣତି ରାଜ୍ୟ ଭିତରେ ଓଡ଼ିଶା ଗୁରୁତର କରୋନା ରୋଗୀଙ୍କୁ ପ୍ଲାଜ୍ମା ଥେରାପି ଯୋଗାଇ ଦେଉଛି। ଆଇସିଏମ୍ଆର ପକ୍ଷରୁ ପ୍ଲାଜ୍ମା ଥେରାପି ବିଫଳ ହେଉଥିବା ନେଇ କୁହାଯିବା ପରେ ମଧ୍ୟ ରାଜ୍ୟରେ ଏହା ଜାରି ରହିଛି। ରାଜ୍ୟ ସରକାରଙ୍କ ଯୁକ୍ତି ହେଲା, ଆଇସିଏମ୍ଆର ପକ୍ଷରୁ ଲିଖିତ ଭାବେ ଏ ପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ। ଲିଖିତ ସୂଚନା ଆସିବା ପରେ ପରବର୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। ତେବେ ସୁସ୍ଥ ରୋଗୀଙ୍କ ଠାରୁ ସଂଗ୍ରହ ହେଉଥିବା ପ୍ଲାଜ୍ମାରେ ପ୍ରକୃତରେ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ରହିଛି କି ନାହିଁ ଏହାକୁ କିଏ ଯାଞ୍ଚ କରୁଛି। ଏ ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ବରଂ ପ୍ରସଙ୍ଗ ସଂପର୍କରେ ଆଲୋଚନା ନ କରିବା ଲାଗି କହୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷଜ୍ଞଙ୍କ ଯୁକ୍ତି ହେଲା, ଅଧିକାଂଶ କରୋନା ରୋଗୀଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେଉନାହିଁ। ବିଶେଷକରି ଲକ୍ଷଣବିହୀନ ଓ ସ୍ବଳ୍ପ ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ଯଥେଷ୍ଟ କମ୍ ପରିମାଣର ଆଣ୍ଟିବଡି ଦେଖିବାକୁ ମିଳୁଛି। କେବଳ ଆଣ୍ଟିବଡି ସୃଷ୍ଟି ହୋଇଗଲେ ହେବ ନାହିଁ, ପ୍ଲାଜମାରେ ଏହା କେତେ ଲେଭଲ୍ ପର୍ଯ୍ୟନ୍ତ ରହିଛି ତାହାର ମଧ୍ୟ ଯାଞ୍ଚ ହେବା ଦରକାର। ମାତ୍ର ଏସବୁ ଯାଞ୍ଚ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗରେ ଉପଯୁକ୍ତ ପରୀକ୍ଷାଗାର ଓ ସମୟ ରହିଛି ତ? ନଚେତ୍ କେବଳ ପ୍ଲାଜ୍ମା ନାଁରେ ଆଣ୍ଟିବଡି ନ ଥିବା ପ୍ଲାଜ୍ମା ରୋଗୀଙ୍କୁ ଦେଇଦେଲେ ସେମାନେ ସୁସ୍ଥ ହୋଇଯାଉଛନ୍ତି ବୋଲି କହିବାର କିଛି ମୂଲ୍ୟ ନାହିଁ। ଏପରିକି କେଉଁ ସମୟରେ ରୋଗୀଙ୍କୁ ପ୍ଲାଜ୍ମା ଥେରାପି ଦିଆଯାଉଛି ତାହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ।
ଜୁଲାଇ ମାସରେ ଓଡ଼ିଶାରେ ପ୍ଲାଜ୍ମା ଥେରାପି ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ବହୁ ସଂଖ୍ୟାରେ କରୋନା ସୁସ୍ଥ ରୋଗୀ ପ୍ଲାଜ୍ମା ଦେବା ପାଇଁ ଆଗେଇ ଆସିଥିଲେ। ପ୍ରଥମେ ଘରୋଇ କୋଭିଡ୍ ହସ୍ପିଟାଲରେ ଏହାର ସୁବିଧା ଆରମ୍ଭ ହୋଇଥିବା ବେଳେ ପରବର୍ତୀ ସମୟରେ ଏସ୍ସିବି, କ୍ୟାପିଟାଲ ହସ୍ପିଟାଲ ଓ ଅନ୍ୟ ସ୍ଥାନରେ ଏହାର ନମୁନା ସଂଗ୍ରହ ଆରମ୍ଭ ହୋଇଥିଲା। ପ୍ଲଜ୍ମା ଦେବା ଲାଗି ଆସୁଥିବା ବ୍ୟକ୍ତିଙ୍କ ପ୍ରଥମଦିନ କୌଣସି ପ୍ରକାର ରୋଗ ଅଛି କି ନାହିଁ ଯାଞ୍ଚ କରାଯାଉଥିବା ବେଳେ ଦ୍ବିତୀୟ ଦିବସରେ ପ୍ଲାଜ୍ମା ସଂଗ୍ରହ କରାଯାଉଛି। ଅଗଷ୍ଟ ୩୦ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେ ସମୟରେ ୧୦୪ଜଣ କରୋନା ରୋଗୀ ପ୍ଲାଜ୍ମା ନେବା ପରେ ସୁସ୍ଥ ହୋଇଥିବା ନେଇ ଦାବି କରାଯାଇଥିଲା। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଏ ପର୍ଯ୍ୟନ୍ତ ୧୫୯୦ରୁ ଅଧିକ ସୁସ୍ଥ କରୋନା ରୋଗୀ ପ୍ଲାଜ୍ମା ଦାନ କରିଛନ୍ତି। ତହିଁରୁ ୪୫୬୩ରୁ ଅଧିକ ସଂଖ୍ୟକ ପ୍ଲାଜ୍ମା ସଂଗ୍ରହ ହୋଇଥିବା ବେଳେ ୨୯୯୭ ଜଣଙ୍କୁ ପ୍ରଦାନ କରାଯାଇଛି। ଏଥିରେ ୨୫୦୭ ରୋଗୀଙ୍କୁ ସିଙ୍ଗିଲ୍ ଡୋଜ୍ ଓ ୪୩୨ରୁ ଅଧିକ ରୋଗୀଙ୍କୁ ଡବଲ ଡୋଜ୍ ପ୍ଲାଜ୍ମା ପ୍ରଦାନ କରାଯାଇଛି। ହେଲେ ସଂଗୃହୀତ ପ୍ଲାଜ୍ମାରେ ପ୍ରକୃତରେ ଆଣ୍ଟିବଡିର ଲେଭଲ୍ କେତେ ଓ ଏଥିରେ ପ୍ରକୃତରେ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ରହିଛି କି ନାହିଁ ତାହାର ଯାଞ୍ଚ ହେବା ନେଇ ସ୍ପଷ୍ଟତା ନାହିଁ। ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ପ୍ଲାଜ୍ମା ଥେରାପି ସଂପର୍କରେ ରହସ୍ୟମୟ ନିରବତା ଅବଲମ୍ବନ କରୁଛନ୍ତି।
ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି କ’ଣ ?
ଶରୀରରେ ଭୂତାଣୁ ଆକ୍ରମଣ ହେବା ପରେ ଶରୀର ବିଭିନ୍ନ ପ୍ରକାରର ଆଣ୍ଟିବଡି ସୃଷ୍ଟି କରିଥାଏ। ସାର୍ସ-କୋଭ୍୨ ବା କୋଭିଡ୍-୧୯ କ୍ଷେତ୍ରରେ ନ୍ୟୁକ୍ଲିୟର ପ୍ରୋଟିନ୍ କିମ୍ବା ସ୍ପାଇକ୍ ପ୍ରୋଟିନ୍ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ। ତେବେ ସ୍ପାଇକ୍ ପ୍ରୋଟିନ୍ ପାଇଁ ସୃଷ୍ଟି ହେଉଥିବା ଆଣ୍ଟିବଡି ସଂକ୍ରମଣ ନେଇ ସୁରକ୍ଷା ଦେଉଥିବା ବେଳେ ଏହାକୁ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ବା ଏନ୍ଏବି କୁହାଯାଇଥାଏ। ଏନ୍ଏବିର ଯାଞ୍ଚ ମୁଖ୍ୟତଃ ଦୁଇ ପ୍ରକାର କରାଯାଇ ପାରିବ। ପ୍ରଥମଟି ଆଣ୍ଟିବଡିର ଲେଭଲ ମପାଯିବା ସହିତ ପରବର୍ତୀ ସମୟରେ ବାୟୋସେଫ୍ଟି ଲେଭଲ ବା ବିଏସ୍ଏଲ-୨ ପରୀକ୍ଷାଗାରରେ ଏଥିରେ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ। ମାତ୍ର ଏହା ଏକ ଜଟିଳ ପ୍ରକ୍ରିୟା। ଏପରିକି ଆଇସିଏମ୍ଆର ପକ୍ଷରୁ ମଧ୍ୟ ଯେଉଁ ସମୟରେ ପ୍ଲାଜ୍ମା ନେଇ ଅଧ୍ୟୟନ କରାଯାଇଥିଲା ସେ ସମୟରେ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ପ୍ଲାଜ୍ମା ରହିଛି କି ନାହିଁ ତାହାର ଯାଞ୍ଚ ହୋଇ ନ ଥିବା କୁହାଯାଇଥିଲା। ତେଣୁ ଏଭଳି ପରିସ୍ଥିତିରେ ରାଜ୍ୟରେ ଯେଉଁ ରୋଗୀମାନଙ୍କୁ ପ୍ଲାଜ୍ମା ଦିଆଯାଉଛି ତହିଁରେ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ରହିଛି କି ନାହିଁ ତାହା ଜାଣିବା ଲାଗି ଏଭଳି ପଦ୍ଧତି ଅବଲମ୍ବନ କରାଯାଉଛି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ।