ମାଲିକ ପାଇଁ ଜୀବନ ଦେଲା କୁକୁର : ନାଗକୁ ଦୋକାନରେ ପଶିବାକୁ ଦେଲାନି, ଘଣ୍ଟାଏ ଲଢେଇରେ ଉଭୟେ ମଲେ

ଗୋଳନ୍ଥରା : ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି କୁହାଯାଏ। ବର୍ତ୍ତମାନ ସମାଜରେ ବିପଦ ବେଳେ ବନ୍ଧୁ ଓ ପରିଜନ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଗୋଟିଏ ପଶୁ ନିଜ ମାଲିକକୁ ସୁରକ୍ଷା ଦେବାକୁ ଯାଇ ନିଜ ଜୀବନ ହାରିବା ଘଟଣା ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି। ଏପରି ଏକ ଘଟଣା ଘଟିଛି ବ୍ରହ୍ମପୁର ସହର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକ୍‌ ଅର୍ନ୍ତଗତ ରଣ୍ଢା ସ୍ଥିତ ପଞ୍ଚମା ରୋଡ଼ ନନ୍ଦ କଂପ୍ଲେକ୍ସରେ।

ଆଜି ମଧ୍ୟାହ୍ନ ୧୨ଟା ବେଳେ ଏକ ବିରାଟକାୟ ନାଗ ସାପ ନନ୍ଦ କ‌ଂପ୍ଲେକ୍ସରେ ଥିବା ସନ୍ଦୀପ ସାହୁଙ୍କ ସନ୍ଦୀପ ମୋବାଇଲ ଦୋକାନ ଭିତରକୁ ପଶିବାକୁ ଚେଷ୍ଟା କରିଥିଲା। ଏହା ଦେଖି ଦୋକାନୀଙ୍କ ପୋଷା କୁକୁରଟି ସଙ୍ଗେ ସଙ୍ଗେ ସାପ ଉପରକୁ ଝାମ୍ପି ପଡ଼ିଥିଲା। ପ୍ରାୟ ଏକଘଣ୍ଟା ଧରି ସାପ ଓ କୁକୁର ମଧ୍ୟରେ ଲଢ଼େଇ ଚାଲିଲା। ଖବର ପ୍ରଚାରିତ ହେବା କ୍ଷଣି ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ଏହି ବିରଳ ଦୃଶ୍ୟ ‌ଦେଖି ଦେଖଣାହାରୀ ଆବାକ୍‌ ହୋଇ ଯାଇଥିଲେ। ଶେଷରେ କୁକୁରଟି ସାପଟିକୁ ଦୋକାନ ମଧ୍ୟକୁ ଯିବାକୁ ‌ନ ଦେଇ କ୍ଷତାକ୍ତ କରି ମାରି ଦେଇଥିଲା। କିନ୍ତୁ ଲଢ଼େଇ ଭିତରେ ବେଶ୍ କେତେଥର ସାପର ଦଂଶନ ସହିଥିବା କୁକୁରଟି ଏହାର କିଛି ସମୟ ପରେ ସେହିଠାରେ ହିଁ ଟଳି ପଡ଼ିଥିଲା। ମାଲିକର ଲୁଣ ଖାଇଥିବା ବିଶ୍ବସ୍ତ କୁକରଟି ଋଣ ପରିଶୋଧ କରିବା ଲାଗି ନିଜ ଜୀବନକୁ ବାଜି ଲଗାଇ ଦେଲା ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ସ୍ଥାନୀୟ ଯୁବକମାନେ ସାପକୁ ଘିଅ ଓ ଚନ୍ଦନରେ ଦାହ କରି ଅନ୍ତ୍ୟେଷ୍ଟି ସମ୍ପନ୍ନ କରିଥିଲେ। ଏଥି ସହ ଗାତ ଖୋଳି କୁକୁରକୁ ପୋତିଥିଲେ।

ସମ୍ବନ୍ଧିତ ଖବର