ମାଲିକଙ୍କ ୫ଦିନର ଋଣ ଶୁଝି ଦେଲା ରାଣୀ, ଫଣା ଟେକି ଚାଲି ଆସୁଥିବା ନାଗ ସାପ ସହ ଲଢ଼ି ଜୀବନ ହାରିଲା କୁକୁର

ବ୍ରହ୍ମପୁର : ଅନେକ ସମୟରେ ଦେଖିବାକୁ ମିଳିଛି କି ଯେତେବେଳେ ଦୁଃଖ ଆସିଥାଏ ନିଜ ସାଙ୍ଗ ସାଥି ସମ୍ପର୍କୀୟ ବି ସହାୟତା କରିବାକୁ ମୁହଁ ଫେରାଇ ଦିଅନ୍ତି। ଏଭଳି କ୍ଷେତ୍ରରେ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ କି ବିଶ୍ୱସ୍ତ ପ୍ରାଣୀ କିଏ ବୋଲି ପ୍ରଶ୍ନ ଉଠେ ‌ତେବେ ପ୍ରଥମେ କୁକୁରର ନାମ ସର୍ବପ୍ରଥମେ ଆସିଥାଏ। ଅନେକ ସମୟରେ ମାଲିକ ପାଇଁ କୁକୁର ଜୀବନ ଦେଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଆଜି ଏଭଳି ଏକ ଘଟଣା ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଣ୍ଢା ବଜାରରେ ଦେଖିବାକୁ ମିଳିଛି ।

ଆଜି ପ୍ରାୟ ଦିନ ୧୨ଟା ବେଳେ ଏକ ବିରାଟକାୟ ନାଗ ସାପ ଫଣା ଟେକି ସୁଦର୍ଶନ ରାହୁଳଙ୍କ  ଦୋକାନ ଭିତରକୁ ପଶିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଦୋକାନରେ ଅନେକ ଗ୍ରାହକ ବି ଥିଲେ। ତେବେ ନାଗସାପକୁ ଏଭଳି ଦୋକାନ ଭିତରକୁ ଫଣା ଟେକି ଆସୁଥିବା ପୋଷା କୁକୁର ରାଣୀ ଦେଖି ପକାଇଥିଲା।

ସେ ନିଜ ଜୀବନକୁ ଖାତିର ନକରି ସଙ୍ଗେସଙ୍ଗେ ସାପ ସହିତ ଲଢ଼ିବାକୁ ଆଗେଇ ଯାଇଥିଲା। ଦୀର୍ଘ ଏକଘଣ୍ଟା କାଳ ରାଣୀ ସାପ ସହିତ ଲଢ଼େଇ କରିବା ପରେ ସାପକୁ ମାରି ଗଡ଼ାଇ ଥିଲା। ଘଟଣାସ୍ଥଳରେ ସାପର ମୃତ୍ୟୁ ବି ହୋଇ ଯାଇଥିଲା। କିନ୍ତୁ ଦୁଃଖର ବିଷୟ ସାପର ଚୋଟ ଖାଇଥିବା ରାଣୀ ଜୀବନ ଯୁଦ୍ଧରେ ହାରି ଯାଇଥିଲା।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କୁକୁର ରାଣୀ ଯାହାଙ୍କ ପାଇଁ ଜୀବନ ଦେଇଛି ସେ ତାକୁ ପୋଷା କରି ରଖି ନଥିଲେ। ମାତ୍ର କିଛିଦିନ ଖାଇବାକୁ ଦେଇଥିଲେ। ଗତ କିଛିଦିନ ତଳେ ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଣ୍ଢା କମ୍ପପ୍ଲେକ୍ସ ନିକଟରେ ଜଣେ ବ୍ୟକ୍ତି ତାଙ୍କର ଏହି ପୋଷା କୁକୁରକୁ କୌଣସି କାରଣରୁ ଆଣି ଛାଡ଼ି ଦେଇଥିଲେ।

ଏହି କମ୍ପପ୍ଲେକ୍ସରେ ଥିବା ବ୍ୟବସାୟୀମାନେ କୁକୁରକୁ ଡଉଲଡାଉଲ ହୋଇଥିବା ଦେଖି ଶ୍ରଦ୍ଧାରେ ବିସ୍କୁଟ, କେକ ଇତ୍ୟାଦି ଖାଇବାକୁ ଦେଇଥିଲେ ଏବଂ ଖୁସିରେ ନାମ ରଖିଥିଲେ ରାଣୀ। ମାତ୍ର ୫ଦିନ ହେବ ଏହି କୁୁକୁରଟି ଦେକାନୀମାନଙ୍କ ଠାରୁ ଖାଇବାକୁ ପାଇଥିଲା। ତେବେ ଦେକାନୀଙ୍କ ଉପରକୁ ବିପଦ ଆସିବା ଦେଖି ୫ଦିନ ଋଣ ଶୁଝି ସବୁଦିନ ପାଇଁ ଆଖି ବୁଜି ଦେଇଥିଲା କୁକୁର ରାଣୀ।

ଏହାପରେ ସ୍ଥାନୀୟଲୋକେ ମାଟି ଖୋଳି କୁକୁର ରାଣୀକୁ ପୋତିଥିବା ବେଳେ ନାଗସାପକୁ ନିଆଁ ଲଗାଇ ଜାଳି ଦେଇଛନ୍ତି।

ସମ୍ବନ୍ଧିତ ଖବର